ଜୀବନ ବଞ୍ଚାଇଲେ ବାହୁବଳୀ ପପୁ, କୂଅ ଭିତରେ ନାବାଳକକୁ ୨ଘଣ୍ଟା ଟେକି ଧରିଲେ

ଡମପଡ଼‌ା/ବାଙ୍କୀ : କୂଅ ଭିତରେ ପଡ଼ି ଯାଇଥିବା ଏକ ନାବାଳକକୁ ଉଦ୍ଧାର କରାଯିବା ସମୟରେ ଦୀର୍ଘ ଦୁଇଘଣ୍ଟା ଧରି ଜଣେ ଯୁବକ କୂଅ ଭିତରେ ଉକ୍ତ ନାବାଳକକୁ ଦୁଇ ହାତରେ ଉପରକୁ ଟେକି ଧରିବା ଘଟଣା ସମଗ୍ର ବାଙ୍କୀ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ବାଙ୍କୀର ଦୁଲଣାପୁର ଶବରସାହିରେ ଘଟିଥିବା ଏହି ଘଟଣାକୁ ସ୍ଥାନୀୟ ଲୋକେ ହିନ୍ଦୀ ଚଳଚ୍ଚିତ୍ର ବାହୁବଳୀର ଦୃଶ୍ୟ ସହିତ ତୁଳନା କରିଛନ୍ତି। ଗାଁରେ ଏକ ବିବାହ ଉତ୍ସବ ଚାଲିଥିବା ବେଳେ କୂଅକୁ ଖସି ପଡ଼ିଥିବା ନାବାଳକକୁ ଉଦ୍ଧାର କରୁଥିବା ଯୁବକ ଅସୁବିଧାରେ ପଡ଼ି କୂଅ ଭିତରୁ ଚିତ୍କାର କରିଥିଲେ ବି ତାଙ୍କୁ କେହି ଶୁଣିପାରି ନ ଥିଲେ। ସେହି କାରଣରୁ ଯୁବକଜଣକ ଉକ୍ତ ନାବାଳକକୁ କୂଅ ଭିତରେ ଦୀର୍ଘ ଦୁଇଘଣ୍ଟା କାଳ ଟେକି ଧରିଥିଲେ।

ଘଟଣାରୁ ପ୍ରକାଶ, ଗତକାଲି ରାତିରେ ଦୁଲଣାପୁର ଗ୍ରାମରେ ଏକ ବିବାହ ଉତ୍ସବ ଚାଲିଥିବା ବେଳେ ଅସାବଧାନତାବଶତଃ ନାବାଳକ ସୋନୁ(ଛଦ୍ମ ନାମ) ନିକଟରେ ଥିବା ଏକ ଖୋଲା ଗଭୀର କୂଅରେ ଖସି ପଡିଥିଲା। ନିକଟରେ ଥିବା ଗ୍ରାମର ପପୁ ନାୟକ ଏହା ଦେଖିପାରି କୂଅ ମଧ୍ୟକୁ ଡେଇଁ ସୋନୁକୁ ଟେକି ଧରି ପାଟି କରିଥିଲେ। ମାତ୍ର ବାହାଘର ରୋଷଣି ଶବ୍ଦରେ ତାଙ୍କ ଡାକ କେହି ଶୁଣିପାରି ନଥିଲେ। ତେଣୁ ଦୀର୍ଘ ସମୟ ଧରି ସେ କୂଅ ଭିତରେ ଶିଶୁଟିକୁ ଟେକି ଧରିଥିଲେ। ବାହାଘର ରୋଷଣି ଶବ୍ଦ ବନ୍ଦ ହେବା ପରେ କେତେଜଣ ଲୋକ ତାଙ୍କ ପାଟି ଶୁଣି କୂଅ ପାଖକୁ ଆସିଥିଲେ। ଉଭୟଙ୍କୁ ଉଦ୍ଧାର କରିବାକୁ ଗ୍ରାମବାସୀ ବହୁ ଉଦ୍ୟମ କରିଥିଲେ ମଧ୍ୟ ସେଥିରେ ସଫଳ ହୋଇପାରି ନଥିଲେ। ପରେ ଡମପଡାରୁ ଦମକଳ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି ବାଙ୍କୀ ଉପଖଣ୍ତ ଚିକିତ୍ସାଳୟକୁ ନେଇଥିଲେ। ଅଧିକ ଚିକିତ୍ସା ପାଇଁ ନାବାଳକ ସୋନୁକୁ କଟକ ପଠାଯାଇଥିବା ଜଣାଯାଇଛି। ତେବେ, ଦୀର୍ଘ ଦୁଇଘଣ୍ଟା ଧରି ଶିଶୁଟିକୁ ଟେକି ଧରି ଜୀବନ ବଞ୍ଚାଇଥିବାରୁ ସମଗ୍ର ଅଞ୍ଚଳରେ ପପୁଙ୍କୁ ପ୍ରଶଂସା କରାଯାଇଛି। ଆହତ ନାବାଳକର ଘର ହେଲା ଖୋର୍ଦ୍ଧା ଜିଲ୍ଲା କାଇମାଟିଆ ଗ୍ରାମ ବୋଲି ଜଣାପଡିଛି।

ସମ୍ବନ୍ଧିତ ଖବର