ସଙ୍ଗରୋଧ ସରିଗଲା, ସ୍ବାବ ରିପୋର୍ଟ ମିଳିଲାନି, ଅଣ୍ଡରଟେକିଂ ଲେଖି ଛାଡ଼ିଦେଲେ

ରିପୋର୍ଟ ହଜିଛି ନା ସ୍ବାବ୍‌?

କଟକ : ୧୭ଦିନ ଧରି ନରସିଂହପୁରର ଟିଏମ୍‌ସିରେ ରହି ଘରକୁ ଫେରିବା ପ‌ରେ ଜଣେ ବ୍ୟକ୍ତିଙ୍କ ସ୍ବାବ୍‌ ରିପୋର୍ଟ ପଜିଟିଭ୍‌ ଆସିବାକୁ ନେଇ ଚର୍ଚ୍ଚା ଥମି ନ ଥିବାବେଳେ ଆଜି ପୁଣି ସ୍ବାବ୍‌ ରିପୋର୍ଟକୁ ନେଇଆସିଛି ଏକ ବଡ଼ ତଥ୍ୟ। କରୋନା ମୁକାବିଲା ତଥା କଟକ ଜିଲ୍ଲାରେ ସ୍ବାବ୍‌ ପରୀକ୍ଷା‌ ଓ ରିପୋର୍ଟକୁ ନେଇ ଏହି ନୂଆ ତଥ୍ୟ ସାମ୍ନାକୁ ଆସିଛି। ୧୫ଦିନ ହେଲା ଟିଏମ୍‌ସିରେ ରହିଥିବା ତଥା ୧୪ଦିନ ତଳୁ ସ୍ବାବ୍‌ ପରୀକ୍ଷା‌ ପାଇଁ ଯାଇଥିଲେ ବି ଆଜି ପର୍ଯ୍ୟନ୍ତ ଆସିପାରିନି ରିପୋର୍ଟ। ଫଳରେ ଘରକୁ ଫେରି ପାରୁନଥିଲେ ୪ଜଣ ଦିଲ୍ଲୀ ଓ ସୁରଟ୍‌ ଫେରନ୍ତା ଯୁବକ। ଆଜି ଏ ସଂପର୍କରେ ତନାଘନା ହେବାପରେ ବାଧ୍ୟହୋଇ କର୍ତ୍ତୃପକ୍ଷ ବିନା ରିପୋର୍ଟରେ ସେମାନଙ୍କୁ ଘରକୁ ଛାଡ଼ି ଦେଇଛନ୍ତି। କେବଳ ସେମାନେ ଏବେ ହୋମ କ୍ବାରାଣ୍ଟିନ୍‌ରେ ରହିବେ ବୋଲି ସର୍ତ୍ତ ରଖାଯାଇଛି। ହେଲେ ସେମାନଙ୍କ ସ୍ବାବ୍‌ ରିପୋର୍ଟକୁ ନେଇ ଚାଞ୍ଚଲ୍ୟକର ଚର୍ଚ୍ଚା ହେଉଛି। ସେମାନଙ୍କ ସ୍ବାବ୍‌ ରିପୋର୍ଟ ହଜିଯାଇଛି ବୋଲି ଉକ୍ତ ଯୁବକମାନଙ୍କୁ କୁହାଯିବା ପରେ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି। ଏଭଳି ଚାଞ୍ଚଲ୍ୟକର ଅଭିଯୋଗ ଆସିଛି ସାଲେପୁର ବ୍ଲକ୍‌ ଅନ୍ତର୍ଗତ ମିର୍ଜାପୁର ପଞ୍ଚାୟତର ଛୋଟିପଡ଼ା ଟିଏମ୍‌ସିରୁ।

ଖବର ମୁତାବକ, ମିର୍ଜାପୁର ପଞ୍ଚାୟତର ଛୋଟିପଡ଼ା ଟିଏମ୍‌ସିରେ ଦିଲ୍ଲୀ, ସୁରତ ଓ ମହାରାଷ୍ଟ୍ରରୁ ଫେରିଥିବା ୪୫ଜଣଙ୍କୁ ଘରକୁ ଛଡ଼ା ନଯାଇ ଏଠାରେ ସଙ୍ଗରୋଧରେ ରଖାଯାଇଥିଲା। ସମସ୍ତ ୪୫ଜଣଙ୍କର ଗତ ୯ ଓ ୧୦ ତାରିଖରେ ସ୍ବାବ୍‌ ପରୀକ୍ଷା ପାଇଁ ପଠାଯାଇଥିଲା। ଏହାଭିତରେ ୪୧ଜଣଙ୍କ ରିପୋର୍ଟ ନେଗେଟିଭ୍‌ ଆସିବା ପରେ ସେମାନଙ୍କୁ ହୋମ କ୍ବାରାଣ୍ଟିନ୍‌ରେ ଛାଡ଼ି ଦିଆଯାଇଛି। ହେଲେ, ଗତ ୯ତାରିଖରୁ ସ୍ବାବ୍‌ ପରୀକ୍ଷା ପାଇଁ ଯାଇଥିବା ୪ଜଣ ଦିଲ୍ଲୀ ଓ ସୁରତ ଫେରନ୍ତାଙ୍କ ରିପୋର୍ଟ ୧୪ଦିନ ପରେ ବି ଆସିପାରିନି। ରିପୋର୍ଟ ଆସି ନଥିବାରୁ ସେମାନଙ୍କ କ୍ବାରାଣ୍ଟିନ୍‌ ଅବଧି ସରିଥିଲେ ସୁଦ୍ଧା ଟିଏମ୍‌ସିରୁ ଛଡ଼ା ଯାଇନଥିଲା। ଏହାକୁ ନେଇ ଟିଏମ୍‌ସିରେ ଥିବା ଏହି ଯୁବକମାନେ ପ୍ରତିବାଦ କରିବା ସହ ସରପଞ୍ଚ ଓ ସାଲେପୁର ବିଡିଓଙ୍କୁ ଫୋନ୍‌ରେ କାରଣ ପଚାରିଥିଲେ ବି କୌଣସି ନିର୍ଦ୍ଧିଷ୍ଟ ଉତ୍ତର ମିଳି ନଥିଲା। ବରଂ, କଟକର ଜଣେ ଡାକ୍ତରଙ୍କ ଫୋନ ନମ୍ବର ଦେଇ ଉକ୍ତ ନମ୍ବରରେ କଥା ହେବା ପାଇଁ କହିଥିଲେ। ଯୁବକମାନେ ଉକ୍ତ ନମ୍ବରରେ ଯୋଗାଯୋଗ କରିବାରେ ଅପରପଟରୁ ସେମାନଙ୍କ ରିପୋର୍ଟ ହଜିଯାଇଥିବା ଉତ୍ତର ମିଳିଥିଲା। ଏହାକୁ ନେଇ ଚିନ୍ତାରେ ପଡ଼ି ଯାଇଥିଲେ ୪ ଯୁବକ। ୧୪ଦିନିଆ କ୍ବାରାଣ୍ଟିନ୍‌ ଅବଧି ସରିଥିବାରୁ ଘରକୁ ଯିବାକୁ ଜିଦ୍‌ ଧରିବାରୁ ଶେଷରେ ଆଜି ଦିନ ୧ଟାରେ ଅଣ୍ଡରଟେକିଙ୍ଗ ରଖାଯାଇ ହୋମ କ୍ବାରାଣ୍ଟିନ୍‌ରେ ଛଡ଼ାଯାଇଛି।

ସୂଚନାଯୋଗ୍ୟ, ଦିଲ୍ଲୀ ଫେରନ୍ତା ଯୁବକ ଏକ ଘ‌େରୋଇ କମ୍ପାନିରେ ବରିଷ୍ଠ ଅଧିକାରୀ ଥିବାବେଳେ ଗତ ୯ତାରିଖରେ ନିଜେ ଗାଡ଼ି କରି ଏକୁଟିଆ ଗାଁକୁ ଫେରିଥିଲେ। ସେତେବେ‌ଳେ ସେ ହୋମ୍‌ କ୍ବାରାଣ୍ଟିନ୍‌ରେ ଯିବାକୁ ପ୍ରଶାସନକୁ ଅନୁରୋଧ କରିଥିଲେ ବି ପ୍ରଶାସନ ଅନୁମତି ନଦେଇ ତାଙ୍କୁ ଛୋଟିପଡ଼ା ଟିଏମ୍‌ସିରେ ରଖିଥିଲା। ୧୦ତାରିଖରେ କଟକର ଚାଉଳିଆଗଞ୍ଜ ସ୍ବାବ୍‌ କେନ୍ଦ୍ରରେ ସ୍ବାବ୍‌ ଦେଇଥିଲେ ଯାହାର ରିପୋର୍ଟ ଏଯାବତ୍‌ ଆସିନାହିଁ। ତାଙ୍କ ସହିତ ଅନ୍ୟ ୩ଜଣଙ୍କର ମଧ୍ୟ ଏହିଭଳି ସମସ୍ୟା ହୋଇଛି ବୋଲି ସେ ‘ସମ୍ବାଦ’କୁ ଫୋନ କରି ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ସାଲେପୁର ବିଡିଓ ଦେବରାଜ ସେଠୀଙ୍କୁ ଯୋଗାଯୋଗ କରାଯିବାରେ ସେ କହିଛନ୍ତି ଯେ, ‘କୌଣସି ବ୍ୟକ୍ତିଙ୍କଠାରେ ଲକ୍ଷଣ ନଥିଲେ ଆମେ ୭ଦିନରେ ବି ସେମାନଙ୍କୁ ଛାଡ଼ିଦେଇପାରିବୁ। ସମସ୍ତଙ୍କ ରିପୋର୍ଟ ନେଗେଟିଭ୍‌ ଆସିଛି ତେଣୁ ସେମାନଙ୍କୁ ଛାଡ଼ି ଦିଆଯାଇଛି। ରିପୋର୍ଟ ହଜିବା ସଂପର୍କରେ ମୁଁ ଜାଣିନି ବୋଲି ସେ କହିଛନ୍ତି। ହେଲେ, ଏଠାରେ ପ୍ରଶ୍ନ ଉଠୁଛି ୧୪ଦିନ ତଳୁ ଯାଇଥିବା ସ୍ବାବ୍‌ ରିପୋର୍ଟ ଗଲା କୁଆଡେ? ଯଦି ନେଗେଟିଭ୍‌ ଆସିଛି ତେବେ ଏ ୪ଜଣଙ୍କୁ ତାହା ମିଳିଲାନି କେମିତି? ପ୍ରକୃତରେ ସେମାନଙ୍କର ରିପୋର୍ଟ ହଜିଛି ନା ସ୍ବାବ୍‌ ହଜିଛି?

ସମ୍ବନ୍ଧିତ ଖବର