ପୁରୁଷୋତ୍ତମପୁର : ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅର୍ନ୍ତଗତ ପ୍ରତାପୁର ଅଞ୍ଚଳ‌ରେ ଘଟିଛି ଲୋମଟାଙ୍କୁରା ଘଟଣା। କମେଣ୍ଟମରା ଓ ପୂର୍ବଶତ୍ରୁତାକୁ କେନ୍ଦ୍ର କରି ଗୋଠିଆଳି ଗ୍ରାମର ଏମ୍‌.ଶିବ ଦୋରା (୧୯) ନାମକ ଜଣେ ଯୁବକଙ୍କୁ ସେହି ଗ୍ରା‌ମର ଏମ୍‌.ଜିତୁ ରେଡ୍ଡି କାତିରେ ହାଣି ନିର୍ମମ ହତ୍ୟା କରିଛି। ଏହି ଜଘନ୍ୟକାଣ୍ଡ ଭିଆଇବା ପରେ ଜିତୁ ପୁଲିସ ନିକଟରେ ଆତ୍ମସର୍ମପଣ କରିଥିବା ବେଳେ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଗତ ୪ବର୍ଷ ହେଲା ଗୋଠିଆଳି ଗ୍ରାମର ଶିବ ଓ ଜିତୁଙ୍କ ମଧ୍ୟରେ ଶତ୍ରୁତା ଲାଗି ରହିଥିଲା। ଜିତୁଙ୍କ ପତ୍ନୀ, ମା’ ଓ ଦୁଇ ଭଉଣୀଙ୍କୁ ଶିବ କମେଣ୍ଟ ମାରି ସବୁବେଳେ ହଇରାଣ କରି ଆସୁଥିଲା। ଗତ ଗୁରୁବାର ଦିନ ପୁରୁଷୋତ୍ତମପୁର ପଞ୍ଚ ଠାକୁରାଣୀ ଯାତ୍ରା ଉଦ୍‌ଯାପନୀ ଦିବସରେ ଆଛୁଲି ଛକରେ ଜିତୁକୁ ଶିବ ଆକ୍ରମଣ କରିଥିଲେ।

Advertisment

ଏଥିରେ ଜିତୁ ପ୍ରତିଶୋଧରାୟଣ ହୋଇ ଉଠିଥିଲା। ଆଜି ଅପରାହ୍ନ ୪ଟାରେ ପ୍ରତାପୁର-ଗୋଠିଆଳି ଛକ ଏକ ପାନ ଦୋକାନରେ ଶିବ ବସିଥିବା ଦେଖି ଜିତୁ ଆଉ ସୁଯୋଗକୁ ହାତଛଡା କରିବାକୁ ଚାହିଁ ନ ଥିଲା। କଥାବାର୍ତ୍ତା ହେବାର ଆଳ ଦେଖାଇ ସେ ଶିବଙ୍କ ପାଖକୁ ଯାଇଥିଲା। ପୂର୍ବରୁ ଲୁଚାଇ ରଖିଥିବା ଧାରୁଆ କାତିରେ ଶିବଙ୍କୁ ସେ ଅଚାନକ୍‌ ଆକ୍ରମଣ କରିଥିଲା। ରକ୍ତମୁଖା ପାଲଟିଥିବା ଜିତୁ ଶିବଙ୍କ ମୁଣ୍ଡ, ଛାତି ଓ ହାତକୁ ୩ ଚୋଟ ପକାଇବାରୁ ଘଟଣାସ୍ଥଳରେ ହିଁ ସେ ଟଳି ପଡ଼ିଥିଲେ। ଆଉ ଅଭିଯୁକ୍ତ ଜିତୁ ସଂଗେ ସଂଗେ ପୁରୁଷୋତ୍ତମପୁର ଥାନାରେ ଆତ୍ମସମର୍ପଣ କରିଥିଲା। ପୁରୁଷୋତ୍ତମପୁର ଏସଡିପିଓ ନିମାଇଁ ଚରଣ ସେଠୀ ଓ ଥାନା ସେକେଣ୍ଡ ଅଫିସର ସୁନିଲ କୁମାର ପ୍ରଧାନ ଫୋର୍ସ ସହ ଘଟଣାସ୍ଥଳରେ ପହଞ୍ଚି ଥିଲେ। ଆତ୍ମସମର୍ପଣ କରିବା ପରେ ଜିତୁ ସମସ୍ତ ଦୋଷ ସ୍ବୀକାର କରିଛି। କିନ୍ତୁ ଖବର ଲେଖାଯିବା ସୁଦ୍ଧା ଏନେଇ ଥାନାରେ କୌଣସି ଏତଲା ଦିଆଯାଇନି।