ବ୍ରହ୍ମପୁର : ଯୁବକଙ୍କୁ ଛୁରୀ ଭୁସି, ଠେଙ୍ଗାରେ ପିଟି ମାରିଦେଲେ

ମୁଖ୍ୟ ଅଭିଯୁକ୍ତ ସମେତ ୨ଜଣ ଅଟକ, ମୃତ ବଚନଙ୍କ ନାଁରେ ୧୦ରୁ ଅଧିକ ମାମଲା

କୁକୁଡ଼ାଖଣ୍ଡି/ବ୍ରହ୍ମପୁର : ଜୁଆ ଖେଳକୁ କେନ୍ଦ୍ରକରି ଦିଗପହଣ୍ଡି ଥାନା ତଥା କୁକୁଡ଼ାଖଣ୍ଡି ବ୍ଲକର ବନ୍ଥପଲ୍ଲୀ ଗାଁରେ ଘଟିଛି ଜଘନ୍ୟ ହତ୍ୟାକାଣ୍ଡ। ବଚନ ସ୍ବାଇଁ ନାମକ ଯୁବକଙ୍କୁ ସେହି ଗ୍ରାମର ୩ରୁ ୪ ଜଣ ଯୁବକ ଠେଙ୍ଗାରେ ପିଟି ଓ ଛୁରୀ ଭୁସି ହତ୍ୟା କରିଛନ୍ତି। ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ଲାଗି ପଠାଇଛି। ଦିଗପହଣ୍ଡି ଥାନାରେ ଏକ ହତ୍ୟା ମକଦ୍ଦମା ରୁଜୁ ହୋଇଛି। ପୁଲିସ କଙ୍ଗାରୁ ଭୂୟାଁ ଓ କାଳିଆ ଭୂୟାଁ ନାମକ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ମୃତ ବଚନଙ୍କ ନାମରେ ମଧ୍ୟ ବିଭିନ୍ନ ଥାନାରେ ୧୦ରୁ ଅଧିକ ଅପରାଧ ମାମଲା ରହିଥିବା ପୁଲିସ କହିଛି। ଗତ ୩ ବର୍ଷ ହେଲା ବଚନ ଜେଲ୍‌ରୁ ଫେରି ଗାଁରେ ରହୁଥିଲେ। ଅଭିଯୁକ୍ତ କଙ୍ଗାରୁ ନାମରେ ମଧ୍ୟ ହତ୍ୟା ଅପରାଧ ଭଳି ଏକାଧିକ ମାମଲା ଥିବା ପୁଲିସ କହିଛି।

ମିଳିଥିବା ସୂଚନା ଅନୁଯାୟୀ, ବ୍ରହ୍ମପୁର ସହର ଉପକଣ୍ଠ ବନ୍ଥପଲ୍ଲୀ ପଞ୍ଚାୟତ ବନ୍ଥପଲ୍ଲୀ ଗାଁରେ ଦୀର୍ଘ ଦିନ ହେଲ ଜୁଆ ଆଡ୍ଡା ଚାଲିଥିଲା। ବଚନ ସ୍ବାଇଁ (୩୫), କଙ୍ଗାରୁ ଭୂୟାଁ (୫୦)ଙ୍କ ସମେତ ଗ୍ରାମର କିଛି ଯୁବକ ମିଶି ଗତକାଲି ରାତିରୁ ଜୁଆ ଖେଳୁଥିଲେ। ଆଜି ସକାଳ ପର୍ଯ୍ୟନ୍ତ ଖେଳ ଚାଲିଥିଲା। ଜୁଆ ‌ଖେଳବେଳେ କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ଗ‌ଣ୍ଡଗୋଳ ହୋଇଥିଲା। କଙ୍ଗାରୁ ଏବଂ ତା’ ସମର୍ଥିତ ଗୋଷ୍ଠୀର ଯୁବକମାନେ ଅତର୍କିତ ଭାବେ ବଚନଙ୍କ ଉପରେ ଆକ୍ରମଣ କରି ଦେଇଥିଲେ। ତାଙ୍କ ପେଟକୁ ଛୁରୀରେ ବାରମ୍ବାର ଭୁସିଥିଲେ। ଠେଙ୍ଗାରେ ସଂଘବଦ୍ଧ ଭାବେ ପିଟିଥିଲେ। ପରିବାର ଲୋକମାନେ ଆମ୍ବୁଲାନ୍ସକୁ ନ ଜଗି ଗୁୁରତର ବଚନଙ୍କୁ ଏକ ବାଇକ୍‌ ଯୋଗେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟପକ୍ଷରେ ଦିଗପହଣ୍ଡି ପୁଲିସ ବନ୍ଥପଲ୍ଳୀ ଗାଁରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଅତିରିକ୍ତ ଏସ୍‌ପି ପ୍ରଭାତ ରାଉତରାୟ କହିଛନ୍ତି, ଜୁଆ ଖେଳକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଛି। ଜୁଆ ଖେଳକୁ ନେଇ ବଚନ ଓ କଙ୍ଗାରୁଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ବଚନ ଓ ତା’ର ସାଥିମାନେ କଙ୍ଗାରୁକୁ ପ୍ରଥମେ ଆକ୍ରମଣ କରିଥିଲେ। ଏହାପରେ କଙ୍ଗାରୁ ଗୋଷ୍ଠୀ ପ୍ରତି ଆକ୍ରମଣ କରି ବଚନଙ୍କୁ ଛୁରୀରେ ଭୁସି ଦେଇଥିଲେ। ହତ୍ୟାକାଣ୍ଡରେ ବ୍ୟବହୃତ ଛୁରୀକୁ ଜବତ କରାଯାଇଛି। ମୁଖ୍ୟ ଅଭିଯୁକ୍ତ ସମେତ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି। ଥାନାରେ ୨୫୦/୨୦ ନମ୍ବର କେସ୍‌ ରୁଜୁ ହୋଇଛି।

ଅନ୍ୟପକ୍ଷରେ, ସ୍ଥାନୀୟ ଲୋକମାନେ ବାରମ୍ବାର ଅଭିଯୋଗ କରିବା ସତ୍ତ୍ବେ ପୁଲିସ କୌଣସି ପଦକ୍ଷେପ ନେଉ ନ ଥିଲା। ଜୁଆ ଆଡ୍ଡାରୁ ମୋଟା ଅଙ୍କ ନେଇ ପୁଲିସ ଚୁପ୍‌ ବସିଥିଲା। ଫଳରେ ଆଜି ଏଭଳି ପରିସ୍ଥିତି ଉପୁଜିଥିବା ସ୍ଥାନୀୟ ଲୋକମାନେ ଖୋଲାଖୋଲି ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର