ସୁନ୍ଦରଗଡ଼: ସେୟାର ଟ୍ରେଡିଂରେ ଆକର୍ଷଣୀୟ ଲାଭ ଦିଆଯିବାର ଲୋଭ ଦେଖାଇ ୪୦ କୋଟିରୁ ଅଧିକ ଟଙ୍କା ଠକେଇ ହୋଇଛି। ଗୋଟିଏ ମାସ ମଧ୍ୟରେ ଦୁଇଗୁଣ ଅର୍ଥ ଫେରସ୍ତ ଲୋଭରେ ଫସିଛନ୍ତି ଡାକ୍ତର, ସରକାରୀ ଅଧିକାରୀ, ରାଜନେତା, ହୋଟେଲ ମାଲିକ, ଉଦ୍ୟୋଗପତି। ଥାନାରେ ଅଭିଯୋଗ ପରେ ଠକ ଯୁବକ ଫେରାର ହୋଇଯାଇଛି। ସୁନ୍ଦରଗଡ଼ ଟାଉନ ଥାନା ନିରଞ୍ଜନନଗର ଅଞ୍ଚଳର ଜଣେ ଯୁବକ ସେୟାର ଟ୍ରେଡିଂରେ ମୋଟା ଅଙ୍କର ଲାଭ ଦେଖାଇ ବିଛାଇଥିଲା ଜାଲ। ଏହି ବ୍ୟବସାୟରେ ଟଙ୍କା ଜମାକଲେ ମାସକ ମଧ୍ୟରେ ଦ୍ବିଗୁଣ ଟଙ୍କା ଫେରସ୍ତ ହେବ କହିବା ପରେ ସହରର ସମ୍ଭ୍ରାନ୍ତବର୍ଗ ତା’ ପାଖରେ ଧାଡ଼ି ବାନ୍ଧିଥିଲେ। ଯୁବକ ଜଣକ ଅତି ଚତୁରତା ଦେଖାଇ ପ୍ରଥମେ ଜମାକାରୀଙ୍କୁ କିଛି କିଛି ଟଙ୍କା ଫେରସ୍ତ କରି ବିଶ୍ବାସ ଜନ୍ମାଇଥିଲା।
ଫସିଛନ୍ତି ଡାକ୍ତର, ଅଧିକାରୀ, ରାଜନେତା, ବ୍ୟବସାୟୀ
ସୁନ୍ଦରଗଡ଼ ଟାଉନଥାନା ପୁଲିସର ଖୋଳତାଡ଼
ପରେ ନାମୀ ବ୍ୟବସାୟୀ, ଉଦ୍ୟୋଗପତି, ଡାକ୍ତର, ଅଧିକାରୀ, ରାଜନେତା ତା’ ଜାଲରେ ଫସି କୋଟି କୋଟି ଟଙ୍କା ଜମାକଲେ। ଏହିପରି ଉକ୍ତ ଠକ ଯୁବକ ୪୦ କୋଟିରୁ ଅଧିକ ଟଙ୍କା ଆଦାୟ କରିଥିବା କୁହାଯାଉଛି। କିଛିମାସ ପରେ ଟଙ୍କା ଫେରସ୍ତ ନ କରିବାରୁ ଜମାକାରୀ ତାଗିଦ୍ କରିଥିଲେ। ଏହା ପରେ ମୁମ୍ବାଇର ଏକ କମ୍ପାନି ପାଖରେ ଟଙ୍କା ସବୁ ଫସି ଯାଇଛି କହି ଯୁବକ ଜଣକ ସୁନ୍ଦରଗଡ଼ର କେତେକ ଜମାକାରୀଙ୍କୁ ମୁମ୍ବାଇ ନେଇଥିଲା। ସେଠାରେ କମ୍ପାନିର ପତ୍ତା ନ ମିଳିବାରୁ ସମସ୍ତେ ସୁନ୍ଦରଗଡ଼ ଫେରିଥିଲେ। ପରେ ଯୁବକଙ୍କୁ ଘେରିବାରୁ ପ୍ରତିମାସରେ କିସ୍ତି ହିସାବରେ ଟଙ୍କା ଦେଇ ୨ ବର୍ଷ ମଧ୍ୟରେ ଟଙ୍କା ସବୁ ଶୁଝିଦେବି ବୋଲି ପ୍ରତିଶ୍ରୁତି ଦେଇଥିବାବେଳେ ୧୫ ଦିନ ତଳେ ସେ ଫେରାର ହୋଇଯାଇଥିବା ଜଣାପଡ଼ିଛି। ଏ ନେଇ ଜମାକାରୀଙ୍କ ମଧ୍ୟରୁ କିଛି ଯୁବକ ଖୋଜାଖୋଜି କରିବା ସହ ମୋବାଇଲ୍ରେ ଯୋଗାଯୋଗ କରିବାକୁ ଚେଷ୍ଟା କରି ବିଫଳ ହେବା ପରେ ଟାଉନ୍ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାର ଅନୁସନ୍ଧାନ ଆରମ୍ଭ କରିଥିବା ସୂଚନା ମିଳିଛି।