ମାନେଶ୍ୱର : ସମ୍ବଲପୁର ଜିଲ୍ଲା ମାନେଶ୍ୱର ବ୍ଲକ୍ ଅନ୍ତର୍ଗତ ହାଲିପାଲିରେ ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି।
ପ୍ରାପ୍ତ ସୂଚନା ଅନୁସାରେ, ଯୁଯୁମୁରା ବ୍ଲକ କେଶାପାଲି ପଞ୍ଚାୟତ ଅଇଁଲାଝରଣ ଗ୍ରାମର ମାଧବ ବାଗଙ୍କ ପୁଅ ଦୁର୍ଲ୍ଲଭ ବାଗ (୩୮)ଗତ ୫ ବର୍ଷ ତଳେ ନିଜ ଗାଁରୁ ଚାଲିଆସି ହାଲିପାଲି ଗାଁରେ ରହୁଥିଲେ। ସେହିପରି ମାନେଶ୍ୱର ବ୍ଲକ କଣ୍ଟେଇପାଲି ଗାଁର ମାୟାଧର ବାଗ ମଧ୍ୟ କୌଣସି କାରଣରୁ ନିଜ ଗାଁ ଛାଡ଼ି ହାଲିପାଲିକୁ ଚାଲି ଆସିଥିଲେ। ଦୁର୍ଲ୍ଲଭ ଓ ମାୟାଧର ଦୁହେଁ ପାଖାପାଖି ମାଟି ତିଆରି ଘର କରି ସପରିବାର ରହୁଥିଲେ। ଉଭୟଙ୍କ ମଧ୍ୟରେ ଭଲ ସଂପର୍କ ମଧ୍ୟ ଥିଲା। ଗତ ବୁଧବାର ଦିନ ନାକଟିଦେଉଳ ପୁଲିସ କୌଣସି ଏକ ମାମଲାରେ ପଚରାଉଚରା କରିବା ପାଇଁ ମାୟାଧରକୁ ଥାନାକୁ ଡାକି ନେଇଥିଲା। ଏହି ସମୟ ମଧ୍ୟରେ ମାୟାଧରକୁ ଭେଟିବା ପାଇଁ ବି ସେଠାକୁ ଦୁର୍ଲ୍ଲଭ ଯାଇଥିଲେ। ତେବେ, ରବିବାର ପୂର୍ବାହ୍ନ ୧୧ଟାରେ ମାୟାଧର ହାଲିପାଲିକୁ ଫେରିଥିଲା।
ଗାଁ ଲୋକଙ୍କ କହିବା ଅନୁସାରେ, ସେ କୁଆଡ଼େ ପ୍ରଚୁର ମଦ୍ୟପାନ କରିଥିଲେ। ଅପରାହ୍ଣ ୧ଟାରେ କୌଣସି କାରଣରୁ ଦୁର୍ଲ୍ଲଭ ଓ ମାୟାଧରଙ୍କ ମଧ୍ୟରେ ବଚସା ହୋଇଥିଲା। ଉତ୍ତେଜିତ ହୋଇ ମାୟାଧର ଏକ ବାଡ଼ିରେ ଦୁର୍ଲ୍ଲଭଙ୍କ ମୁଣ୍ଡରେ ପ୍ରହାର କରିଥିଲା। ଫଳରେ ଦୁର୍ଲ୍ଲଭଙ୍କ ମୁଣ୍ଡ ଫାଟି ଯାଇଥିଲା ଏବଂ ସେ ତଳେ ପଡ଼ିଯାଇଥିଲା। ଏତିକିରେ ମାୟାଧରର ରାଗ ଶାନ୍ତ ହୋଇନଥିଲା। ସେ ଏକ ପଥରରେ ଦୁର୍ଲ୍ଲଭଙ୍କ ମୁଣ୍ଡକୁ ଛେଚି ଦେଇଥିଲା। ଘଟଣାସ୍ଥଳରେ ପ୍ରଚୁର ରକ୍ତସ୍ରାବ ହୋଇଥିବା ବେଳେ ସଂକଟାପନ୍ନ ଅବସ୍ଥାରେ ଚିକିତ୍ସା ପାଇଁ ଦୁଲ୍ଲର୍ଭଙ୍କୁ ତାଙ୍କ ପତ୍ନୀ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।
ସଦର ଥାନା ପୁଲିସ ସନ୍ଧ୍ୟାରେ ଖବର ପାଇ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି। ହତ୍ୟାକାଣ୍ଡ ପରେ ମାୟାଧର ହାଲିପାଲିରୁ ଫେରାର ହୋଇଯାଇଥିବା ବେଳେ ସଦର ଥାନା ପୁଲିସ କଣ୍ଟେଇପାଲିରୁ ତାକୁ ଧରିଆଣି ଥାନାରେ ଅଟକ ରଖିଛି। ହତ୍ୟାର କାରଣ ସ୍ପଷ୍ଟ ହୋଇନଥିଲେ ହେଁ ପରିକୀୟା ପ୍ରୀତିକୁ କେନ୍ଦ୍ର କରି ଏଭଳି ଘଟିଥିବା ଗାଁରେ ଚର୍ଚ୍ଚା ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/murder.jpg)