ସୁନ୍ଦରଗଡ଼/ଲେଫ୍ରିପଡ଼ା: ଶନିବାର ଲେଫ୍ରିପଡ଼ା ଥାନା ରାଇଡ଼ିହି ଜଙ୍ଗଲରେ ରଙ୍କନିଧି ଓରାମଙ୍କୁ ହତ୍ୟା ମାମଲାରେ ପୁଲିସ ମାତ୍ର କିଛି ଘଣ୍ଟା ମଧ୍ୟରେ ଅଭିଯୁକ୍ତ ଲେଫ୍ରିପଡ଼ା ଥାନା ବିଜାଡିହିର ଡୁଲେଶ୍ବର ଗନ୍ଧା ଓରଫ ଉମାକାନ୍ତ (୪୫)କୁ ଧରିବାରେ ସକ୍ଷମ ହୋଇଛି। ହତ୍ୟାକାଣ୍ଡ ଘଟାଇବା ପରେ ଅଭିଯୁକ୍ତ ଫେରାର ହେବାକୁ ଉଦ୍ୟମ କରିଥିଲା। ପୁଲିସ ତାକୁ ଝାରସୁଗୁଡ଼ାରୁ ଗିରଫ କରି କୋର୍ଟ ଚାଲାଣ କରିଛି। ଡୁଲେଶ୍ବର ଏହା ପୂର୍ବରୁ ୨୦୧୮ରେ ନିଜ ବାପାଙ୍କୁ ହତ୍ୟା କରିଥିଲା। କୋର୍ଟ ତାକୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ଶୁଣାଇଥିଲେ। ଦଣ୍ଡାଦେଶ ବିରୋଧରେ ସେ ହାଇକୋର୍ଟ ଯାଇଥିଲା। ହାଇକୋର୍ଟ ତାକୁ ନିର୍ଦ୍ଦୋଷରେ ଖଲାସ କରିବା ପରେ ୨୦୨୩ରେ ମୁକୁଳି ଘରକୁ ଆସିଥିଲା। ଏବେ ପୁଣି ହତ୍ୟା ଅଭିଯୋଗରେ ଜେଲ୍ ଯାଇଛି। ଜୁଆଖେଳ ଗଣ୍ଡଗୋଳରୁ ହତ୍ୟାକାଣ୍ଡ ଘଟିଥିବା ଉପଖଣ୍ଡ ଆରକ୍ଷୀ ଅଧିକାରୀ ନିର୍ମଳ ମହାପାତ୍ର ସ୍ପଷ୍ଟ କରିଛନ୍ତି। 

Advertisment

ହେମଗିର ଥାନା ବିହାଯୋରର ରଙ୍କନିଧି ଓରାମ ଓରଫ ଆନନ୍ଦ (୪୩) ଶୁକ୍ରବାର ସନ୍ଧ୍ୟାରେ ଘରୁ ବାହାରି ରାଇଡ଼ିହି ଜଙ୍ଗଲକୁ ଜୁଆ ଖେଳିବାକୁ ଆସିଥିଲେ। ରାତିରେ ୬ ଜଣ ବସି ଜୁଆ ଖେଳୁଥିବାବେଳେ ହାରଜିତକୁ ନେଇ ଝଗଡ଼ା ହୋଇଥିଲା। ୪ ଜଣ ଖେଳ ଛାଡ଼ି ଚାଲି ଯାଇଥିବାବେଳେ ଅଭିଯୁକ୍ତ ଡୁଲେଶ୍ବର ଓ ରଙ୍କନିଧି ଖେଳ ଜାରି ରଖିଥିଲେ। ଶନିବାର ଭୋର୍ ସମୟରେ ଦୁହିଁଙ୍କ ମଧ୍ୟରେ ଝଗଡ଼ା, ମାଡ଼ପିଟ୍ ହୋଇଥିଲା। ଡୁଲେଶ୍ବର ଅତର୍କିତ ଭାବେ ପଥରରେ ରଙ୍କନିଧିଙ୍କୁ ଆକ୍ରମଣ କରିଥିଲା ଏବଂ ମୁହଁ ଓ ମୁଣ୍ଡକୁ ଛେଚି ଫେରାର ହୋଇ ଯାଇଥିଲା। ଘଟଣାସ୍ଥଳରେ ହିଁ ରଙ୍କନିଧିଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ଜୁଆଖେଳରୁ ହତ୍ୟାକାଣ୍ଡ ହୋଇଥିବା ଜାଣିବା ପରେ ପୁଲିସ ସାଇଣ୍ଟିଫିକ ଟିମ୍‌ ଓ ସନ୍ଧନୀ କୁକୁର ସହାୟତାରେ ଅଭିଯୁକ୍ତ ପାଖରେ ପହଞ୍ଚିଥିଲା।