ସମ୍ବଲପୁର : ସମ୍ବଲପୁର ଟାଉନ୍‌ ଥାନା ଅନ୍ତର୍ଗତ ମହାନଦୀ ଦ୍ବିତୀୟ ବ୍ରିଜରୁ ଡେଇଁ ରବିବାର ଅପରାହ୍ଣରେ ଜଣେ ଯୁବକ ଆତ୍ମହତ୍ୟା ଉଦ୍ୟମ କରିଥିବା ଘଟଣା ସମଗ୍ର ସହରରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ଯୁବକଜଣଙ୍କ ସ୍ଥାନୀୟ କୁଲୁଥକାନିର ସୌରଭ ଧର(୨୯)। ସୂଚନା ପାଇ ଘଟଣାସ୍ଥଳରେ ପୁଲିସ୍‌, ଅଗ୍ନିଶମ ବାହିନୀ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ଘଟଣାସ୍ଥଳରେ ସୌରଭଙ୍କ ବାପା ଓ ପରିବାର ଲୋକ ମଧ୍ୟ ପହଞ୍ଚିଥିଲେ। ୨ ଦିନ ହେବ ସେ ମାନସିକ ଚାପରେ ଥିବାରୁ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ପରିବାର ଲୋକେ ଗଣମାଧ୍ୟମ ଓ ପୁଲିସ୍‌କୁ ସୂଚନା ଦେଇଥିଲେ। ସେପଟେ, ଘଟଣା ଦେଖିଥିବା ଜଣେ ମତ୍ସ୍ୟଜୀବୀ ମଧ୍ୟ ପୁଲିସ୍‌କୁ ସୂଚନା ଦେଇ ସୌରଭ ସକାଳୁ ମଧ୍ୟ ଆତ୍ମହତ୍ୟା ଉଦ୍ୟମ କରିଥିଲେ ଓ ପୁଲିସ୍‌ ତାଙ୍କୁ ଅଟକାଇଥିବା ନେଇ କହିଛନ୍ତି। ତେବେ ଏହାରି ଭିତରେ ଦେଢ଼ ଘଣ୍ଟା ପରେ ଉକ୍ତ ଯୁବକଙ୍କୁ ଧନୁପାଲି ଥାନା ଅନ୍ତର୍ଗତ ମହାନଦୀର ଶଙ୍କର ମଠ ଘାଟରୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ଘଟଣା ସମ୍ପର୍କରେ ସୌରଭଙ୍କୁ ପଚାରିବାରେ, ମହାନଦୀ ବ୍ରିଜ୍‌ର ବାଡ଼ ଉପରେ ସେ ବସିଥିବା ସମୟରେ ଅସାବଧାନତାବଶତଃ ଗଳି ପଡ଼ିଥିବା ନେଇ ‘ସମ୍ବାଦ’କୁ ସୂଚନା ଦେଇଥିଲେ। ଏହାସହିତ ସେ ପହଁରା ଜାଣିଥିବାରୁ ବର୍ତ୍ତି ଯାଇଥିବା କହିଥିଲେ। ସେପଟେ ଆତ୍ମହତ୍ୟା ଉଦ୍ୟମ ଘଟଣାକୁ ସୌରଭ ଖଣ୍ଡନ ମଧ୍ୟ କରିଥିଲେ।

Advertisment

ରବିବାର ଦିନ ୩ ଟା ୫୩ ମିନିଟ୍‌ରେ ସୌରଭଙ୍କ ବାପା କୃଷ୍ଣଚନ୍ଦ୍ର ଧରଙ୍କୁ ପୁଅର ମୋବାଇଲ୍‌ ନଂରୁ ଏକ ଫୋନ୍‌ କଲ୍‌ ଆସିଥିଲା। ଉକ୍ତ ଫୋନ୍‌ ଅନ୍ୟ ଜଣେ ବ୍ୟକ୍ତି ଧରିଥିବା ସମୟରେ, ‘ଆପଣଙ୍କ ପୁଅ ନଦୀକୁ ଡେଇଁପଡ଼ିଛି, ଶୀଘ୍ର ଆସନ୍ତୁ’ ବୋଲି କହିଥିଲେ। ଖବର ଶୁଣି ଶ୍ରୀ ଧର ଓ ତାଙ୍କ ବନ୍ଧୁବାନ୍ଧବ ମହାନଦୀ ଦ୍ବିତୀୟ ବ୍ରିଜରେ ପହଞ୍ଚିଥିଲେ। ଖୋଜାଖୋଜି କରିବା ପରେ ସେଠାରେ ସୌରଭଙ୍କ ଚପଲ, ରୁମାଲ ଓ ମାସ୍କ ମିଳିଥିଲା। କିନ୍ତୁ ତାଙ୍କ ମୋବାଇଲ୍‌ଟି ମିଳିନଥିଲା। ଉକ୍ତ ନମ୍ବରରେ ଫୋନ୍‌ କରିବା ପରେ ତାହା ସୁଇଚ୍‌ ଅଫ୍‌ ବୋଲି କହୁଥିଲା। ସୂଚନା ପାଇ ଟାଉନ୍‌ ଥାନା ପୁଲିସ୍‌ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଥିଲେ। ହୀରାକୁଦର ୧୨ଟି ଗେଟ୍‌ ଖୋଲାଥିବାରୁ ମହାନଦୀରେ ପାଣିର ସୁଅ ବେଶ୍‌ ଅଧିକ ରହିଥିଲା। ତେଣୁ ସଙ୍ଗେସଙ୍ଗେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇପାରି ନ ଥିଲା। ଏହାରି ଭିତରେ ସୌରଭଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ଘରକୁ ଅଣାଯାଇଥିବା କଥା ଜଣାପଡ଼ିଥିଲା।