ଗରଦପୁର: କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ଅନ୍ତର୍ଗତ ହରିଦାସପୁର ଗ୍ରାମର ଚିତ୍ରୋତ୍ପଳା ନଦୀବନ୍ଧରେ ଗତକାଲି ରାତିରେ ଦୁର୍ବୃତ୍ତମାନେ ଗୋଡ଼ାଇ ଗୋଡ଼ାଇ ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି। ମୃତ ଯୁବକ ହରିଦାସପୁର ଗ୍ରାମର ଜ୍ୟୋତିରଞ୍ଜନ ପରିଡ଼ା(୨୦)। ଆଜି କେନ୍ଦ୍ରାପଡ଼ା ଏସ୍ପି ସିଦ୍ଧାର୍ଥ କଟାରିଆ, କେନ୍ଦ୍ରାପଡ଼ା ଏସ୍ଡିପିଓ ଜ୍ୟୋତିରଞ୍ଜନ ଗୌଡ଼, ପାଟକୁରା ଥାନାଧିକାରୀ ମହମ୍ମଦ ଜମ୍ସେଦ୍ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ କରିଛନ୍ତି।
ଗତକାଲି ଜ୍ୟୋତିରଞ୍ଜନ ଓ ତାଙ୍କ ଭାଇ ରଶ୍ମିରଞ୍ଜନ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବା ପାଇଁ ଗାଁ ନିକଟ ଶନିଦେବଙ୍କ ପୀଠକୁ ଯାଇଥିଲେ। ବିଳମ୍ବିତ ରାତିରେ ଫେରୁଥିଲା ବେଳେ ନଦୀବନ୍ଧରେ ପୂର୍ବରୁ ଲୁଚି ରହିଥିବା ଦୁର୍ବୃତ୍ତମାନେ ହଠାତ୍ ଜ୍ୟୋତିରଞ୍ଜନଙ୍କୁ ଆକ୍ରମଣ କରିଥିଲେ। କେତେକ ଗାଁ ଲୋକ ତାଙ୍କୁ ଉଦ୍ଧାର କରିବା ପାଇଁ ଘଟଣାସ୍ଥଳକୁ ଯାଇଥିଲେ। ମାତ୍ର ଅପରାଧୀଙ୍କ ଆକ୍ରମଣରେ ଗ୍ରାମର କାମାକ୍ଷାପ୍ରସାଦ ରାଉତରାୟ(୩୪) ଓ ରାଜେଶ ମାଝୀ(୨୬) ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ ମୁଣ୍ଡ ଓ ହାତରେ ଗଭୀର ଆଘାତ ଲାଗିଛି। ଦୁଇଜଣ କେନ୍ଦ୍ରାପଡ଼ା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏ ସମ୍ପର୍କରେ ଜ୍ୟୋତିରଞ୍ଜନଙ୍କ ଭାଇ ରଶ୍ମିରଞ୍ଜନ ପାଟକୁରା ଥାନାରେ ଲିଖିତ ଅଭିଯୋଗ କରିବା ପରେ ଏକ ହତ୍ୟା ମାମଲା ରୁଜୁ କରାଯାଇଛି।
ଉଦ୍ଧାର ପାଇଁ ଯାଇଥିବା ୨ ଯୁବକ ଗୁରୁତର
୫ ଅଟକ; ଠେଙ୍ଗା, ରକ୍ତଭିଜା ସାର୍ଟ ଜବତ
ଅଭିଯୋଗ ମୁତାବକ, ଶନିଦେବଙ୍କ ପୀଠରେ ଯାତ୍ରା ଚାଲିଥିଲା ବେଳେ କୌଣସି କାରଣରୁ ପାଟିତୁଣ୍ଡ ହୋଇଥିଲା। ଜ୍ୟୋତିରଞ୍ଜନଙ୍କୁ ଘରକୁ ପଠାଇବାର କିଛି ସମୟ ପରେ ରଶ୍ମିରଞ୍ଜନ ଘରକୁ ଫେରୁଥିଲେ। ବାଟରେ ଭାଇଙ୍କୁ କେତେକ ଦୁର୍ବୃତ୍ତ ହତ୍ୟା କରିଥିବା ସେ ଦେଖିଥିଲେ। ପାଟକୁରା ପୁଲିସ ଘଟଣାସ୍ଥଳରେ ପହଞ୍ଚି ରକ୍ତ ଜୁଡ଼ୁବୁଡ଼ୁ ଜ୍ୟୋତିରଞ୍ଜନଙ୍କୁ ଉଦ୍ଧାର କରି ପ୍ରଥମେ ପାଟକୁରା ଓ ପରେ କେନ୍ଦ୍ରାପଡ଼ା ଡାକ୍ତରଖାନାକୁ ନେଇଥିଲା। ହେଲେ, ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଶବ ବ୍ୟବଚ୍ଛେଦ ପରେ ଗ୍ରାମ ଶ୍ମଶାନରେ ଆଜି ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି। ଏ ସମ୍ପର୍କରେ କେନ୍ଦ୍ରାପଡ଼ା ଏସ୍ପି ଶ୍ରୀ କଟାରିଆ କହିଛନ୍ତି, ଜ୍ୟୋତିରଞ୍ଜନଙ୍କୁ ହତ୍ୟାର କାରଣ ସମ୍ପର୍କରେ ତଦନ୍ତ କରାଯାଉଛି।ହତ୍ୟାକାରୀଙ୍କୁ ଧରିବା ପାଇଁ ତିନିଟି ଟିମ୍ ଗଠନ କରାଯାଇଥିଲା ବେଳେ ସନ୍ଦେହରେ ୫ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରାଯାଉଛି। ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ କଟାରିଆ କହିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ ଆଜି ଦୁଇଭାଇଙ୍କ ବ୍ରତୋପନୟନ ପାଇଁ ଆବଶ୍ୟକ ପ୍ରସ୍ତୁତି କରାଯାଇଥିଲା। ବନ୍ଧୁବାନ୍ଧବ ଘରେ ପହଞ୍ଚିଥିଲେ। ହେଲେ, ଜ୍ୟୋତିରଞ୍ଜନଙ୍କ ମୃତ୍ୟୁ ଖବର ପହଞ୍ଚିବା ପରେ ପରିବାରରେ କାନ୍ଦବୋବାଳି ପଡ଼ି ଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/05/08/QolVdA1T3I3syw84KlNy.jpg)