ବ୍ରହ୍ମପୁର/ଗୋଳନ୍ଥରା : ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଆଗରେ ସନ୍ତୋଷ ସାମନ୍ତରାୟ ଆତ୍ମାହୁତି ଘଟଣାରେ ଦିନକୁ ଦିନ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସୁଛି। ସନ୍ତୋଷଙ୍କ ଦସ୍ତଖତରେ ବ୍ରହ୍ମପୁର ଏସ୍‌.ପିଙ୍କ ଉଦ୍ଦେଶ୍ୟରେ ଲେଖା ଯାଇଥିବା ଏକ ଚିଠି ଗତ କିଛିଦିନ ହେଲା ବିଭିନ୍ନ ସୋସିଆଲ୍‌ ମିଡ଼ିଆରେ ଘୂରି ବୁଲୁଛି। ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ଆଡୁ ତାଙ୍କ ପ୍ରତି ଓ ତାଙ୍କ ପରିବାରକୁ ବିପଦ ଥିବାରୁ ସୁରକ୍ଷା ଯୋଗାଇ ଦେବାକୁ ସନ୍ତୋଷ ନିବେଦନ କରିଛନ୍ତି।

Advertisment

ଭାଇରାଲ୍‌ ହେଉଥିବା ଚିଠିର ସ୍ପର୍ଶକାତର ଦିଗଟି ହେଲା, ସନ୍ତୋଷ ଗୋଳନ୍ଥରା ଥାନା ଅଧିକାରୀଙ୍କୁ ପୂର୍ବରୁ ମଧ୍ୟ ଏ ବିଷୟରେ ଅଭିଯୋଗ କରିଥିଲେ। ହେଲେ ଓଲଟା ତାଙ୍କୁ ଥାନାରେ ନ୍ୟାୟ ବଦଳଳେ ନିର୍ଯାତନା ମିଳିଥିବା ଏବଂ ମିଥ୍ୟା ମାମଲାରେ ଫସାଇ ଦେବାକୁ ଆଇଆଇସି ଧମକ ଦେଇଥିବା କଥା ଉଲ୍ଲେଖ ଅଛି। ଏହି ତଥ୍ୟ ସମ୍ବଳିତ ଖବର ‘ସମ୍ବାଦରେ ଶନିବାର ପ୍ରକାଶ ପାଇବା ପରେ ହେବା ପରେ ପୁଲିସ ଉକ୍ତ ଚିଠିକୁ ଜବତ କରିଥିବା ବ୍ରହ୍ମପୁର ଏସ୍‌.ପି ପିନାକ୍‌ ମିଶ୍ର କହିଛନ୍ତି। ଉକ୍ତ ଚିଠି ତାଙ୍କ ଉଦ୍ଦେଶ୍ୟରେ ଲେଖା ହୋଇଥିଲେ ହେଁ, ତାଙ୍କ ପାଖରେ ପହଞ୍ଚି ନଥିବା ସେ ସୂଚନା ଦେଇଛନ୍ତି। ତଥାପି ଜବତ ଚିଠିର ଯାଞ୍ଚ୍‌ ଓ ଏଥିରେ ଉଲ୍ଲେଖ ଥିବା ତଥ୍ୟର ସତ୍ୟତା ଉପରେ ତଦନ୍ତ ଚାଲିଥିବା ଏସ୍‌.ପି. କହିଛନ୍ତି। ସେପଟେ ସନ୍ତୋଷଙ୍କୁ କିଏ ଧମକ ଦେଉଥିଲା ବର୍ତ୍ତମାନ ସୁଦ୍ଧା ତାହା ସ୍ପଷ୍ଟ ହୋଇ ନାହିଁ। ଘଟଣା ଦିନର ସିସି କ୍ୟାମେରା ଫୁଟେଜ୍‌କୁ ଆଧାର କରି ସାଇଣ୍ଟିଫିକ୍‌ ଟିମ୍‌ ସହାୟତାରେ ତଦନ୍ତ ଜାରି ରହିଥିବା ଏସ୍‌.ପି. ଶ୍ରୀ ମିଶ୍ର ପ୍ରକାଶ କରିଛନ୍ତି।

ରଣ୍ଢା ଗ୍ରାମର ସନ୍ତୋଷ ଗତ ୩୧ ତାରିଖ ସଂଧ୍ୟାରେ ଗୋଳନ୍ଥରା ଥାନାକୁ ଯାଇଥିଲେ। ତାଙ୍କୁ କେହି ଜଣେ ଧମକ ଦେଉଥିବା ନେଇ ଅଭିଯୋଗ କରିଥିଲେ। ଅଭିଯୋଗ ଶୁଣିବା ପରେ ଥାନା ଅଧିକାରୀ ଲିଖିତ ଏତଲା ଦେବା ପାଇଁ କହିଥିଲେ। ଏହାପରେ ସନ୍ତୋଷ ଥାନାରୁ ବାହାରକୁ ଚାଲି ଆସିଥିଲେ। କିଛି ସମୟ ପରେ ସନ୍ତୋଷ ନିଜ ଦେହରେ ନିଆଁ ଲଗାଇ ଥାନା ଭିତରକୁ ପ୍ରବେଶ କରି ଜଣେ ପୁଲିସ କର୍ମଚାରୀଙ୍କୁ ଧରି ପକାଇଥିଲେ। ଯାହା ଫଳରେ ସମ୍ପୃକ୍ତ କର୍ମଚାରୀ ମଧ୍ୟ ପୋଡ଼ି ଯାଇଛନ୍ତି ବୋଲି ସେହିଦିନ ପ୍ରଥମେ ଘଟଣାର ତଦନ୍ତ କରିଥିବା ଏଏସ୍‌ପି ଗଣମାଧ୍ୟମକୁ କହିଥିଲେ। ପୁଲିସ ତୁରନ୍ତ ସନ୍ତୋଷଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲା। ଚିକିତ୍ସାଧୀନ ଅବସ୍ଥାରେ ଗତ ୧ତାରିଖ ସକାଳେ ସନ୍ତୋଷଙ୍କ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ମୃତ୍ୟୁ ଘଟିଥିଲା।