ଯୁଯୁମୁରା : ରାସ୍ତା ପାର୍ଶ୍ବରେ ଲାଗିଥିବା କିଲୋମିଟର ଖୁଣ୍ଟରେ ମୁଣ୍ଡକୁ ପିଟି ପିଟି ବୀଭତ୍ସ ଭାବେ ହତ୍ୟା କରାଯାଇଛି। ମୁଣ୍ଡକୁ ଏପରି ପିଟା ଯାଇଛି ଯେ ମୁହଁ ସଂପୂର୍ଣ୍ଣ ବିକୃତ ହୋଇଯାଇଛି। ଜଣେ ଯୁବକଙ୍କୁ ଏମିତି ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ମୃତ ଯୁବକଙ୍କ ପରିଚୟ ମିଳିପାରି ନାହିଁ। ସମ୍ବଲପୁର ଜିଲ୍ଲା ଯୁଯୁମୁରା ଥାନା କଂସର ପଞ୍ଚାୟତ କୁଶାମରା ଛକ ନିକଟରେ ଘଟିଛି ଏହି ଘଟଣା। ଶୁକ୍ରବାର ସକାଳୁ ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ତଦନ୍ତ ଚଳାଇଛି। ସମ୍ବଲପୁରରୁ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ରକ୍ତ ନମୁନା ସଂଗ୍ରହ କରିବା ସହିତ ପାରିପାର୍ଶ୍ବିକ ସ୍ଥିତି ଅନୁଧ୍ୟାନ କରିଛି। ତେବେ ଯୁବକଙ୍କ ପରିଚୟ ମିଳି ନଥିବାରୁ ଶବକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରଖାଯାଇଛି।
/sambad/media/post_attachments/wp-content/uploads/2021/12/jujumura-murder.jpg)
ପୁଲିସ ସୂଚନା ଅନୁଯାୟୀ ରାସ୍ତା ପାର୍ଶ୍ବରେ ଜଣେ ଅପରିଚିତ ଯୁବକଙ୍କ ଶବ ପଡ଼ିଥିବା ନେଇ ସ୍ଥାନୀୟ ଲୋକ ସୂଚନା ଦେଇଥିଲେ। ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ କରିଥିଲା। ଯୁବକଙ୍କ ଶବ ରାସ୍ତା ପାର୍ଶ୍ବରେ ଥିବା ଏକ ମାଇଲ୍ ଖୁଣ୍ଟକୁ ଲାଗି ପଡ଼ି ରହିଥିଲା। ଉକ୍ତ ଖୁଣ୍ଟରେ ଯୁବକଙ୍କୁ ବାରମ୍ବାର ପିଟି ହତ୍ୟା କରାଯାଇଥିବା ଅନୁମାନ କରାଯାଇଛି। ମୁଣ୍ଡକୁ ଏତେ ଜୋର୍ରେ ପିଟା ଯାଇଛି ଯେ ତାଙ୍କ ମୁହଁ ସଂପୂର୍ଣ୍ଣ ବିକୃତ ହୋଇଯାଇଛି। ଉକ୍ତ ମାଇଲ୍ ଖୁଣ୍ଟରେ ମଧ୍ୟ ରକ୍ତ ଛିଟା ଲାଗିଥିବା ଦେଖାଯାଇଛି। ହତ୍ୟାକାରୀ ଦେହ ଓ ମୁହଁକୁ ଧୂଳିରେ ପୋତି ପକାଇଛନ୍ତି। ଶବ ନିକଟରୁ ଏକ ବାଡ଼ି ଜବତ କରାଯାଇଛି। ଉକ୍ତ ବାଡ଼ିରେ ବି ତାଙ୍କୁ ମାଡ଼ ମରାଯାଇଥିବା ଅନୁମାନ କରାଯାଉଛି।
ଗୁରୁବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା ସନ୍ଦେହ କରାଯାଉଛି। ଯୁବକଙ୍କ ନିକଟରୁ ଅନ୍ୟ କିଛି ଜିନିଷ ମିଳି ନଥିବାରୁ ତାଙ୍କ ପରିଚୟ ସଂଗ୍ରହ କରିବାରେ କଷ୍ଟକର ହେଉଛି। ତେବେ ସଇଣ୍ଟିଫିକ୍ ଟିମ୍ ରକ୍ତ ନମୁନା ଓ ଅନ୍ୟ ସାମଗ୍ରୀ ଜବତ କରିଛି। ଖବରପାଇ ଯୁଯୁମୁରା ଥାନା ଅଧିକାରୀ ରାଜକୁମାର ବିଶ୍ବାଳ ଅନ୍ୟ ଥାନା କର୍ମଚାରୀଙ୍କ ସହିତ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଶବ ଜବତ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରଖାଯାଇଛି। ପୁଲିସ ଏ ନେଇ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/12/fff-1.jpg)