ଯୁବପିଢ଼ି ସ୍ବାଧୀନତାର ମୂଲ୍ୟବୋଧକୁ ଅକ୍ଷୁଣ୍ଣ ରଖନ୍ତୁ

ସ୍ବାଧୀନତା ଦିବସରେ ରାଜ୍ୟବାସୀଙ୍କୁ ପିସିସି ସଭାପତିଙ୍କ ଆହ୍ବାନ

ଭୁବନେଶ୍ବର : ୭୫ତମ ସ୍ବାଧୀନତା ଦିବସ ଉପଲକ୍ଷେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଶ‌ୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ଶୁଭେଚ୍ଛା ବାର୍ତାରେ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ସ୍ବାଧୀନତାର ମୂଲ୍ୟବୋଧକୁ ଅକ୍ଷୁଣ୍ଣ ରଖିବା ପାଇଁ ଯୁବପିଢ଼ି ଓ ଛାତ୍ରଛାତ୍ରୀ ସବୁବେଳେ ଚେଷ୍ଟିତ ରହିବେ ବୋଲି ଆଶା। ସ୍ବାଧୀନତାର ଅର୍ଥ ସମାନତା ଓ ବ୍ୟକ୍ତି ଅଧିକାରକୁ ସୁରକ୍ଷା ରଖିବା। ସ୍ବାଧୀନତା ଦିବସ ଆମ ପାଇଁ ଏକ ପବିତ୍ର ଓ ସ୍ବତନ୍ତ୍ର ଦିବସ। ରାଜ୍ୟର ବହୁ ନେତୃବୃନ୍ଦ, ସଂଗ୍ରାମୀଙ୍କ ତ୍ୟାଗ ଓ ବଳିଦାନ ଯୋଗୁଁ ଆମେ ସ୍ବାଧୀନତା ପାଇଛୁ। ଏହା ଭିତରେ ୭୪ବର୍ଷ ଅତିକ୍ରାନ୍ତ ହୋଇସାରିଛି। ଦେଶ ତଥା ରାଜ୍ୟ ଏବେ ସଂକଟମୟ ସମୟ ଦେଇ ଗତି କରୁଛି। ଦୀର୍ଘ ୧୮ମାସ କାଳ କରୋନା ମହାମାରୀରେ ରାଜ୍ୟର ଜନସାଧାରଣ ଜୀବନ ଓ ଜୀବିକା ଭିତରେ ଲଢ଼େଇ କରୁଛନ୍ତି। କେନ୍ଦ୍ରରେ ମୋଦୀ ସରକାର ସାଧାରଣ ଜନତାକୁ ସାହାଯ୍ୟ କରିବା ପରିବର୍ତେ ପେଟ୍ରୋଲ, ଡିଜେଲ, ଡାଲି ଓ ଖାଇବା ତେଲଠାରୁ ଆରମ୍ଭ କରି ନିତ୍ୟ ବ୍ୟବହାର୍ଯ୍ୟ ଦରଦାମ ବୃଦ୍ଧି କରି ଚାଲିଛନ୍ତି। ଲୋକଙ୍କ ପାଖରେ ରୋଜଗାର ନ ଥିବା ବେଳେ ଗୁଜୁରାଣ ମେଣ୍ଟାଇବା କଷ୍ଟକର ହୋଇ ପଡ଼ିଲାଣି। ତେଣୁ ସମ୍ବିଧାନ ଓ ଗଣତନ୍ତ୍ରର ମୂଲ୍ୟବୋଧକୁ ରକ୍ଷା କରିବା ଲାଗି ସମସ୍ତଙ୍କୁ ଏକାଠି ହେବାକୁ ପଡ଼ିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର