ଭୁବନେଶ୍ବର: ‘ଆମ ଓଡ଼ିଶା’ର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକଙ୍କ ୭୪ତମ ଜନ୍ମଦିନକୁ ସାରା ରାଜ୍ୟରେ ଆଜି ‘ଯୁବ ସ୍ବାଭିମାନ ଦିବସ’ ରୂପେ ପାଳନ କରାଯାଇଛି। ଆଜି ସମସ୍ତ ଜିଲ୍ଲାରେ ସବୁ ବର୍ଗର ‌େଲାକଙ୍କ ମଧ୍ୟରେ ରକ୍ତଦାନ ପାଇଁ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା। ରାଜ୍ୟର କୌଣସି ରକ୍ତ କେନ୍ଦ୍ରରେ ଯେପରି ରକ୍ତର ଅଭାବ ନରହେ, ତାହାକୁ ନଜରରେ ରଖି ଅଗଷ୍ଟ ୧୭ ଓ ୧୮ରେ ରାଜ୍ୟର ସମସ୍ତ ରକ୍ତ କେନ୍ଦ୍ର ସହାୟତାରେ ୭୬ଟି ସ୍ଥାନରେ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ଏଥିରେ ମୋଟ୍‌ ୪୧୦୯ ୟୁନିଟ୍ ରକ୍ତ ସଂଗ୍ରହ ହୋଇଛି। ଗତବର୍ଷ ଏହି କାର୍ଯ୍ୟକ୍ରମରେ ୭୦ଟି ଶିବିରରୁ ୩୯୮୧ ୟୁନିଟ୍‌ ରକ୍ତ ସଂଗ୍ରହ ହୋଇଥିଲା। 
Advertisment
‘ସମ୍ବାଦ’ର ୯ଟି ଜୋନ୍‌ରେ ‘ଆମ ଓଡ଼ିଶା’ ପକ୍ଷରୁ ବିଭିନ୍ନ ଅନୁଷ୍ଠାନ ସହଯୋଗରେ ୩୦ଟି ଜିଲ୍ଲାରେ ଏହି ୭୬ଟି ଶିବିର ଆୟୋଜନ କରାଯାଇଥିଲା। ଏଥିରେ ରକ୍ତ ଦେବାକୁ ଯୁବପିଢ଼ିଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଥିଲା।  ଚଳିତ ବର୍ଷ କଟକ ଜୋନ୍‌ର କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ ଦାନପୁର ପଞ୍ଚାୟତ କେଶରପୁରସ୍ଥିତ କଳିଙ୍ଗ ଆବାସିକ ବିଦ୍ୟାଳୟ ଭବନ ଶିବିରରୁ ସର୍ବାଧିକ ୩୫୬ ୟୁନିଟ୍‌ ରକ୍ତ ସଂଗୃହୀତ ହୋଇଥିବାବେଳେ କଟକର ବିଦ୍ୟାଧରପୁରସ୍ଥିତ ଗ୍ଲୋବାଲ ଇଣ୍ଟରନ୍ୟାସନାଲ ସ୍କୁଲ ଶିବିରରୁ ୨୬୦ ୟୁନିଟ୍‌, ସମ୍ବଲପୁରର ଠେଲ୍‌କୁଲିସ୍ଥିତ ଜେଏସ୍‌ଡବ୍ଲ୍ୟୁ ବିପିଏସ୍‌ଏଲ୍‌ ଶିବିରରୁ ୨୨୦ ୟୁନିଟ୍‌, ବାଲେଶ୍ବର ସଦର ବ୍ଲକର କେ.ଟି. ମେରାଇନ୍, ଚାନ୍ଦିପୁର ଶିବିରରୁ ୧୭୮ ୟୁନିଟ୍‌, ବାଲେଶ୍ବରସ୍ଥିତ ସମ୍ବାଦ କାର୍ଯ୍ୟାଳୟ ଶିବିରରୁ ୧୦୩ୟୁନିଟ୍‌, ବାରିପଦାସ୍ଥିତ ଓଏସ୍‌ଏପି ୫ମ ବାଟାଲିଅନ ଶିବିରରୁ ୧୦୩ୟୁନିଟ୍‌, ରାଉରକେଲାର ଓଡ଼ିଶା ରକ୍ତ କେନ୍ଦ୍ର ଶିବିରରୁ ୧୦୨ୟୁନିଟ, କଟକର ବୟାଳିଶ ମୌଜା କଲ୍ୟାଣ ମଣ୍ଡପ ଶିବିରରୁ ୧୦୧ ୟୁନିଟ, ବରଗଡ଼ସ୍ଥିତ ବିକାଶ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁସନ୍‌ସ ଶିବିରରୁ ୧୦୧ୟୁନିଟ, ବଲାଙ୍ଗୀରର ଜେଆଇଟିଏମ୍ ଶିବିରରୁ ୧୦୧ୟୁନିଟ ରକ୍ତ ସଂଗୃହୀତ ହୋଇଛି। 
ଚଳିତବର୍ଷ ସମ୍ବଲପୁର୍‌ ଜୋନ୍‌ରେ ୨୧ଟି ଶିବିିରରୁ ୧୦୭୮ ୟୁନିଟ୍‌ ରକ୍ତ ସଂଗ୍ରହ ହୋଇଛି। କଟକ ଜୋନ୍‌ରେ ୮ଟି ଶିବିିରରୁ ୯୦୨ ୟୁନିଟ, ବାଲେଶ୍ବର ଜୋନ୍‌ରେ ୧୪ଟି ଶିବିରରୁ ୭୬୧ୟୁନିଟ, ଯାଜପୁର ଜୋନ୍‌ରେ ୭ଟି ଶିବିରରୁ ୨୬୭ ୟୁନିଟ୍, ଜୟପୁର ଜୋନ୍‌ରେ ୬ଟି ଶିବରରୁ ୨୬୬ୟୁନିଟ, ଭୁବନେଶ୍ବର ଜୋନ୍‌ରେ ୬ଟି ଶିବିରରୁ ୨୭୭ ୟୁନିଟ, ବ୍ରହ୍ମପୁର ଜୋନ୍‌ରେ ୫ଟି ଶିବିରରୁ ୧୨୬ ୟୁନିଟ, ରାଉରକେଲା ଜୋନ୍‌ରେ ୪ଟି ଶିବିରରୁ ୨୨୬ ୟୁନିଟ, ଅନୁଗୁଳ ଜୋନ୍‌ରେ ୫ଟି ଶିବିରରୁ ୨୦୬ ୟୁନିଟ ରକ୍ତ ସଂଗୃହୀତ ହୋଇଛି।  ଏହାଦ୍ବାରା ରାଜ୍ୟର ସମସ୍ତ ରକ୍ତ କେନ୍ଦ୍ର ଏହି କାର୍ଯ୍ୟକ୍ରମରେ ଯୋଗଦେଇ ସେମାନଙ୍କର ଆବଶ୍ୟକୀୟ ପରିମାଣର ରକ୍ତ ସଂଗ୍ରହ କରପାରିଛନ୍ତି। ରାଜ୍ୟ ରକ୍ତ ସଂଚାଳନ ପରିଷଦ ଓ ରାଜ୍ୟର ସମସ୍ତ ରକ୍ତକେନ୍ଦ୍ରଗୁଡ଼ିକର ସହାୟତାରେ ଶିବିରଗୁଡ଼ିକ ଅନୁଷ୍ଠିତ ହୋଇଥିଲା। ବିଭିନ୍ନ ଅନୁଷ୍ଠାରର କର୍ମକର୍ତ୍ତା ଏବଂ ‘ସମ୍ବାଦ’ ଓ ‘ଆମ ଓଡ଼ିଶା’ର ସଦସ୍ୟମାନଙ୍କ ଦ୍ବାରା ଶିବିର ପରିଚାଳନା କରାଯାଇଥିଲା।
ଯୁବ ସ୍ବାଭିମାନ ଦିବସରେ ରକ୍ତଦାନ କାର୍ଯ୍ୟକ୍ରମର ସଫଳତା ପାଇଁ ‘ଆମ ଓଡ଼ିଶା’ ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ ରକ୍ତଦାତା, ସହଯୋଗୀ ଅନୁଷ୍ଠାନ ଓ ସ୍ବେଚ୍ଛାସେବୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।
ସୂଚନା ଥାଉ କି, ଆମ ଓଡ଼ିଶା କ୍ରମାଗତ ଭାବେ ୨୦ବର୍ଷ ଧରି ସାରା ରାଜ୍ୟରେ ରକ୍ତଦାନ ଶିବିର ଆୟୋଜନ କରି ସ୍ବେଚ୍ଛାକୃତ ରକ୍ତଦାନ କ୍ଷେତ୍ରରେ ବିପୁଳ ଜନ‌ସଚେତନତା‌ ସୃଷ୍ଟି କରିପାରିଛି। ଏହି କ୍ରମରେ ଚଳିତବର୍ଷ ମାତ୍ର ସାଢ଼େ ୭ମାସ ମଧ୍ୟରେ ୪୪,୭୪୪ ୟୁନିଟ୍‌ ରକ୍ତ ସଂଗ୍ରହ ହୋଇସାରିଲାଣି।