ସମ୍ବଲପୁର : ଛାତ ଉପରକୁ ଡାକି ଯୁବକଙ୍କୁ ହତ୍ୟା

ସମ୍ବଲପୁର : ଏକତରଫା ପ୍ରେମରୁ ଗଡ଼ିଲା ମୁଣ୍ଡ। ସମ୍ବଲପୁର ଅଇଁଠାପାଲି ଥାନା ପଛପାର୍ଶ୍ବରେ ଥିବା କରମଟୁଲି ଅଞ୍ଚଳରେ ରବିବାର ବିଳମ୍ବିତ ରାତିରେ ଜଣେ ଯୁବକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ଯୁବକଙ୍କ ଜଣେ ସାଙ୍ଗ ମଧ୍ୟ ଏହି ଘଟଣାରେ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ବୁର୍ଲା ବଡ଼ଡାକ୍ତରଖାନାରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଛି। ମୃତକ ହେଲେ କରମଟୁଲିର ସୋନୁ ଖାଡ଼ିଆ(୨୧)। ଆହତଙ୍କ ନାମ ଉମେଶ ମୁଣ୍ଡା(୨୧)। ସେ ଆଇସିୟୁରେ ଅଛନ୍ତି। ଅଇଁଠାପାଲି ପୁଲିସ୍‌ ଏକ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତ ନରେଶ ଓରାମ(୨୦), ପ୍ରଦୀପ ମୁଣ୍ଡା(୩୨) ଓ ଅନ୍ୟ ଜଣେ ନାବାଳକକୁ ଗିରଫ କରିଛି। ଫରେନ୍‌ସିକ୍‌ ଟିମ୍‌ ଘଟଣାସ୍ଥଳରେ ଛାନଭିନ୍ କରୁଛି।

ସ୍ଥାନୀୟ ଲୋକଙ୍କ ସୂଚନା ଅନୁସାରେ, ଅଭିଯୁକ୍ତ ନରେଶ ଓରାମ ଅଇଁଠାପାଲି ଅଞ୍ଚଳର ଜଣେ ଯୁବତୀଙ୍କୁ ଦୀର୍ଘଦିନ ହେବ ଏକତରଫା ପ୍ରେମ କରିଆସୁଥିଲା। ସେପଟେ, ମୁକେଶ ଘର ସମ୍ମୁଖରେ ରହୁଥିବା ସୋନୁ କିନ୍ତୁ ଉକ୍ତ ଝିଅ ସହ ମିଳାମିଶା କରୁଥିଲା। ଏହି ଘଟଣାକୁ ନେଇ ନରେଶ ଓ ସୋନୁ ମଧ୍ୟରେ ବିବାଦ ଥିଲା। ରବିବାର ରାତିରେ ନରେଶ ଘର ଛାତ ଉପରେ ନରେଶ ଓ ଅନ୍ୟ ଅଭିଯୁ୍କ୍ତମାନଙ୍କ ସମେତ ୧୩ ଜଣ ଯୁବକ ବସି ମଦ୍ୟପାନ କରିଥିଲେ। ଏହାପରେ ଉକ୍ତ ଯୁବତୀଙ୍କ ପ୍ରସଙ୍ଗକୁ ନେଇ ଯୁକ୍ତିତର୍କ ଆରମ୍ଭ ହୋଇଥିଲା। ଏହା ଭିତରେ ନରେଶ ଗୋଷ୍ଠୀର କେହି ଜଣେ ଏକ ଧାରୁଆ ଅସ୍ତ୍ରରେ ସୋନୁଙ୍କ ପେଟକୁ ଆକ୍ରମଣ କରିଥିଲା। ସେଠାରେ ଉପସ୍ଥିତ ଉମେଶ ମୁଣ୍ଡା ଏହାକୁ ବିରୋଧ କରିବାରୁ ଯୁବକମାନେ ତାଙ୍କୁ ମଧ୍ୟ ପ୍ରାଣାନ୍ତକ ଆକ୍ରମଣ କରିଥିଲେ।

ସୋନୁ ଘଟଣାସ୍ଥଳରେ ଟଳି ପଡ଼ିବା ପରେ ଅଭିଯୁକ୍ତମାନେ ଛାତରୁ ଡେଇଁ ଘଟଣାସ୍ଥଳରୁ ଫେରାର୍‌ ହୋଇଯାଇଥିଲେ। ପରେ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

ସମ୍ବନ୍ଧିତ ଖବର