‘ମୁଁ କରୋନାରେ ପୀଡ଼ିତ’ ! କୋଲକାତା ଫେରନ୍ତା ଯୁବକଙ୍କ ବୟାନକୁ ନେଇ ଡାକ୍ତରଖାନାରେ ଆତଙ୍କ

ଜଳେଶ୍ବର : ‘ମୁଁ କରୋନାରେ ପୀଡ଼ିତ।’ ଆଜି ନିଜଆଡ଼ୁ ଜଣେ କୋଲକାତା ଫେରନ୍ତା ଯୁବକଙ୍କ ଏଭଳି ବୟାନକୁ ନେଇ ଜଳେଶ୍ବରସ୍ଥିତ ଜିକେ ଭଟ୍ଟର ଡାକ୍ତରଖାନାରେ ଆତଙ୍କ ଖେଳିଯାଇଛି। ଡାକ୍ତରଖାନା କର୍ତ୍ତୃପକ୍ଷ ତାଙ୍କୁ ଭିତରକୁ ପ୍ରବେଶ ଅନୁମତି ଦେଇନାହାନ୍ତି। ତାଙ୍କ ଉପରେ କଡ଼ା ନଜର ରଖାଯିବା ସହିତ ବାଲେଶ୍ବରକୁ ନେବା ପାଇଁ ବ୍ୟବସ୍ଥା କରାଯାଉଥିବା ଜଣାପଡ଼ିଛି।

ଏହି ଯୁବକଙ୍କ ଘର କମର୍ଦ୍ଦା ଥାନା ଅଞ୍ଚଳରେ ହୋଇଥିବାବେଳେ ସେ କୋଲକାତାର ଏକ କମ୍ପାନିରେ କାମ କରୁଛନ୍ତି। ଜବଲପୁର ଅଞ୍ଚଳରେ ତିନିଜଣ ବନ୍ଧୁଙ୍କ ସହ ସେ ଏକତ୍ର ରହୁଥିଲେ। ୮ ଦିନ ତଳେ ତାଙ୍କର ଦୁଇଜଣ ବନ୍ଧୁ କରୋନା ସଂକ୍ରମିତ ବୋଲି ଜଣାପଡ଼ିଥିଲା। ପରେ ଏହି ଯୁବକଙ୍କ ନିକଟରେ ଅନୁରୂପ ଲକ୍ଷଣ ଦେଖାଯିବାରୁ ସେ ଆଜି ଆମ୍ବୁଲାନ୍ସ ଯୋଗେ ନିଜ ଘରକୁ ଫେରୁଥିଲେ। ତେବେ ଆମ୍ବୁଲାନ୍ସ ଚାଳକ ପଶ୍ଚିମବଙ୍ଗର ଆଙ୍ଗୁଆ ନିକଟରେ ଯୁବକଙ୍କୁ ଗାଡ଼ିରୁ ଓହ୍ଲାଇ ଦେଇ ପଳାଇଥିଲା। ଯୁବକ ଜଣକ ସେଠାରୁ ଚାଲିଚାଲି ଆସି ଜଳେଶ୍ୱର ଜିକେ ଭଟ୍ଟର ଡାକ୍ତରଖାନାରେ ପହଞ୍ଚିଥିଲେ ଏବଂ କରୋନାରେ ପୀଡ଼ିତ ଥିବା କହିଥିଲେ।

ଯୁବକ ଜଣକ ନିଜ ଆଡୁ ସୂଚନା ଦେବା ପରେ ଡାକ୍ତରଖାନା କର୍ତ୍ତୃପକ୍ଷ ତାଙ୍କୁ ପ୍ରବେଶ ଅନୁମତି ନଦେଇ ପୁଲିସ ଓ ଅନ୍ୟ ଅଧିକାରୀଙ୍କୁ ଜଣାଇଥିଲେ। ଜଳେଶ୍ବର ବିଡିଓ ଦୀପ୍ତିରଞ୍ଜନ ସେଠୀ ଡାକ୍ତରଖାନାକୁ ଆସି ଜିଲ୍ଲା ପ୍ରଶାସନକୁ ଅବଗତ କରିବା ସହ ଯୁବକଙ୍କୁ ବାଲେଶ୍ବର ନେବା ପାଇଁ ବ୍ୟବସ୍ଥା କରୁଥିବା ସୂଚନା ମିଳିଛି। ଜଳେଶ୍ବର ପୁଲିସର ଏକ ଟିମ୍ ଯୁବକଙ୍କୁ ଡାକ୍ତରଖାନା ସମ୍ମୁଖରେ କଡ଼ା ନଜରରେ ରଖିବା ସହ ତାଙ୍କ ପାଖକୁ କାହାକୁ ଯିବାକୁ ଅନୁମତି ଦେଉନାହିଁ।

ସମ୍ବନ୍ଧିତ ଖବର