ବ୍ରହ୍ମପୁର: ମାଟି, ପାଣି, ପବନ ଓ ଗଛଲତାକୁ ନେଇ ପରିବେଶ। ଏଥିରୁ ଗୋଟିଏ ଉପାଦାନ ନଷ୍ଟ ହେଲେ ପରିବେଶର ସନ୍ତୁଳନ ବିଗିଡ଼ିବ। ଗଛ ବଞ୍ଚିବା ପାଇଁ ଯଦି ଆବଶ୍ୟକ ପାଣି ମିଳିବ ନାହିଁ ତେବେ ଗଛ ବଞ୍ଚିବନି। ଗଛ ନବଞ୍ଚିଲେ ଆମକୁ ଅମ୍ଳଜାନ ମିଳିବନି। ଏଣୁ ଯୁବପିଢ଼ି ସଚେତନ ହୋଇ ପରିବେଶର ସୁରକ୍ଷା ଦାୟିତ୍ବ ନିଅନ୍ତୁ ବୋଲି ହିଞ୍ଜିଳିକାଟୁ ନିର୍ବାଚନମଣ୍ଡଳୀ ପରିବେଶ ପଞ୍ଚାୟତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ବିଧାୟକଙ୍କ ପ୍ରତିନିଧି ଦେବାନନ୍ଦ ମହାପାତ୍ର କହିଛନ୍ତି।

Advertisment

‘ସମ୍ବାଦ’ ତରଫରୁ ହିଞ୍ଜିଳିକାଟୁ ସ୍ବୟଂଶାସିତ ବିଜ୍ଞାନ ମହାବିଦ୍ୟାଳୟରେ ଆୟୋଜିତ ପରିବେଶ ପଞ୍ଚାୟତ କାର୍ଯ୍ୟକ୍ରମରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଧାୟକ ନବୀନ ପଟ୍ଟନାୟକଙ୍କ ଜିଲ୍ଲା ପରିଷଦ ପ୍ରତିନିଧି ଶ୍ରୀ ମହାପାତ୍ର ଯୋଗଦେଇ ପରିବେଶ ସୁରକ୍ଷା ଦିଗକୁ ଯଥେଷ୍ଟ ଗୁରୁତ୍ବ ଦେବାକୁ ଆହ୍ବାନ କରିଥିଲେ। ବିଭିନ୍ନ କାରଣରୁ ପରିବେଶ ନଷ୍ଟ ହେଉଛି। ଅଯଥାରେ ଗଛ କାଟି ଦିଆଯାଉଛି। କିନ୍ତୁ ବୃକ୍ଷରୋପଣକୁ ସେଭଳି ଗୁରୁତ୍ବ ଦିଆଯାଉ ନାହିଁ। ବଜାରକୁ ଗଲେ କେହି ବ୍ୟାଗ୍‌ଟିଏ ନେଉନାହାନ୍ତି। ସବୁ ସାମଗ୍ରୀ ପଲିଥିନ୍‌ରେ ଆସୁଛି। ସେହି ପଲିଥିନ ଏଣେତେଣେ ପଡ଼ି ନାଳନର୍ଦ୍ଦମା ଚୋକ୍‌ ହେଉଥିବା ବେ‌ଳେ ମାଟିରେ ମିଶି ଉର୍ବରତା ହ୍ରାସ କରୁଛି। ଏ ଦିଗରେ ଯୁବପିଢ଼ି ସଚେତନ ହୋଇ ନିଜ ଭବିଷ୍ୟତକୁ ନିଜେ ସୁରକ୍ଷିତ କରିବା ପାଇଁ ଆଗେଇ ଆସନ୍ତୁ ବୋଲି ସେ ଆହ୍ବାନ କରିଥିଲେ।     

ମୁଖ୍ୟବକ୍ତା ଭାବେ ହିଞ୍ଜିଳିକାଟୁ ସ୍ବୟଂଶାସିତ ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ବସନ୍ତ କୁମାର ଆଚାରୀ ଯୋଗଦେଇ କହିଲେ, ପରିବେଶ ନଷ୍ଟ ହେବା ପଛରେ ଆମେ ହିଁ ଦାୟୀ। କାରଣ ଆମେ ଯେତେ ବିଳାସପୂର୍ଣ୍ଣ ଜୀବନଶୈଳୀ ଆପଣେଇବା ପରିବେଶ ସେତେ ଅଧିକ ପ୍ରଦୂଷିତ ହେବ। ନିଜର ସୁବିଧା ପାଇଁ ଏସି, ଫ୍ରିଜ୍‌ ବ୍ୟବହାର କରୁଛେ। କିନ୍ତୁ ପ୍ରକୃତିରୁ ମିଳୁଥିବା ସୁବିଧା ଠାରୁ ଦୂରେଇ ଯାଉଛେ। ଏବେଠୁ ସଚେତନ ନହେଲେ ମନୁଷ୍ୟ ସମାଜ ପାଇଁ ଆଗକୁ ବଡ଼ ବପଦ ମାଡ଼ି ଆସିବ ବୋଲି କହିଥିଲେ। ସମ୍ମାନିତ ଅତିଥି ଭାବେ ଆଇନଜୀବୀ ଦ୍ବୀତିକୃଷ୍ଣ ସାବତ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ ବିଦ୍ୟାଧର ପାଣିଗ୍ରାହୀ, ଅଧ୍ୟାପକ ଅନୀଲ ପାତ୍ର, ଗୋକୁଳାନନ୍ଦ ପାତ୍ର, ଅଧ୍ୟାପିକା ବବିତା ପାତ୍ର, ପ୍ରତିଭା ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ‘ସମ୍ବାଦ’ ଗଞ୍ଜାମ ଜିଲ୍ଲା ପ୍ରତିନିଧି ସୁଦୀପ୍ତ ଷଡ଼ଙ୍ଗୀ ସଂଯୋଜନା କରିଥିବା ବେଳେ ଓ ହିଞ୍ଜିଳିକାଟୁ ବ୍ଲକ୍‌ ପ୍ରତିନିଧି ନୀଳାଞ୍ଚଳ ସାହୁ ଧନ୍ୟବାଦ ଦେଇଥିଲେ।