ଟିଏମ୍‌ସି ପରିଚାଳନାରେ ସାଂଘାତିକ ତ୍ରୁଟି : ଘରକୁ ଯିବାର ୧୦ଘଣ୍ଟା ପରେ ରିପୋର୍ଟ ଆସିଲା ପଜିଟିଭ୍‌

କଟକ :ଟିଏମ୍‌ସି ପରିଚାଳନାରେ ସାଂଘାତିକ ତ୍ରୁଟି ପୁଣି ଥରେ ସାମ୍ନାକୁ ଆସିଛି। ଡମପଡା ବ୍ଲକ୍‌ର କୁସୁନ୍ଦା ପଂଚାୟତରେ ଉପୁଜିଥିବା ସ୍ଥିତିକୁ ନେଇ ଏବେ ଚିନ୍ତାରେ ଗ୍ରାମବାସୀ। ୧୪ଦିନର କ୍ବାରାଣ୍ଟିନ୍‌ ଅବଧି ସରିଗଲା ; କିନ୍ତୁ ତାରି ଭିତରେ ଆସିଲାନି ସ୍ବାବ୍‌ ପରୀକ୍ଷା ରିପୋର୍ଟ। ଫଳରେ ୧୧ତାରିଖ ଦିନ ୧୩ଜଣଙ୍କୁ ହୋମ କ୍ବାରାଣ୍ଟିନ୍‌କୁ ପଠାଇ ଦିଆଗଲା। ଆଉ ଘରକୁ ଯିବାର ଠିକ୍‌ ୧୦ ଘଣ୍ଟା ପରେ ରିପୋର୍ଟ ଆସିଲା ପଜିଟିଭ୍। ସେଥିରୁ ୨ଜଣ କରୋନା ଆକ୍ରାନ୍ତ ବୋଲି ଜଣା ପଡ଼ିଲା। ଏହାକୁ ନେଇ ପ୍ରଶାସନର ଚିନ୍ତା ବଢ଼ିବା ସହିତ ଦୁଇ ଆକ୍ରାନ୍ତଙ୍କ ଘରେ ପହଞ୍ଚି ପରିବାର ୬ଜଣଙ୍କ ସଦସ୍ୟଙ୍କ ସହ କୁସୁନ୍ଦା ଗୋପାଳସାହିର ଆକ୍ରାନ୍ତଙ୍କ ସହ ବୁଲିଥିବା ୩ଜଣଙ୍କୁ ସଂଗରୋଧରେ ରଖିଛି। ଆକ୍ରାନ୍ତଙ୍କ ସଂସ୍ପର୍ଶ‌ରେ ଆସିଥିବା ୯ଜଣଙ୍କୁ କୁସୁନ୍ଦା ଟିଏମ୍‌ସିରେ ସଙ୍ଗରୋଧରେ ରଖାଯାଇଛି। ସମସ୍ତଙ୍କ ସ୍ବାବ୍‌ ପରୀକ୍ଷା ପାଇଁ ପଠାଯିବ ବୋଲି ସ୍ଥାନୀୟ ସରପଞ୍ଚ ନବ କିଶୋର ବେହେରା ସୂଚନା ଦେଇଛନ୍ତି।

୨ ଆକ୍ରାନ୍ତଙ୍କ ପରିବାର ସମେତ ୯ ଜଣ ସଙ୍ଗରୋଧରେ
ଜଣେ ଆକ୍ରାନ୍ତ ଗାଁରେ ପହଂଚି ୩ ସାଙ୍ଗଙ୍କୁ ଧରି ବୁଲିଥିଲେ

image source-cdc

ହେଲେ ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଲା କୁସୁନ୍ଦା ପଞ୍ଚାୟତରେ ଗତମାସ ୨୮ତାରିଖରୁ ୪୩ଜଣ ପ୍ରବାସୀ ବିଭିନ୍ନ ରାଜ୍ୟରୁ ଆସି ସଙ୍ଗରୋଧରେ ରହିଥିଲେ। ସେମାନଙ୍କ ସ୍ବାବ୍ ପରୀକ୍ଷା ପାଇଁ ସରପଞ୍ଚ ଚିଠି ଲେଖିଲେ। ହେଲେ ମେଡିକାଲ ଟିମ୍‌ ୧୩ଜଣଙ୍କ ସ୍ବାବ୍‌ ପରୀକ୍ଷା ପାଇଁ ପଠାଯିବ ବୋଲି ନିଷ୍ପତ୍ତି ନେବା ସହ ୯ତାରିଖରେ ଅର୍ଥାତ୍‌ ୧୨ଦିନ ପରେ ସମସ୍ତଙ୍କ ସ୍ବାବ୍‌ ନେଇଥିଲେ। ହେଲେ ସଙ୍ଗରୋଧ ପାଇଁ ୧୪ଦିନ ଧାର୍ଯ୍ୟ କରାଯାଇଥିବାରୁ ରିପୋର୍ଟ ଆସିନଥିଲେ ବି ସମସ୍ତ ୧୩ଜଣଙ୍କୁ ୧୧ତାରିଖ ଦିନ ଅପରାହ୍ମ ୫ଟାରେ ଘରେ ସଂଗରୋଧରେ ରହିବାକୁ ପଠାଇଦିଆଗଲା। କିନ୍ତୁ ସେମାନେ ଘରକୁ ଫେରିବା ପରେ ୨ ଜଣ ପଜିଟିଭ୍ ବାହାରିବା ଗାଁର ସାଧାରଣ ଲୋକଙ୍କ ପାଇଁ ସଂକ୍ରମଣ ଆଶଙ୍କା ସୃଷ୍ଟି କରିଛି। ଅନ୍ୟପଟେ ୨ ଜଣ ପଜିଟିଭ୍‌ ଜଣା ପଡିବା ପରେ ବି ଗ୍ରାମ ଅଥବା ଟିଏମ୍‌ସିକୁ ୨୪ ଘଣ୍ଟା ପର୍ଯ୍ୟନ୍ତ ସାନିଟାଇଜ୍ କରାଯାଇ ନ ପାରିବା ଘଟଣା ଗ୍ରାମବାସୀଙ୍କ ମଧ୍ୟରେ ପ୍ରତିକ୍ରିୟାର କାରଣ ହୋଇଛି। ବ୍ଲିଚିଂ ପାଉଡର ନଥିବାରୁ ଟିଏମସି ବିଶୋଧନ ବି ହୋଇ ପାରୁ ନଥିବା କୁହାଯାଉଛି। ଏଭଳି ଅବହେଳା ଗୋଷ୍ଠୀ ସଂକ୍ରମଣକୁ ବାଟ କଢ଼ାଉଥିବା ଅଭିଯୋଗ ହେଉଛି।

ସମ୍ବନ୍ଧିତ ଖବର