ଦିନ ଦି’ପହରେ ରାସ୍ତା ଉପରେ ହାଣିଦେଲେ : ଯୁବକ ମୃତ, ଗାଡ଼ି, ଭୁଜାଲି ଜବତ

ପୁରୀ : ଆଜି ଦିନ ଦ୍ବି ପ୍ରହରରେ ପୁରୀ ସଦର ଥାନା ଅଞ୍ଚଳର ଏକ ଗାଁରେ ଜଣେ ଯୁବକଙ୍କୁ ନିର୍ମମ ଭାବେ ହାଣି ହତ୍ୟା କରାଯାଇଛି। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶାସନ ଦାମୋଦରପୁର ପଞ୍ଚାୟତର ହାଟ ସାହି ଗାଁ ଦାଣ୍ଡରୁ ଯୁବକଙ୍କ ଶବକୁ ଜବତ କରିଛି। ମୃତ ଯୁବକ ଜଣକ ଟାଉନ ଥାନା ଅନ୍ତର୍ଗତ ମାର୍କଣ୍ଡେଶ୍ବର ସାହିର ରାଧାଗୋବିନ୍ଦ ଲେନ୍‌ ନିବାସୀ ଗୋବିନ୍ଦ ଚନ୍ଦ୍ର ସାହୁଙ୍କ ପୁଅ ପିଣ୍ଟୁ ଓରଫ ପ୍ରକାଶ କୁମାର ସାହୁ(୨୮) ବୋଲି ଜଣାପଡ଼ିଛି। ହତ୍ୟାକାଣ୍ଡ ସ୍ଥଳରୁ ପୁଲିସ ଓଡି-୦୨ବିଇ-୩୫୫୦ ନମ୍ବର ବିଶିଷ୍ଟ ଏକ ମେ‌ଷ୍ଟ୍ରୋ ଗାଡ଼ିକୁ ଜବତ କରିଛି। ‌ ମାର୍କଣ୍ଡେଶ୍ବର ରାଧାଗୋବିନ୍ଦ ଲେନ୍‌ର ପ୍ରକାଶ ଆଜି ଦିନ ପ୍ରାୟ ସାଢ଼େ ଦୁଇଟା ବେଳେ ଘରୁ ଏକ ମେଷ୍ଟ୍ରା ଗାଡ଼ିରେ ଶାସନ ଦାମୋଦରପୁର ଗାଁର ହାଟସାହିକୁ ଯାଇଥିଲେ। ଲକ୍‌ଡାଉନ୍‌ କଟକଣା ଲାଗୁ ହୋଇଥିବା ଏବଂ ଦ୍ବି ପ୍ରହରରେ ପ୍ରଚଣ୍ଡ ଖରା ଯୋଗୁଁ ଏହି ଦାଣ୍ଡରେ କାଁଭାଁ ଲୋକମାନେ ଯାତାୟତ କରୁଥିଲେ। ପ୍ରାୟ ତିନିଟା ସମୟରେ ହାଟସାହିର ରାସ୍ତାରେ ତାଙ୍କ ରକ୍ତାକ୍ତ ଶବକୁ ଦେଖିବାକୁ ମିଳିଥିଲା। ଶବ ପଡ଼ିଥିବା ରାସ୍ତା କଡ଼ରେ ତାଙ୍କର ଗାଡ଼ିଟି ପଡ଼ିଛି। ସେହିପରି ପାଖରେ ମଧ୍ୟ ବେଣ୍ଟ ନଥିବା ଏକ ଭୁଜାଲି ଦେଖିବାକୁ ମିଳିଥିଲା। ଗାଁ ଲୋକମାନେ ଏହା ଦେଖି ସଦର ଥାନାକୁ ଖବର ଦେଇଥିଲେ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଏହି ରାସ୍ତାକୁ ସିଲ୍‌ କରି ଦେଇଥିଲେ। ସଙ୍ଗେସଙ୍ଗେ ସାଇଣ୍ଟିଫିକ୍‌ ଟିମ୍‌ ଡକାଇ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ଘଟଣା ସ୍ଥଳରୁ ଭୁଜାଲି ଓ ଗାଡ଼ିଟିକୁ ଜବତ କରିବା ପରେ ଶବକୁ ବ୍ୟବଚ୍ଛେଦ ନିମନ୍ତେ ସଦର ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା। ତେବେ ଘଟଣା ସ୍ଥଳରେ କେହି ଶବକୁ ଚିହ୍ନଟ କରି ପାରିନଥିଲେ। ମାତ୍ର ଶବ ଡାକ୍ତରଖାନାକୁ ପଠାଇବା ପରେ ଗାଡ଼ି ନମ୍ବରକୁ ଯାଞ୍ଚ କରିବାରେ ଏହା ରାକେଶଙ୍କର ଗାଡ଼ି ବୋଲି ଜଣାପଡ଼ିଥିଲା। ତେଣୁ ପୁଲିସ ରାକେଶଙ୍କୁ ଡକାଇ ଶବକୁ ଚିହ୍ନଟ କରାଇବା ପରେ ମୃତକ ତାଙ୍କ ଭାଇ ପ୍ରକାଶଙ୍କର ବୋଲି ଚିହ୍ନଟ କରିଥିଲେ। ରାକେଶଙ୍କ ପରିବାର ଲୋକେ ଆସି ତାଙ୍କର ଶବକୁ ଚିହ୍ନଟ କରିଥିଲେ। ପ୍ରକାଶ ଡାକ୍ତରଖାନାକୁ ଯାଉଥିବା କହି ରାକେଶଙ୍କର ଗାଡ଼ିକୁ ନେଇ ଘରୁ ବାହାରି ଯାଇଥିଲେ। ମାତ୍ର ସେ ହାଟସାହି ଆଡ଼କୁ କାହିଁକି ଯାଇଥିଲେ, ସେ ନେଇ ‌ପରିବାର ଲୋକେ ଜାଣିନଥିବା କହିଛନ୍ତି।

ଅନ୍ୟ ପଟେ ପ୍ରକାଶଙ୍କ ହତ୍ୟାକୁ ନେଇ ହାଟ ସାହିରେ କେହି କିଛି ମୁହଁ ନଖୋଲିବାରୁ ପୁଲିସର ତଦନ୍ତରେ ବିଳମ୍ବ ହେଉଛି। କେଉଁ କାରଣକୁ ନେଇ ଟାଉନ ଥାନା ଅଞ୍ଚଳର ପ୍ରକାଶଙ୍କୁ ସଦର ଥାନା ଇଲାକାରେ ହତ୍ୟା କରାଗଲା ସେ ନେଇ ପୁଲିସ ତଦନ୍ତ ଆରମ୍ଭ କରିଛି। ହାଟସାହିର ଗାଁ ଲୋକମାନେ ନିରବତା ଅବଲମ୍ବନ କରିବାରୁ ଏସ୍‌ପି ସ୍ପେଶାଲ ସ୍କ୍ବାଡ୍‌କୁ ନିୟୋଜିତ କରିଛନ୍ତି। ତଥାପି ନିଶ୍ଚିତ ଭାବେ ତିନିରୁ ଅଧିକ ଅପରାଧୀ ଏହି ଅପରାଧ ଭିଆଇଥିବା ପୁଲିସ ଅନୁମାନ କରୁଛି। ପ୍ରକାଶଙ୍କ ଅପରାଧ ତାଲିକାକୁ ପୁଲିସ ଯାଞ୍ଚ କରୁଛି। ସେ କୌଣସି ଅପରାଧରେ ସମ୍ପୃକ୍ତ କି ନୁହେଁ, ତାଙ୍କର ଅନ୍ୟ କେଉଁ ଅପରାଧୀ ଗୋଷ୍ଠୀ ସହିତ ସମ୍ପର୍କ ରହିଛି। ଦିନ ଦ୍ବି ପ୍ରହରରେ ଲକ୍‌ଡାଉନ୍‌ କଟକଣା ସମୟରେ ପ୍ରକାଶ ସଦର ଥାନା ଅନ୍ତର୍ଗତ ହାଟସାହିକୁ କାହିଁକି ଯାଇଥିଲେ। ତାଙ୍କର ଫୋନ୍‌କୁ କେଉଁମାନଙ୍କର ଫୋନ୍‌ ଆସିଛି ଏବଂ ସେ କେଉଁମାନଙ୍କୁ ଫୋନ୍‌ କରିଛନ୍ତି ସେ ସମ୍ପର୍କ‌ରେ ପୁଲିସ ଅନୁସନ୍ଧାନ କରୁଛି।

ଅପରାଧୀମାନେ ପ୍ରକାଶଙ୍କ ମୁହଁ, ମୁଣ୍ଡର ପଛପଟ ଭାଗ ଏବଂ ବେକକୁ ନୃଶଂସ ଭାବ‌େ କାଟି ଦେଇଛନ୍ତି। ଯେଉଁ ଭଳି ଭାବ‌େ ପ୍ରକାଶଙ୍କୁ ହତ୍ୟା କରାଯାଇଛି, ସେଥିରେ ପ୍ରତିଶୋଧର ବାସ୍ନା ପୁଲିସ ବାରିପାରିଛି। ହୁଏତ ପ୍ରକାଶଙ୍କୁ କେହି ପୂର୍ବ ଶତ୍ରୁତାକୁ ନେଇ ହତ୍ୟା କରିଥାଇପାରେ କିମ୍ବା ପ୍ରେମଜନିତ ହତ୍ୟାକାଣ୍ଡ ହୋଇଥାଇପାରେ ବୋଲି ପୁଲିସ ଅନୁମାନ କରୁଛି। ପୁଲିସ ଏହି ସମସ୍ତ ଦିଗ ପ୍ରତି ଧ୍ୟାନ ଦେଇ ତଦନ୍ତକୁ ଆଗେଇ ନେଇଛି। ପ୍ରକାଶ ଜଣେ ପରିବା ବ୍ୟବସାୟୀ । ସେ ଦେବୀଘାଟସ୍ଥିତ ପରିବା ଗୋଦାମରେ ପରିବା ବ୍ୟବସାୟ କରନ୍ତି। ତେଣୁ ବ୍ୟବସାୟିକ ଶତ୍ରୁତାକୁ ମଧ୍ୟ ଏଡ଼ାଇ ଦିଆଯାଇନପାରେ ବୋଲି ମଧ୍ୟ ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର