ଗାଁ ଦାଣ୍ଡରେ ଯୁବକର ଉନ୍ମତ୍ତକାଣ୍ଡ: ୮ ଜଣଙ୍କୁ ହାଣିଲା

ରାମଚନ୍ଦ୍ରପୁର : କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ଅଙ୍ଗାରୁଆ ଗ୍ରାମରେ ଆଜି ଅପରାହ୍ଣରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଜଣେ ଯୁବକ ଆଜି ଗ୍ରାମର ୮ ଜଣଙ୍କୁ ଗାଁ ଦାଣ୍ଡରେ ‌ମାରଣାସ୍ତ୍ରରେ ଗୋଡ଼େ‌ଇ ଗୋଡ଼େଇ ହାଣିଛି। ଆହତ ୮ ଜଣଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତମାନେ ହେଲେ କାଳିକା ଯେନା(୪୩), ବାବୁଲି ଯେନା(୪୮), ବାସନ୍ତୀ ଯେନା, ମଦନ ଯେନା(୪୪), ମନ୍ଦାକିନୀ ଯେନା (୨୮), ସୁଲୋଚନା ଯେନା(୫୪), ପ୍ରଦିପ ଯେନା (୩୬) ଏବଂ ରବି ଯେନା(୪୮) ପ୍ରମୁଖ।

ସୂଚନା ଅନୁଯାୟୀ,  ଅଙ୍ଗାରୁଆ ଗ୍ରାମର ରବି ଯେନାଙ୍କ ପୁଅ ରାଜା ଯେନା(୨୦)  ଆଜି ଅପରାହ୍ଣ ୩ଟା ବେଳେ କୌଣସି ଏକ ଘରୋଇ କଥାକୁ ନେଇ ନିଜ ମାଆ ରମି ଯେନା(୪୮) ଙ୍କ ସହ  ଝଗଡା କରିବା ସହ ମାଡ ମାରିଥିଲେ।  ମାଆ ରମି ନିଜ ଜୀବନ ବଞ୍ଚାଇବାକୁ ପଡିଶା ଘରକୁ ଦୌଡି ପଳାଇଥିଲେ। ସେଠାରେ ଶରଣାପନ୍ନ ହୋଇଥିଲେ ବି ପୁଅ ମାଆର ପିଛା କରି ପଡିଶା ଘରେ ପହଞ୍ଚି ଝଗଡ଼ା କରିଥିଲା।  ପଡିଶା ଘର ଲୋକଙ୍କ ସହ ବଚଶା ପରେ  ରାଜା ଧରିଥିବା ଏକ ଧାରୁଆ କାତିରେ ଅତର୍କିତ ଭାବେ  ଆକ୍ରମଣ କରିଥିଲା।

ଆକ୍ରମଣରେ  କାଳିକା ଯେନା(୪୩), ବାବୁଲି ଯେନା(୪୮), ବାସନ୍ତି ଯେନା, ମଦନ ଯେନା(୪୪), ମନ୍ଦାକିନୀ ଯେନା (୨୮), ସୁଲୋଚନା ଯେନା(୫୪), ପ୍ରଦୀପ ଯେନା (୩୬) ଆହାତ ହୋଇଥିଲେ। ଆହତମାନଙ୍କୁ ସାଇଁକୁଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମଦନ ଯେନାଙ୍କ ପେଟରେ ଗଭୀର କ୍ଷତ ସୃଷ୍ଟି ହୋଇଥିବାରୁ ତାଙ୍କୁ ଆନନ୍ଦପୁର ଉପଖଣ୍ତ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ସେପଟେ ଆକ୍ରମଣ  କରିବା ପରେ ଘଟଣା ସ୍ଥଳରୁ ରାଜା ଚମ୍ପଟ ମାରିଛି।  ଘଟଣା ସମ୍ପର୍କରେ ରାମଚନ୍ଦ୍ରପୁର ଥାନାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତ ଯୁବକଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।

ସମ୍ବନ୍ଧିତ ଖବର