ନୀଳାଦ୍ରି ବିଜେ ପରେ ପୁରୀରେ ହତ୍ୟା; ପୂର୍ବରୁ ବୋମାମାଡ଼ କରିଥିଲେ, ଆଜି ହାଣି ମାରିଦେଲେ

ପୁରୀ : ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ରବିବାର ଦିିନ ପୁରୀ ବାସେଳି ସାହି ଥାନା ଅଞ୍ଚଳରେ ଏକ ହତ୍ୟାକାଣ୍ଡ ଘଟିଛି। ହତ୍ୟାକାଣ୍ଡର ଶିକାର ହୋଇଥିବା ଯୁବକ ହେଲେ, ଓଡ଼ିଆ ମଠ ନିକଟରେ ରହୁଥିବା ଗୋବିନ୍ଦ ଚନ୍ଦ୍ର ପୁରୋହିତଙ୍କ ପୁଅ ଜିତେନ୍ଦ୍ର ପୁରୋହିତ(୩୬)। ୨ ବର୍ଷ ପୂର୍ବେ ଦୁର୍ବୃତ୍ତମାନେ ଜିତେନ୍ଦ୍ରଙ୍କ ଘର ଉପରକୁ ବୋମାମାଡ଼ କରିଥିବା ବେଳେ ଆଜି ହାଣି ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି। ନୀଳାଦ୍ରି ବିଜେ ପରେ ଏହି ହତ୍ୟାକାଣ୍ଡକୁ ନେଇ ଆଜି ଚର୍ଚ୍ଚା ଲାଗିରହିଛି।

ରବିବାର ସନ୍ଧ୍ୟା ସମୟରେ ପୁରୀରେ ଝିପିଝିପି ବର୍ଷା ହେଉଥିବାବେଳେ ଏହି ହତ୍ୟାକାଣ୍ଡ ଘଟିଛି। ସନ୍ଧ୍ୟାରେ ଜିତେନ୍ଦ୍ର ଓଡ଼ିଆ ମଠ ଛକର ଟୁଟୁ ସାହୁଙ୍କ ସହିତ ଶୌଚ ପାଇଁ ବଡ଼ ପୋଖରୀ ଜାଗାକୁ ଆସିଥିବାବେଳେ ଚାରି ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ବାଲି ସ୍କୁଲ ପାଖ ତିଆଡ଼ି ବଗିଚାର ସାଇରାମ ଲେନ୍‌ରେ ତାଙ୍କୁ କଟୁରୀରେ ହାଣି ହତ୍ୟା କରିଛନ୍ତି।

ଖବର ପାଇ ବାସେଳି ସାହି ଥାନା ଏସ୍ଆଇ ସୁଶାନ୍ତ ବେହେରା ଘଟଣାସ୍ଥଳରେ ପହଞ୍ଚି ଜିତେନ୍ଦ୍ରଙ୍କ ଶବକୁ ତାଙ୍କ ଭାଇ ଚନ୍ଦ୍ରଶେଖରଙ୍କ ସହାୟତାରେ ସଦର ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଜିତେନ୍ଦ୍ରଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

ଏନେଇ ଜିତେନ୍ଦ୍ରଙ୍କ ପରିବାର ଲୋକେ ଅଭିଯୋଗ କରିବାରୁ ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପରିବାର ଲୋକେ ଅଭିଯୋଗ କରିଛନ୍ତି ଯେ ଜିତେନ୍ଦ୍ର ସହିତ ଗେଡ଼ୁ ମୁଣ୍ଡି ଓରଫ ସୂର୍ଯ୍ୟନାରାୟଣ ବିଶ୍ବାଳ, ସାନମୁଣ୍ଡି ଓରଫ ଶିବନାରାୟଣ ବିଶ୍ବାଳ, ବୁବି ବିଶ୍ବାଳ ଓ ଜଗନ୍ନାଥ ବସ୍ତିର ଆଶିଷଙ୍କ ସମେତ ୮ ଜଣ ଦୁର୍ବୃତ୍ତ ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଅଛନ୍ତି।

ସେମାନେ ଅଭିଯୋଗ କରିଛନ୍ତି ଯେ ଗତ ୨୦୧୯ ମସିହାରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଜିତେନ୍ଦ୍ରଙ୍କ ଘର ଉପରକୁ ଗୋଡ଼ୁମୁଣ୍ଡି ପକ୍ଷରୁ ବୋମାମାଡ଼ ହୋଇଥିଲା। ଜିତେନ୍ଦ୍ର ଜଣେ ଶୋଲ କାରିଗର ହୋଇଥିବାବେଳେ ଗେଡ଼ୁ ମୁଣ୍ଡି ତାଙ୍କୁ ଦାଦାବଟି ମାଗୁଥିଲା। ଏହି ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ଶତ୍ରୁତା ରହିଥିଲା।

ସମ୍ବନ୍ଧିତ ଖବର