କୋଟପାଡ଼: ପରିବେଶ ପ୍ରଦୂ‌ଷଣ ଚିନ୍ତା ବଢ଼ାଇବାରେ ଲାଗିଛି। ଏହାର ସୁରକ୍ଷା ପାଇଁ ଜନ୍ମ ଦିନରେ ଗଛ ଲଗାଇବା ଏକ ମାତ୍ର ବିକଳ୍ପ ହେଉ। ବିଦେଶୀ ସଂସ୍କୃତିକୁ ବର୍ଜନ କରି ସ୍ବଦେଶୀ ଆପଣାଇ ପ୍ରତ୍ୟେକ ଯୁବପିଢ଼ି ଜନ୍ମଦିନରେ ଗଛ ଲଗାଇ ତାହାର ଯତ୍ନ ନିଅନ୍ତୁ। କୋଟପାଡ଼ ମହାବିଦ୍ୟାଳୟ ପରିସରରେ ‘ସମ୍ବାଦ’ ପକ୍ଷରୁ ଆୟୋଜିତ ପରିବେଶ ପଞ୍ଚାୟତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି, କୋଟପାଡ଼ ବିଧାୟକ ରୁପୁ ଭତ୍ରା। 

Advertisment

ବିଧାୟକ ଶ୍ରୀ ଭତ୍ରା କହିଛନ୍ତି, ଜଳବାୟୁ ପରିବର୍ତ୍ତନର ମୁକାବିଲା ସାରା ବିଶ୍ବ ପାଇଁ ଏବେ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଏହି ସମୟରେ ‘ସମ୍ବାଦ ଓ କନକ ନ୍ୟୁଜ୍’ ପକ୍ଷରୁ ହାତକୁ ନିଆଯାଇଥିବା ପୁନଶ୍ଚ ପୃଥିବୀ କାର୍ଯ୍ୟକ୍ରମ ଯୁଗାନ୍ତକାରୀ ପଦକ୍ଷେପ। ବହୁସଂଖ୍ୟାରେ ଯୁବପିଢ଼ିକୁ ଏହି କାର୍ଯ୍ୟକ୍ରମରେ ସାମିଲ କରି ପରିବେଶ ପ୍ରତି ଦାୟିତ୍ବବାନ କରିବାକୁ ପଡ଼ିବ। ଯୁବପିଢ଼ି ବୃକ୍ଷ‌ରୋପଣ ସହ ପ୍ଲାଷ୍ଟିକର ବ୍ୟବହାର କମ୍ କଲେ ସୁସ୍ଥ ପରିବେଶ ଗଠନ ହୋଇପାରିବ ବୋଲି ବିଧାୟକ କହିଥିଲେ। ସମ୍ମାନିତ ଅତିଥି ଭାବେ କୋଟପାଡ଼ ଏନ୍‌ଏସି ଅଧ୍ୟକ୍ଷ ଶଙ୍କର ରାଓ ଯୋଗଦେଇ କହିଲେ, ପଡ଼ୋଶୀ ରାଜ୍ୟର ଶିଳ୍ପ ପାଇଁ କୋଟପାଡ଼ ପରିବେଶ ପ୍ରଦୂଷିତ ହେଉଛି। ଇନ୍ଦ୍ରାବତୀ ଜଳ ଛତିଶଗଡ଼ ଶିଳ୍ପ ଟାଣି ନେଉଥିବାରୁ ଭୂତଳ ଜଳସ୍ତର ମଧ୍ୟ କମିବାରେ ଲାଗିଛି। ପଡ଼ୋଶୀ ରାଜ୍ୟର ଶିଳ୍ପାନୁଷ୍ଠାନ ବ୍ୟାପକ ପରିମାଣର ବୃକ୍ଷ‌ରୋପଣ କରି ପରିବେଶ ସୁରକ୍ଷା ଦିଗରେ ପଦକ୍ଷେପ ନେଉ ବୋଲି ଶ୍ରୀ ରାଓ ଦାବି କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ସାଂସଦ ପ୍ରତିନିଧି ଚନ୍ଦ୍ରଶେଖର ଦାଶ, କୋଟପାଡ଼ ମହାବିଦ୍ୟାଳୟ ଅଧ୍ୟକ୍ଷ ଶେଷାନନ୍ଦ ମିଶ୍ର, ଏନ୍‌ଏସି ପ୍ରତିନିଧି ପ୍ରଦୀପ ରଥ, ସାହିତ୍ୟଘର ସଭାପତି ଗଣେଶ ପଣ୍ଡା କହିଥିଲେ, ସମସ୍ତେ ଦାୟିତ୍ବବାନ ହେଲେ ଘଞ୍ଚ ଜଙ୍ଗଲ ସୃଷ୍ଟି କରାଯାଇ ବିଗିଡ଼ି ଯାଇଥିବା ପରିବେଶର ସୁରକ୍ଷା କରାଯାଇପାରିବ। ପୃଥିବୀ ସବୁଜିମାମୟ ହେବା ସହ ଜଳବାୟୁ ପରିବର୍ତ୍ତନକୁ ରୋକାଯାଇପାରିବ।

ସମ୍ବାଦ ଓ କନକ ନ୍ୟୁଜ୍‌ର ‘ପୁନଶ୍ଚ ପୃଥିବୀ’ କାର୍ଯ୍ୟକ୍ରମ ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି ଅତିଥିମାନେ କହିଥିଲେ। ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଞ୍ଜନ ପଟ୍ଟନାୟକ ଯୁବପିଢ଼ିଙ୍କୁ ଉତ୍ତରଦାୟୀ କରିବା ପାଇଁ ରକ୍ତଦାନ, ବୃକ୍ଷ‌ରୋପଣ, ରାକ୍ଷୀ ବାନ୍ଧି ନିଶା ନିବାରଣ, ଓଡ଼ିଆ ଭାଷାର ସୁରକ୍ଷା ପାଇଁ କାର୍ଯ୍ୟ କରିବା ପ୍ରଶଂସନୀୟ ବୋଲି ଅତିଥିମାନେ କହିଥିଲେ। ଆତ୍ମହତ୍ୟା ଭଳି ପଦକ୍ଷେପରୁ ଯୁବପିଢ଼ି ଦୂରେଇ ମାନସିକ ଚିନ୍ତାଧାରାରେ ପରିବର୍ତ୍ତନ ଆଣି ପରିବେଶ ସୁରକ୍ଷାର ମଙ୍ଗ ଧରନ୍ତୁ ବୋଲି ଅତିଥିମାନେ କହିଥିଲେ। କାର୍ଯ୍ୟକ୍ରମ ଶେଷରେ ୩୫୦ ଚାରାରୋପଣ କରାଯାଇଥିଲା। ‘ସମ୍ବାଦ’ର କୋଟପାଡ଼ ପ୍ରତିନିଧି ପଙ୍କଜ ପାତ୍ର କାର୍ଯ୍ୟକ୍ରମକୁ ସଞ୍ଚାଳନ କରିଥିଲେ। ଅଧ୍ୟାପକ ହେମନ୍ତ ଦଳାଇ, ମାଲବିକା ପଟ୍ଟନାୟକ, ଇନ୍ଦିରା ରଥ, ସୁଶାନ୍ତ ସାହୁ, ଗୌତମ ରଥ, ବୋରିଗୁମ୍ମା ସମ୍ବାଦ ପ୍ରତିନିଧି ବିଶ୍ୱଜିତ ପାଣିଗ୍ରାହୀ, ଫରେଷ୍ଟର ମିହିର ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।