ମାଲାକାନଗିରି : ଅଜଣା ରୋଗରେ ୧୭ଜଣଙ୍କ ମୃତ୍ୟୁ ପରେ ମାଲକାନଗିରି ବ୍ଲକ୍ କେନ୍ଦୁଗୁଡ଼ା ଗାଁରେ ଘଟିଛି ଅଭାବନୀୟ ଘଟଣା। ଜଣେ ଯୁବକଙ୍କୁ ଗୁଣିଗାରେଡ଼ି ସନ୍ଦେହରେ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ୩ଦିନ ପରେ ଏହି ସୂଚନା ମିଳିବା ପରେ ଆଜି ମାଲକାନଗିରି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପୋତା ଯାଇଥିବା ଶବକୁ ବାହାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଗାଁରୁ ୫ଜଣଙ୍କୁ ଉଠାଇ ଆଣି ଥାନାରେ ଅଟକ ରଖିଛି। ଅପରପକ୍ଷରେ ଉପଯୁକ୍ତ ସ୍ବାସ୍ଥ୍ୟସେବା ନ ପାଇ ୧୭ଜଣଙ୍କ ଜୀବନ ଯାଇଥିବା ବେଳେ ଏବେ ଆନ୍ଧବିଶ୍ବାସ ଗୋଟିଏ ଜୀବନ ନେବାରୁ ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।
/sambad/media/post_attachments/wp-content/uploads/2020/06/malkanagiri-murder-300x157.jpg)
ଅଜଣା ରୋଗର କବଳରେ ରହିଛି ଆଦିବାସୀ ବହୁଳ କେନ୍ଦୁଗୁଡ଼ା ଗାଁ। ହାତଗୋଡ଼ ଅସ୍ବାଭାବିକ ଫୁଲିଯିବା ଏବଂ ଭୀଷଣ ପେଟବ୍ୟଥା ପରେ ଜ୍ବର ହୋଇ ଏହି ଗାଁର ଲୋକ ପ୍ରାଣ ହରାଉଛନ୍ତି। ଗତ ୩ମାସ ମଧ୍ୟରେ ୧୭ଜଣଙ୍କ ଅକାଳ ମୃତ୍ୟୁ ଏବଂ ୧୦ରୁ ଊର୍ଦ୍ଧ୍ବ ଜଣ ଶଯ୍ୟାଶାୟୀ ରହିବା ଗ୍ରାମବାସୀଙ୍କ ଚିନ୍ତାକୁ ବଢ଼ାଇ ଦେଇଥିଲା। ସ୍ବାସ୍ଥ୍ୟ ବିଭାଗର ଗୋଟିଏ ଟିମ୍ ଗାଁରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲା। ତଥାପି ରୋଗ ଚିହ୍ନଟ ହୋଇପାରି ନାହିଁ। ଯାହାଫଳରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ କୌଣସି ଆସୁରିକ ଶକ୍ତି ହିଁ ଏମିତି କରୁଥିବା ଧାରଣା ସୃଷ୍ଟି ହୋଇଛି। ଯାହାର ପରିମାଣ ଜଣେ ଯୁବକଙ୍କୁ ଭୋଗିବାକୁ ପଡ଼ିଛି। ଏହି ଗାଁର ଉଙ୍ଗା ମାଡ଼କାମୀଙ୍କ ପୁଅ ସମରା ମାଡ଼କାମୀ (୧୮)କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ୩ଦିନ ତଳେ ପିଟିପିଟି ହତ୍ୟା କରିବା ପରେ ପ୍ରମାଣ ନଷ୍ଟ କରିବାକୁ ଶବକୁ ଗାଁ ପାଖ ଜଙ୍ଗଲରେ ପୋତି ଦିଆଯାଇଥିଲା। ପରିବାର ଲୋକ ଏନେଇ ଜାଣିଥିଲେ ସୁଦ୍ଧା ଏତେମାତ୍ରାରେ ଭୟଭୀତ ହୋଇଥିଲେ ଯେ, ମୁହଁ ଖୋଲିବାକୁ ଚାହିଁ ନଥିଲେ। ତେବେ କୌଣସି ପ୍ରକାର ଏହି ଖବର ଆଜି ମାଲକାନଗିରି ଥାନାରେ ପହଞ୍ଚିଥିଲା। ଏହାପରେ ଏସଡିପିଓ ପ୍ରଫୁଲ୍ଲ ଚରଣ ମୀନା ଏବଂ ଆଇଆଇସି ରାମଚନ୍ଦ୍ର ନାଗ ଗାଁକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ। ବହୁ ସମୟ ଧରି ଗ୍ରାମବାସୀଙ୍କ ସହ ଆଲୋଚନା କରିବାରୁ ସମରା ମାଡ଼କାମୀ ନିଖୋଜ ନେଇ ସୁରାକ ପାଇଥିଲେ। ଖୋଳାତାଡ଼ କରିବାରୁ ସମରାକୁ ହତ୍ୟା କରାଯାଇଥିବା ସୂଚନା ମିଳିଥିଲା। ଗାଁ ପାଖ ଜଙ୍ଗଲରେ ଖୋଜାଖୋଜି ଆରମ୍ଭ କରି ଗୋଟିଏ ସ୍ଥାନରେ ଖୋଳା ଯାଇଥିଲା। ଆଉ ମାଟି ତଳୁ ଯାହା ବାହରିଲା ତାହା ପୁଲିସକୁ ଚକିତ କରିଥିଲା।
୩ଦିନ ଧରି ମାଟି ତଳେ ଶବ ରହିବା ଫଳରେ ପଚିବା ଆରମ୍ଭ ହୋଇଥିଲା। କିନ୍ତୁ ଶବ ଚିହ୍ନଟ କରିବାରେ ପୁଲିସକୁ ବିଶେଷ ସମସ୍ୟା ହୋଇ ନଥିଲା। ଶବ ବ୍ୟବଚ୍ଛେଦ ପାଇଁ ପଠାଇ ସନ୍ଦିଗ୍ଧକୁ ଠାବ କରିଥିବା ପୁଲିସ। ୫ଜଣଙ୍କ ବୟାନରେ ତାଳମେଳ ରହୁ ନଥିବାରୁ ପୁଲିସ ସେମାନଙ୍କୁ ଥାନାକୁ ଉଠାଇ ଆଣିଥିଲା। ପଚରା ଉଚୁରା ଚାଲିଥିବା ବେଳେ ଆଉ କିଏ ସବୁ ଏଥିରେ ସଂପୃକ୍ତ ପୁଲିସ ଜାଣିବାକୁ ଚେଷ୍ଟା ଜାରି ରଖିଛି। ପ୍ରାଥମିକ ତଦନ୍ତରୁ ସମରା ଏବଂ ଆଉ ଦୁଇ ପରିବାରରୁ କେହି ଜଣେ ମଧ୍ୟ ସଦସ୍ୟା ଅଜଣା ରୋଗରେ ପ୍ରାଣ ହରାଇ ନଥିଲେ। ତେଣୁ ଏହି ୩ପରିବାର ଉପରେ ସନ୍ଦେହ ସୃଷ୍ଟି ହେବାରୁ ଗିତିବିଧି ଉପରେ ନଜର ରଖାଯାଇଥିଲା। ଶେଷରେ ସନ୍ଦେହ ଯାଇ ସମାରା ଉପରେ ଅଟକିବାରୁ ହତ୍ୟା କରିବାକୁ ପଛାଇ ନଥିଲେ ଦୁର୍ବୃତ୍ତ। ସମ୍ବେଦନଶୀଳ ଘଟଣା ହୋଇଥିବାରୁ ତଦନ୍ତର ସବୁ ଦିଗକୁ ଖୋଲା ରଖିବା ସହ ଆବଶ୍ୟକ ପ୍ରମାଣ ଯୋଗାଡ଼ କରି ଦୋଷୀ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ ପ୍ରକାଶ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/murder.jpg)