ବାଲିକୁଦା/ମାଛଗାଁ : ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅନନ୍ତପୁର ଫାଣ୍ତି ଅନ୍ତର୍ଗତ ଭୁଆସୁଣି ଗାଁରେ ଭଗବାନ ପରିଡ଼ାଙ୍କ ବଡ଼ ପୁଅ ଦେବେନ୍ଦ୍ର ଓରଫ ଅରୁ (୨୫) ମୋବାଇଲ୍‌ରେ ଜୁଆ ଖେଳି ଆତ୍ମହତ୍ୟା କରିବା ଘଟଣା ଚାଂଚଲ୍ୟ ସୃଷ୍ଟି କରିଛି। ଫ୍ରି-ଫେୟାର ଖେଳି ୨ ଲକ୍ଷ ଟଙ୍କା ହରାଇ ବରବାଦ୍‌ ହେବା ପରେ ସେ ଆତ୍ମହତ୍ୟା କରିଥିବା କୁହାଯାଉଛି। ଅନ୍ୟପଟେ କ୍ରିକେଟ୍‌ ବେଟିଂରେ ଲକ୍ଷାଧିକ ଟଙ୍କା ହରାଇବା କାରଣରୁ ବି ସେ ଆତ୍ମହତ୍ୟା କରିଛନ୍ତି ବୋଲି ତାଙ୍କର କେତେ ଜଣ ନିକଟତମ ଲୋକ କହିଛନ୍ତି। ପୁଲିସ୍‌ ସୋମବାର ଦିନ ଶ୍ମଶାନରୁ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ବାଲିକୁଦା ଥାନା ଆଇଆଇସି ରଜନୀକାନ୍ତ ମିଶ୍ର କହିଛନ୍ତି ଯେ ପ୍ରଥମ ଦଫାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ଆସନ୍ତାକାଲି ମୃତକଙ୍କ ମୋବାଇଲ୍‌ ତଥ୍ୟ ଓ ବ୍ୟବଚ୍ଛେଦ ରିପୋର୍ଟକୁ ଆଧାର କରି ତଦନ୍ତ କରାଗଲେ ମୃତ୍ୟୁ ରହସ୍ୟରୁ ପରଦା ହଟିବ।

Advertisment

ସୂଚନା ଅନୁସାରେ ଭଗବାନ ପରିଡ଼ା ଧାନ ଓ ମୁଗ ବ୍ୟବସାୟ କରନ୍ତି। ମାମୁ ଘରେ ରହି ଯୁକ୍ତ ଦୁଇ ପାଠ ପଢ଼ିଥିବା ପୁଅ ଅରୁ ଗାଁକୁ ଫେରି ବାପାଙ୍କୁ ବ୍ୟବସାୟରେ ସହଯୋଗ କରୁଥିଲେ। ତାଙ୍କ ଆକାଉଣ୍ଟରେ ମନରେଗା ଅର୍ଥକୁ ମିଶାଇ ପ୍ରାୟ ୪ ଲକ୍ଷ ଟଙ୍କା ଜମା ଥିଲା। ସେ ବ୍ୟବସାୟର ଅର୍ଥ କାରବାର କରୁଥିଲେ। ତେବେ ଅରୁ କିଛି ଦିନ ତଳେ ମୋବାଇଲରେ ଖେଳ ନିଶାରେ ମଜିଥିଲେ। ପ୍ରଥମ ଦଫାରେ କିଛି ଟଙ୍କା ଲାଭ ପରେ ରୋଜଗାର ନିଶା ଘାରିଥିଲା। କିନ୍ତୁ ପରେ ପରେ ସେ ୨ ଲକ୍ଷରୁ ଅଧିକ ଟଙ୍କା ହରାଇ ମନସ୍ତାପରେ ଥିଲେ। ସର୍ବଦା ଅନ୍ୟମନସ୍କ ଓ ଉଦାସ ରହୁଥିଲେ। ପରିବାର ଲୋକଙ୍କୁ ବି ଏ ସଂପର୍କରେ କହିଥିଲେ। ଏଥିପାଇଁ ବାପା ଭଗବାନ ବିରକ୍ତ ମଧ୍ୟ ହୋଇଥିଲେ। କିନ୍ତୁ ସେ ନିଜକୁ ଦୋଷୀ ମନେ କରି ଗତକାଲି ରାତିରେ ଶୋଇବା ଘର ପଙ୍ଖାରେ ଝୁଲି ପଡ଼ିଥିଲେ। ସୋମବାର ସକାଳେ ସେ ଘର କବାଟ ନଖୋଲିବାରୁ କବାଟ ଭାଙ୍ଗି ପଙ୍ଖାରେ ଝୁଲୁଥିବା ଅବସ୍ଥାରେ ଅରୁଙ୍କ ମୃତଦେହକୁ ଉଦ୍ଧାର କରାଯାଇଥିଲା। କିନ୍ତୁ ଥାନାରେ ସୂଚନା ନଦେଇ ଶବ ସତ୍କାର କରିବାକୁ ମଶାଣିକୁ ନିଆଯାଇଥିଲା। ଖବର ପାଇ ବାଲିକୁଦା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିଥିଲା। ଅନନ୍ତପୁର ଫାଣ୍ଡି ଏଏସଆଇ ତପନ କୁମାର ବେହେରା ଏହି ଘଟଣାର ତଦନ୍ତ କରୁଛନ୍ତି। ଶବ ବ୍ୟବଚ୍ଛେଦ ପରେ ଶୋକାକୁଳ ପରିବେଶରେ ଅନ୍ତିମ ସଂସ୍କାର କରାଯାଇଛି।