କେନ୍ଦ୍ରାପଡା : ସଂଘର୍ଷ କରି କୁମ୍ଭୀର ମୁହଁରୁ ବର୍ତ୍ତିଲେ ଯୁବକ

କେନ୍ଦ୍ରାପଡା : କେନ୍ଦ୍ରାପଡ଼ା ବ୍ଲକ୍ ଇନ୍ଦୁପୁର ନିକଟ ବିରୂପା ନଈରେ ଆଜି ଏକ କୁମ୍ଭୀର ମୁହଁରୁ ଜଣେ ଯୁବକ ଅଳ୍ପକେ ବର୍ତ୍ତି ଯାଇଛନ୍ତି। କୁମ୍ଭୀର ତାଙ୍କ ଗୋଡ଼କୁ କାମୁଡ଼ି ଧରିଥିବା ବେଳେ ସେ ସଂଘର୍ଷ କରି ନିଜ ଜୀବନ ବଞ୍ଚାଇ ପାରିଛନ୍ତି। ଯୁବକଙ୍କ ନାମ ସର୍ବେଶ୍ବର ଜେନା ବୋଲି ଜଣାଯାଇଛି।

ସର୍ବେଶ୍ବର ଜଣେ ଗାଈଚରାଳି। ଆଜି ଅପରାହ୍ନ ପ୍ରାୟ ୩ଟା ସମୟରେ ସେ ଗୋଟିଏ ଗାଈର ଲାଞ୍ଜ ଧରି ଭରାନଦୀ ପାର ହେଉଥିବା ବେଳେ ଏକ କୁମ୍ଭୀର ତାଙ୍କୁ ହଠାତ୍ ଆକ୍ରମଣ କରିଥିଲା। ତାଙ୍କ ବାମ ଗୋଡ଼କୁ ଟାଣି ନେଇଥିଲା। ସର୍ବେଶ୍ବର କିଛି ବଡ଼ ବିପଦ ଜାଣିପାରି ଡାହାଣ ଗୋଡ଼କୁ ଖୁବ୍ ଜୋରରେ ପ୍ରହାର କରିଥିଲେ। କୁମ୍ଭୀରଟି ମଧ୍ୟ ତାଙ୍କ ଗୋଡ଼କୁ କାମୁଡ଼ି ଧରିଥିଲା। ତେବେ ସର୍ବେଶ୍ବର ଗାଈକୁ ଛାଡ଼ି ଛାଟିପିଟି ହୋଇ କୌଣସି ମତେ ପହଁରି ପହଁରି ଅଳ୍ପ ଦୂରରେ ଥିବା ନଈ କୂଳରେ ପହଞ୍ଚି ଯାଇଥିଲେ। ଗାଈମାନେ ମଧ୍ୟ ଆସନ୍ନ ବିପଦ ଜାଣି ହମ୍ବା ରଡ଼ି ପକାଇଥିଲେ। ନଈ ପାର ହୋଇ କୂଳକୁ ଉଠି ଆସିଥିଲେ। ସର୍ବେଶ୍ବରଙ୍କ ଚିତ୍କାର ଶୁଣି ଆଖପାଖର ଲୋକେ ସେଠାକୁ ଦୌଡ଼ି ଆସିଥିଲେ। ସର୍ବେଶ୍ବରଙ୍କୁ ଉଦ୍ଧାର କରାଯାଇ ଇନ୍ଦୁପୁର ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସର୍ବେଶ୍ବରଙ୍କ ଦୁଇ ଗୋଡ଼ରେ ଅନ୍ୟୂନ ୬୦ଟି ଷ୍ଟିଚ୍ ପଡ଼ିଛି।

ସମ୍ବନ୍ଧିତ ଖବର