ସୁନ୍ଦରଗଡ଼/ଲେଫ୍ରିପଡ଼ା: କିଛି ଦିନର ନିରବତା ପରେ ସୁନ୍ଦରଗଡ଼ ଜିଲ୍ଲାରେ ପୁଣି ଗୁଳି ଫୁଟିଛି। ଶୁକ୍ରବାର ଅପରାହ୍ନରେ ଲେଫ୍ରିପଡ଼ା ଥାନା ଦର୍ଲିପାଲି ନିକଟ ବରୋବଗାରେ ୨୦ରୁ ଅଧିକ ମୁଖାପିନ୍ଧା ଦୁର୍ବୃତ୍ତ ଜଣେ ଯୁବକଙ୍କ ଉପରକୁ ଗୁଳିମାଡ଼ କରି ଫେରାର ହୋଇ ଯାଇଛନ୍ତି। ଯୁବକ ଜଣକ ହେଲେ ଭଷ୍ମା ଥାନା ଶରଧାପାଲିର ସୂରଜ ପଟେଲ। ତାଙ୍କ ପେଟରେ ଗୁଳି ବାଜି ପଛପଟେ ବାହାରି ଯାଇଛି। ଗୁରୁତର ଅବସ୍ଥାରେ ସୂରଜଙ୍କୁ ତାଙ୍କ ସହଯୋଗୀ ଉଦ୍ଧାର କରି ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଆଣିଥିବାବେଳେ ଅବସ୍ଥା ସଂକଟାପନ୍ନ ଥିବାରୁ ରାଉରକେଲା ସ୍ଥାନାନ୍ତର କରାଯାଇଛି। ଲେଫ୍ରିପଡ଼ା ପୁଲିସ ଜିଲ୍ଲାର ସୀମାନ୍ତ ଅଞ୍ଚଳକୁ ସିଲ୍ କରି ଦୁର୍ବୃତ୍ତମାନଙ୍କୁ ଧରିବାକୁ ଉଦ୍ୟମ ଜାରି ରଖିଛି। ଗୁଳିକାଣ୍ଡର କାରଣ ସ୍ପଷ୍ଟ ହୋଇନାହିଁ। ତେବେ ଏନ୍ଟିପିସି ତାପଜ ବିଦ୍ୟୁତ୍ ପ୍ରକଳ୍ପ ବର୍ଜ୍ୟ ପାଉଁଶ ପରିବହନ ବ୍ୟବସାୟକୁ ନେଇ ଏହା ଘଟିଥିବା ସନ୍ଦେହ କରାଯାଉଛି। ସୂରଜ ଜଣେ ଟ୍ରାନ୍ସପୋର୍ଟର। ଶୁକ୍ରବାର ସେ ତାଙ୍କ ଭାରୀଯାନରେ ବରୋବଗାସ୍ଥିତ ଏନ୍ଟିପିସି କାରଖାନାକୁ ପାଉଁଶ ବୋଝେଇ କରିବାକୁ ଯାଇଥିଲେ।ପାଉଁଶପୋଖରୀ ନିକଟ ଏକ ଅଫିସରେ ବସିଥିବା ସମୟରେ ଅପରାହ୍ନ ପ୍ରାୟ ୪ଟାରେ ୮ଟି ବାଇକ୍ରେ ୨୦ରୁ ଅଧିକ ମୁଖାପିନ୍ଧା ଦୁର୍ବୃତ୍ତ ଆସି ପଛପଟୁ ଅତର୍କିତ ଆକ୍ରମଣ କରିଥିଲେ। ପ୍ରଥମେ ଚେୟାର, ବାଡ଼ିରେ ନିର୍ଧୂମ ମାଡ଼ ମାରିବା ପରେ ପିସ୍ତଲରେ ମୁଣ୍ଡକୁ ଆଘାତ କରି ତାଙ୍କ ବେକରୁ ସୁନାଚେନ୍ ଓ ହାତରୁ ମୁଦି ଟାଣି ନେଇଥିଲେ।
ଏହା ପରେ ଜଣେ ଦୁର୍ବୃତ୍ତ ତାଙ୍କ ମୁଣ୍ଡକୁ ଲକ୍ଷ୍ୟକରି ଗୁଳି ଚଳାଇଥିଲା। ସୂରଜ ମୁଣ୍ଡ ବୁଲାଇଦେବାରୁ ଗୁଳି ତାଙ୍କ ବାମପାଖ କାନ ପାର୍ଶ୍ବଦେଇ ଚାଲିଯାଇଥିଲା। କୌଣସି ପ୍ରକାରେ ସୂରଜ ଜୀବନ ବଞ୍ଚାଇ ସେଠାରୁ ଦୌଡ଼ି ପଳାଇବାକୁ ଉଦ୍ୟମ କଲାବେଳେ ପୁଣି ଗୁଳିମାଡ଼ କରିଥିଲେ ଦୁର୍ବୃତ୍ତ। ଯାହା ସୂରଜଙ୍କ ଡାହାଣପଟ ଅଣ୍ଟା ଉପରକୁ ବାଜି ଆରପାର୍ ହୋଇଯାଇଛି। ରକ୍ତାକ୍ତ ଅବସ୍ଥାରେ ସେ ତଳେ ପଡ଼ିଯିବା ପରେ ଦୁର୍ବୃତ୍ତମାନେ ବାଇକ୍ରେ ଛୁ ମାରିଥିଲେ। ଲୁଟ୍ ଦେଖାଇବାକୁ ସୁନା ଓ ମୁଦି ନେଇ ଯାଇଛନ୍ତି, ପ୍ରକୃତରେ ପାଉଁଶବେପାର ହିଁ ମୁଖ୍ୟ କାରଣ ବୋଲି ଚର୍ଚ୍ଚା ହେଉଛି। ଏହି ଘଟଣା ପରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ସୁନ୍ଦରଗଡ଼ ବିଧାୟକ ଯୋଗେଶ କୁମାର ସିଂ ପହଞ୍ଚି ସୂରଜଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିବା ସହ ଜିଲ୍ଲାରେ ବଢ଼ୁଥିବା ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ଓ ପୁଲିସର ନିଷ୍କ୍ରିୟତାକୁ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି।
ଉଲ୍ଲେଖଯୋଗ୍ୟ, ୨୦୨୪ ସେପ୍ଟେମ୍ବର ୧୯ ତାରିଖ ଦିନ ୧୧ଟାରେ ପାଉଁଶ ପରିବହନ ଠିକାଦାର ସୂରଜ ପଟେଲ ଓ ସଂଜୟ ପାଣ୍ଡେଙ୍କ ଗୋଷ୍ଠୀ ମଧ୍ୟରେ ବଡ଼ଧରଣର ସଂଘର୍ଷ ହୋଇଥିଲା। ସୂରଜ ବ୍ରଜରାଜନଗର ଅଞ୍ଚଳର କିଛି ଗୁଣ୍ତାଙ୍କୁ ଆଣି ଦର୍ଲିପାଲି ଯାଦୁଗର ଛକରେ ସଂଜୟଙ୍କ ଅଫିସ ଭଙ୍ଗାରୁଜା, ମାଡ଼ପିଟ କରିବା ସହ ଫାଙ୍କା ଗୁଳିଚାଳନା କରିଥିବା ଅଭିଯୋଗ ହୋଇଥିଲା। କିନ୍ତୁ ପୁଲିସ ମାମଲାକୁ ଗମ୍ଭୀରତାର ସହ ନେଇ ନଥିବାରୁ ୪ ମାସ ପରେ ଅଞ୍ଚଳରେ ପୁଣି ଗୁଳି ଫୁଟିଥିବା ଚର୍ଚ୍ଚା ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/08/firing.jpg)