ପୂର୍ବ ଶତ୍ରୁତାରୁ ଜଘନ୍ୟ କାଣ୍ଡ : ଟ୍ରକ୍ ଚଢ଼ାଇ ଯୁବକଙ୍କୁ ହତ୍ୟା

କବାଟବନ୍ଧ : ଯାଜପୁର ଜିଲ୍ଲା ଜେନାପୁର ଥାନା ଅନ୍ତର୍ଗତ ବଳରାମପୁର ତଳଗଡ଼ (ପଥୁରିଆସାହି) ଗ୍ରାମର ପୀତବାସ ମଲିକଙ୍କ ପୁଅ ପ୍ରଦୀପ ମଲିକ ଓରଫ କାବୁଲା(୪୨)ଙ୍କୁ ପୂର୍ବ ଶତ୍ରୁତାରୁ ହତ୍ୟା କରାଯାଇଛି। ସେହି ଗ୍ରାମର କେତେକ ଲୋକ ତାଙ୍କୁ ଟ୍ରକ୍‌ ଚଢ଼ାଇ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଘଟଣାରେ ସମ୍ପୃକ୍ତ ଶ୍ରୀଧର ମଲିକ ତାଳଜଙ୍ଗ ପଞ୍ଚାୟତର ନାଏବ ସରପଞ୍ଚ ଥିବା ଜଣାପଡ଼ିଛି।

ସୂଚନା ମୁତାବକ, ଆଜି ଦିନ ପ୍ରାୟ ୧୨ଟା ସମୟରେ ପ୍ରଦୀପ ଗାଁ ନିକଟରେ ଥିବା ପାହାଡ଼ରୁ ଘାସ କାଟି ସାଇକଲରେ ଘରକୁ ଫେରୁଥିବାବେଳେ କବାଟବନ୍ଧ-ରେଖିଦେଈପୁର ରାସ୍ତାର ବଳରାମପୁର ହାଇସ୍କୁଲ୍‌ ନିକଟରେ ଏକ ଟ୍ରକ୍‌ ତାଙ୍କୁ ଧକ୍କା ଦେଇଥିଲା। ଡାହାପଡ଼ିଆ ନିକଟରେ ଆଗରୁ ଆସୁଥିବା ଓଆର-୦୯ଜି-୧୬୫୩ ନମ୍ବର ଟ୍ରକ୍‌ଟି ପ୍ରଦୀପଙ୍କୁ ଧକ୍କା ଦେବାରୁ ସେ ରାସ୍ତା କଡ଼କୁ ଛିଟିକି ପଡ଼ିଥିଲେ। ହେଲେ ଟ୍ରକ୍‌ ଚାଳକ ଗାଡ଼ିକୁ ପଛକୁ ଫେରାଇ ପ୍ରଦୀପଙ୍କ ଉପରେ ଚଢ଼ାଇ ଦେଇଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ପ୍ରଦୀପଙ୍କ ମୃତ୍ୟୁ ହୋଇଯିବାରୁ ଟ୍ରକ୍‌ ଚଳାଉଥିବା ଶ୍ରୀଧର ମଲିକ ଏବଂ ଅନ୍ୟମାନେ ଗାଡ଼ିରୁ ଓହ୍ଲାଇ ଫେରାର ହୋଇଯାଇଥିଲେ। ଘଟଣା ପ୍ରଚାର ହୋଇଯିବାରୁ ଶହଶହ ଲୋକ ଘଟଣାସ୍ଥଳରେ ରୁଣ୍ତ ହୋଇଯାଇଥିଲେ।

ପୁଲିସ୍‌ ଲୋକମାନଙ୍କୁ ବୁଝାସୁଝା କରିବା ସହ ଟ୍ରକ୍‌ ଚକତଳୁ ପ୍ରଦୀପଙ୍କ ମୃତଦେହ ବାହାର କରିଥିଲେ। କେସ ନମ୍ବର ୨୪୦/୧୯ରେ ମାମଲା ରୁଜୁ କରି ତଦନ୍ତ କରୁଛି। ପୁଲିସ୍‌ ମୁଖ୍ୟ ଅଭିଯୁକ୍ତ ଶ୍ରୀଧରଙ୍କ ବଡ଼ଭାଇ ଅକ୍ଷୟ ମଲ୍ଲିକଙ୍କୁ ଥାନାରେ ଅଟକ ରଖି ଜେରା କରୁଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର