ସାରସକଣା : ସ୍ପଷ୍ଟ ଦିବାଲୋକ‌ରେ ଆଜି ଜଣେ ଯୁବକଙ୍କୁ ମାରଣାସ୍ତ୍ରରେ ଛେଚି ଦୁର୍ବୃତ୍ତମାନେ ହତ୍ୟା କରିଛନ୍ତି। ପ୍ରାଣ ରକ୍ଷା କରିବାକୁ ସବୁମତେ ଉଦ୍ୟମ କରିଥିଲେ ମଧ୍ୟ ଯୁବକ ଜଣକ ନିଜକୁ ବଞ୍ଚାଇ ପାରି ନଥିଲେ। ଏପରି ଘଘନ୍ୟ ହତ୍ୟାକାଣ୍ଡ ଘଟିଛି ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଅନ୍ତର୍ଗତ ସାରସକଣା ପଞ୍ଚାୟତ କୃଷ୍ଣପୁର ଗାଁରେ। ହତ୍ୟାର ଶିକାର ହୋଇଥିବା ଯୁବକ ହେଉଛନ୍ତି ମହୁଲବରେଇ ଗାଁର ଅଜୟ କୁମାର କଲିଆ(୪୮)। ପୁଲିସ ତନାଘନା କରୁଥିଲେ ମଧ୍ୟ ଖବର ଲେଖା ହେବା ଯାଏ ଦୁର୍ବୃତ୍ତକୁ ଧରିବାରେ ସକ୍ଷମ ହୋଇ ପାରିନି।

Advertisment

ଘଟଣାରୁ ପ୍ରକାଶ, ସକାଳ ପ୍ରାୟ ୭ଟା ବେଳେ ଅଜୟ ନିକଟସ୍ଥ କୃଷ୍ଣପୁର ଗାଁକୁ ମଟରସାଇକେଲ ଯୋଗେ ଟିଉସନ କରିବାକୁ ଯାଉଥିଲେ। ବାଟରେ ଶରତପାଳ ନିକଟସ୍ଥ ନିଛାଟିଆ ମୋରମ ରାସ୍ତାରେ ଦୁର୍ବୃତ୍ତମାନେ ତାଙ୍କ ଉପରେ ପ୍ରାଣାନ୍ତକ ଆକ୍ରମଣ କରିଥିଲେ। ଫଳରେ ସେ ବାଇକ୍‌ରୁ ଖସି ପଡ଼ିଥିଲେ। ଏହାପରେ ଜୀବନ ବଞ୍ଚାଇବାକୁ ସେ ଦୌଡ଼ି ପଳାଇବାକୁ ଉଦ୍ୟମ କରିଥିଲେ। କିନ୍ତୁ ଦୁର୍ବୃତ୍ତମାନେ ତାଙ୍କୁ କାବୁ କରି ନେଇ ମାରଣାସ୍ତ୍ର ସାହାଯ୍ୟରେ ମୁଣ୍ଡକୁ ଛେଚି ଛେଚି ହତ୍ୟା କରିଥିଲେ। ସମ୍ଭବତଃ ଶାବଳରେ ତାଙ୍କୁ ଆକ୍ରମଣ କରାଯାଇଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ତାଙ୍କ ବାଇକ୍‌ ପଡ଼ିଥିବା ବେଳେ ଶହେ ମିଟର ଦୂରରେ ତାଙ୍କ କ୍ଷତାକ୍ତ ମୃତଦେହ ପଡ଼ିଥିଲା। ଖବରପାଇ ଝାରପୋଖରିଆ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ସାଇଣ୍ଟିଫିକ୍‌ ଟିମ ଓ ସନ୍ଧାନୀ କୁକୁର ସହାୟତାରେ ପୁଲିସ ଛାନଭିନ୍‌ କରିଥିଲେ ମଧ୍ୟ କାହାରି ଟେର୍‌ ମିଳି ନଥିଲା। ଏନେଇ ଥାନାରେ କେସ ନଂ. ୬୨/୧୯ରେ ଏକ ମାମଲା ରୁଜୁ ହୋଇଛି। ତେବେ ଏହି ହତ୍ୟା ଘଟଣାରେ ଜଡ଼ିତ ଥିବା ସନ୍ଦେହ କରି ଏକାଧିକ ଆପରାଧିକ ମାମଲାରେ ସଂପୃକ୍ତ ଥିବା ବ୍ୟକ୍ତିଙ୍କୁ ପୁଲିସ ଆଣି ଥାନାରେ ପଚରାଉଚରା କରୁଛି। ଖୁବ୍‌ଶୀଘ୍ର ଅଭିଯୁକ୍ତକୁ ଧରାଯିବ ବୋଲି ଥାନା ଅଧିକାରୀ ଶରତ କୁମାର ମହାଳିକ ପ୍ରକାଶ କରିଛନ୍ତି।