ବୋରିଗୁମ୍ମା: ବୋରିଗୁମ୍ମା ଥାନା ଅନ୍ତର୍ଗତ ବଡ଼ପିଣ୍ଡାପଦର ଗାଁରେ ଅଭାବନୀୟ ଘଟଣା ଘଟିଛି। ଭିଡ଼ ଭିତରେ ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ମୃତକ ସେହି ଗାଁର ଲୁକୁନାଥ ଗାଦବା ବୋଲି ସୂଚନା ମିଳିଛି। ଆଜି ସକାଳେ ଥାନାରେ ଏତଲା ଦିଆଯିବାରୁ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଗତକାଲି ରାତିରେ ଚୈତ୍ରପର୍ବ ଅବସରରେ ଗାଁରେ ନାଟକ ଚାଲିଥିଲା। ଏଥିପାଇଁ ଗାଁରେ ଭିଡ଼ ରହିଥିଲା। ତେବେ କୌଣସି କଥାକୁ ନେଇ ଲୁକୁନାଥ ଏବଂ ଗାଁର ରମେଶ ଗୌଡ଼ଙ୍କ ମଧ୍ୟରେ ବଚସା ଆରମ୍ଭ ହୋଇଥିଲା। ପରବର୍ତ୍ତୀ ସମୟରେ ଏହା ଉଗ୍ର ରୂପ ନେବାରୁ ରମେଶ ଗୋଟିଏ ଧାରୁଆ ଅସ୍ତ୍ରରେ ଲୁକୁନାଥଙ୍କୁ ଆକ୍ରମଣ କରିଥିଲା। ଯାହାଫଳରେ ପ୍ରବଳ ରକ୍ତସ୍ରାବ ହୋଇ ଘଟଣାସ୍ଥଳରେ ଅଚେତ ହୋଇଯାଇଥିଲେ ଲୁକୁନାଥ। ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରି ପ୍ରଥମେ ବୋରିଗୁମ୍ମା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ସତ୍ତ୍ବେ ସ୍ବାସ୍ଥ୍ୟାବସ୍ଥାରେ କୌଣସି ପରିବର୍ତ୍ତନ ହୋଇନଥିଲା। ତେଣୁ ଡାକ୍ତରଙ୍କ ପରାମର୍ଶ କ୍ରମେ କୋରାପୁଟ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। 

Advertisment

ଆଜି ସକାଳେ ଚିକିତ୍ସାଧୀନ ଅବସ୍ଥାରେ ଲୁକୁନାଥଙ୍କ ମୃତ୍ୟୁ ହୋଇଛି। ଏ ନେଇ ତାଙ୍କ ଭାଇ ରତନ ଗାଦବା ବୋରିଗୁମ୍ମା ଥାନାରେ ଆଜି ସକାଳେ ଏତଲା ଦେଇଥିଲେ। ପୁଲିସ ଗାଁକୁ ଯାଇ ତଦନ୍ତ ଆରମ୍ଭ କରିବା ସହ ଅଭିଯୋଗ ଆଧାରରେ ଅଭିଯୁକ୍ତ ରମେଶ ଗୌଡ଼କୁ ଥାନାରେ ଅଟକ ରଖିଛି। ତଦନ୍ତରେ ସାଇଣ୍ଟିଫିକ୍‌ ଟିମ୍‌ର ସହାୟତା ନିଆଯାଇଛି। ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯିବ ବୋଲି ବୋରିଗୁମ୍ମା ଥାନା ଅଧିକାରୀ ଶ୍ବେତପଦ୍ମା ସେଠ୍‌ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ସରପଞ୍ଚ ଭଗବାନ ଜାନି ଦୁଃଖ ପ୍ରକାଶ କରି ଘଟଣାର ନିରପେକ୍ଷ ତଦନ୍ତ ନିମନ୍ତେ ଦାବି କରିଛନ୍ତି।