କବିସୂର୍ଯ୍ୟନଗର : ବାହା‌ ହେବାକୁ କହିବାରୁ ସୁରତ ଫେରନ୍ତାଙ୍କ ଆତ୍ମହତ୍ୟା

କବିସୂର୍ଯ୍ୟନଗର : ବାହା ହେବାକୁ ବାପା ଓ ଭାଇ ପ୍ରସ୍ତାବ ଦେବାରୁ ଏହାକୁ ବିରୋଧ କରି ସୁରତଫେରନ୍ତା ଯୁବକଙ୍କ ଆତ୍ମହତ୍ୟା। ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଇଲାକାରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି। ମୃତକ ଯୁବକ ଜଣକ ହେଲେ, ହୁମୁକି ଗ୍ରାମର ବସନ୍ତ ନାହାକ (୨୮)। ବଳିଆପଲ୍ଲୀ ଗ୍ରାମ ନିକଟ ବାଘୁଆ ନଦୀ ହିଡ଼ରେ ଥିବା ଏକ ବିଦ୍ୟୁତ୍ ଖୁଣ୍ଟରୁ ତାଙ୍କ ଝୁଲନ୍ତା ଶବ ଉଦ୍ଧାର ହୋଇଛି। ନିଜ ବେକରେ ଗାମୁଛା ବାନ୍ଧି ବସନ୍ତ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଥିବା ତଦନ୍ତରୁ ଜଣାପଡ଼ିଛି।

ସୂଚନାନୁସାରେ, ବସନ୍ତ ସୁରତରେ ରହୁଥିବା ବେଳେ ଲକ୍‌ଡାଉନ୍ ପରେ ଗାଁକୁ ଫେରିଥିଲେ। ଆଜି ସେ ଫେରିବାର ଥିଲା। ତେବେ ଗତକାଲି ବସନ୍ତଙ୍କୁ ବାହା ହେବା ପାଇଁ ବାପା ଓ ଭାଇ ପ୍ରସ୍ତାବ ଦେଇଥିଲେ। ହେଲେ ବସନ୍ତ ପାଟିତୁଣ୍ଡ କରିବା ସହ ବିବାହ ପାଇଁ ମନା କରି ରୁଷି ଘରୁ ବାହାରକୁ ପଳାଇଥିଲେ। ଆଉ ଘରକୁ ଫେରି ନ ଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ପରିବାରବର୍ଗ ବସନ୍ତଙ୍କୁ ଖୋଜ‌ାଖୋଜି କରିଥିଲେ । ଆଜି ସକାଳେ ବଳିଆପଲ୍ଲୀ ଗ୍ରାମ ବିଦ୍ୟୁତ୍ ଖୁଣ୍ଟରେ ତାଙ୍କ ଝୁଲନ୍ତା ଶବ ମିଳିଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିଥିଲା। ମୃତକଙ୍କ ଭାଇ ସନ୍ତୋଷଙ୍କ ଏତଲା କ୍ରମେ କେସ୍ ନମ୍ବର ୨୧ ଅନୁସାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ଥାନାଧିକାରୀ ସୂଚନା ଦେଇଛନ୍ତି। ଏହି ଘଟଣା ହୁମୁକି ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର