ଯୁବକଙ୍କୁ ମାରି ବିଲରେ ଫୋପାଡି଼ ଦେଲେ

ସମ୍ବଲପୁର : ସମ୍ବଲପୁର ଜିଲ୍ଲା ଶାସନ ଥାନା ଅଧୀନ ଗୁରୁପାଲି ଗ୍ରାମରେ ଜଣେ ଯୁବକଙ୍କୁ ହତ୍ୟା କରି ବିଲରେ ଫୋପାଡ଼ି ଦିଆଯାଇଛି। ଖବର ଲେଖା ଯିବା ଯାଏ ହତ୍ୟାର ପ୍ରକୃତ କାରଣ ଜଣାପଡିନାହିଁ। ଏ ନେଇ ଶାସନ ଥାନାରେ ଗୁରୁପାଲିର ପଞ୍ଚାନନ ବାଘ(୫୩) ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ପଞ୍ଚାନନଙ୍କ ଅଭିଯୋଗ ଅନୁଯାୟୀ ତାଙ୍କ ପୁଅ କୈଳାସ ବାଗ(୨୪) ମଙ୍ଗଳବାର କାଳେଶ୍ବର ଟିକ୍ରାର ଧ୍ରୁବରାଜ ନାୟକଙ୍କ ଚାଷ ଜମିରେ ଫସଲ କାଟିବା ପାଇଁ ଯାଇଥିଲେ। କିନ୍ତୁ ସନ୍ଧ୍ୟା ୬ଟା ସୁଦ୍ଧା ସେ ଘରକୁ ଫେରି ନଥିଲେ। ଘରକୁ ଫେରିବାରେ ବିଳମ୍ବ ହେବାରୁ ପଞ୍ଚାନନ ଫୋନ୍‌ ଯୋଗେ ତାଙ୍କ ପୁଅ କୈଳାସଙ୍କୁ ଯୋଗାଯୋଗ କରିବାକୁ ପ୍ରୟାସ କରିଥିଲେ। କିନ୍ତୁ ସେ ଉଠାଇ ନଥିଲେ। ଫଳରେ କୌଣସି ଉପାୟ ନପାଇ ପୁଅର ସାଙ୍ଗ କାଳେଶ୍ବର ଟିକ୍ରାର ଅକ୍ଷୟ ଓରାମକୁ କଲ୍‌ କରିଥିଲେ। କୈଳାସ ଘରକୁ ଆସିଥିଲେ ଏବଂ ସେ ତାଙ୍କ ସାଇକେଲ୍‌ ଓ ମୋବାଇଲ୍‌ ଫୋନ୍‌ ଏଠି ଛାଡ଼ିଦେଇ ଘରକୁ ଚାଲିଯାଇଥିବା ତାଙ୍କ ସାଙ୍ଗ ଅକ୍ଷୟ ଓରାମ କହିଥିଲେ। କିନ୍ତୁ ସେଦିନ କୈଳାସ ଆଉ ଘରକୁ ଫେରି ନଥିଲେ। ପରିବାର ଲୋକେ ରାତି ସାରା କୈଳାସଙ୍କୁ ଖୋଜାଖୋଜି କରି ପାଇ ନଥିଲେ। ବୁଧବାର ସକାଳେ କୈଳାସଙ୍କ ମୃତଦେହ ଗୁରୁପାଲି ଗ୍ରାମର ସୁନୀଲ ମିଶ୍ରଙ୍କ ଧାନ ବିଲରୁ ମିଳିଥିଲା। ଅକ୍ଷୟ ହିଁ କୈଳାସକୁ ହତ୍ୟା କରିଛି ବୋଲି ପଞ୍ଚାନନ ସନ୍ଦେହ କରୁଥିବା ପୁଲିସକୁ ଜଣାଇଛନ୍ତି।
ଅନ୍ୟପଟେ କୈଳାସଙ୍କ ଶରୀରରେ ୩/୪ଟି ଛୋଟ ଦାଗ ରହିଛି। ସେଭଳି ବଡ଼ ଧରଣର ଆଘାତ ଲାଗି ନଥିବାରୁ କିଭଳି କୈଳାସଙ୍କୁ ହତ୍ୟା କରାଯାଇଛି ସେ ନେଇ ପୁଲିସ ଦ୍ବନ୍ଦ୍ବରେ ରହିଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ପୁଲିସ କହିଛି। ଅନ୍ୟପଟେ ପ୍ରେମ ବ୍ୟାପାରକୁ ନେଇ କୈଳାସଙ୍କୁ ହତ୍ୟା କରାଯାଇଥିବା ଚର୍ଚ୍ଚା ଜୋର୍‌ ଧରିଥିବା ବେ​ଳେ ସବୁ ଦିଗକୁ ଦୃଷ୍ଟରେ ରଖି ତଦନ୍ତ ଜାରି ରହିଥିବା ଶାସନ ଥାନାଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର