ଯାଜପୁର : ଯାଜପୁର ବ୍ଲକ୍ ପଣସା ପଞ୍ଚାୟତ କୁଞ୍ଜବିହାରୀପୁର ଅଞ୍ଚଳର ରଜନୀକାନ୍ତ ଶତପଥୀଙ୍କୁ ବନ୍ୟା ଦେଇଛି ଲୋମଟାଙ୍କୁରା ଅନୁଭୂତି। ଜୀବନ ମରଣର ଦୋ'ଛକିରେ ଏକ ଗଛ ଉପରେ ସେ ବିତାଇଛନ୍ତି ୩୬ ଘଣ୍ଟା। ତଳେ ବୈତରଣୀର ଜଳସ୍ରୋତ। ସେଥିରେ ପୁଣି ଭୋକଉପାସ ଯନ୍ତ୍ରଣା। ତଳେ ପ୍ରବଳ ପାଣି, ହେଲେ ପିଇବାକୁ ଟୋପାଏ ପାଣି ନାହିଁ। ରାତିଦିନ ଏମିତି ଗଛରେ ବସି ରହିଥିଲେ। ଶେଷରେ ୩୬ ଘଣ୍ଟା ପରେ ଓଡ୍ରାଫ୍ ଟିମ୍ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ। ତାଙ୍କ କହିବା ଅନୁସାରେ ବୈତରଣୀ କୂଳରେ ଥିବା ତାଙ୍କର କୁକୁଡ଼ା ଫାର୍ମକୁ ସେ ଯାଇଥିଲେ। ଏହା ଭିତରେ ବୈତରଣୀରେ ବନ୍ୟାପାଣି ମାଡ଼ିଆସିଥିଲା। ସେ ଆଉ କୁଆଡ଼େ ଯାଇ ପାରିନଥିଲେ। ଘରକୁ ମଧ୍ୟ ଫେରିବା ସମ୍ଭବ ନଥିଲା। କିଛି ଉପାୟ ନପାଇ ଜୀବନ ବିକଳରେ ଏକ ଗଛକୁ ଚଢ଼ି ଯାଇଥିଲେ। ମୋବାଇଲ ଯୋଗାଯୋଗରେ ମଧ୍ୟ ସମସ୍ୟା ହୋଇଥିଲା। ତିନିଦିନ ବେଳକୁ ଓଡ୍ରାଫ୍ ଟିମ୍ ତାଙ୍କୁ ଗଛରୁ ଉଦ୍ଧାର କରିଥିଲେ। ସେହି ୩୬ ଘଣ୍ଟା ନଦୀ ସୁଅ ଭିତରେ ରହିବା କଥା ଭାବିଲା ବେଳକୁ ଲୋମ ଟାଙ୍କୁରି ଉଠୁଛି ବୋଲି ରଜନୀ 'ସମ୍ବାଦ'କୁ କହିଛନ୍ତି। ତାଙ୍କ ଫାର୍ମରେ ଥିବା ୨୫ ଶହ ପାଖାପାଖି କୁକୁଡ଼ା ପାଣିରେ ଭାସି ଯାଇଛନ୍ତି। ଯେତିକି ରକ୍ଷା ପାଇଛନ୍ତି ସେଗୁଡ଼ିକ ବି ପାଣି ମାଡ଼ ଖାଇଥିବାରୁ ବେଶି ଦିନ ବଞ୍ଚିବେ ନାହିଁ ବୋଲି ରଜନୀ କହିଛନ୍ତି। ଜୀବନ ରହିଗଲା ସିନା, କିନ୍ତୁ ଲକ୍ଷାଧିକ ଟଙ୍କା କ୍ଷତି ହେବା ସହ ଜୀବିକା ଉଜୁଡ଼ିଗଲା ବୋଲି ରଜନୀ କହିଛନ୍ତି।
ଟାପୁ ଉପରେ ୨ ଦିନ ଫସିରହିଲେ ୧୨ଯୁବକ
ଗତ୨୮ତାରିଖ ରାତିରେ ରସୁଲପୁର ବ୍ଲକ୍ ମଙ୍ଗରାଜପୁର ପଞ୍ଚାୟତର ଲଙ୍କାବାଲିସାହି ନିକଟରେ ବ୍ରାହ୍ମଣୀ ନଦୀରେ ଘାଇ ହୋଇଥିଲା। ଘାଇ ଦେଖିବା ପାଇଁ ବ୍ରହ୍ମବରଦା, କାକୁଡ଼ିକୁଦ ଓ ଅନ୍ୟାନ୍ୟ ଅଞ୍ଚଳର ଯୁବକମାନେ ସେଠାକୁ ଯାଇଥିଲା। ମାତ୍ର କିଛି ସମୟ ପରେ ଲଙ୍କାବାଲିସାହି ଠାରୁ କିଛି ଦୂରରେ ଖଣ୍ଡାସଠାରେ ବ୍ରାହ୍ମଣୀରେ ଅନ୍ୟ ଏକ ଘାଇ ହୋଇଯାଇଥିଲା। ଫଳରେ ଦୁଇ ଘାଇ ମଧ୍ୟରେ ଦେଖିବାକୁ ଯାଇଥିବା ଲୋକମାନଙ୍କ ମଧ୍ୟରୁ ୧୨ଜଣ ଯୁବକ ଅଟକି ଯାଇଥିଲେ। ପର୍ଯ୍ୟାୟ କ୍ରମେ ଦୁଇ ଘାଇ ବିସ୍ତାର ଲାଭ କରିଥିବା ସହିତ ପ୍ରବଳ ବନ୍ୟା ଜଳ ପ୍ରବାହିତ ହେବାରୁ ଏମାନେ ଗତ୨୮ତାରିଖ ରାତିରୁ ଆଜି ମଧ୍ୟାହ୍ନ ପର୍ଯ୍ୟନ୍ତ ସେହି ଟାପୁରେ ଭୋକ ଉପବାସରେ ଅଟକି ରହିଥିଲେ। ଲୋକମାନେ ସେମାନଙ୍କୁ ଦେଖୁଥିଲେ ହେଁ ଘାଇ ମୁହଁରୁ ରକ୍ଷା କରିବା ପାଇଁ ସାହସ କରିନଥିଲେ। ପ୍ରଶାସନର ସହାୟତା ନେବା ପରେ ଉଦ୍ଧାରକାରୀ ଦଳ ଆଜି ସେମାନଙ୍କୁ ଉଦ୍ଧାର କରିଛନ୍ତି।
ବିପନ୍ନଙ୍କୁ ଉଦ୍ଧାର କରିବାକୁ ଯାଇ ପାଇଲେ ୨ ନରକଙ୍କାଳ
ବନ୍ୟାରେ ଜଳବନ୍ଦୀ ଅବସ୍ଥାରେ ଥିବା ଲୋକଙ୍କୁ ଉଦ୍ଧାର ପାଇଁ ଯାଇଥିଲେ ଅଗ୍ନିଶମ କର୍ମଚାରୀ ଓ ପୁଲିସ । ସେମାନେ ବୈତରଣୀ ନଦୀରେ ଭାସି ଆସିଥିବା ୨ଟି ନରକଙ୍କାଳକୁ ଜବତ କରିଛନ୍ତି। କୋରେଇ ଥାନା ଅନ୍ତର୍ଗତ ବୈତରଣୀର ଧନତ୍ରୀ ଘାଟରୁ ଏହି ୨ଟି ନର କଙ୍କାଳ ମିଳିଛ। ତେବେ ଉଦ୍ଧାର ହୋଇଥିବା ନରକଙ୍କାଳ ପୁରୁଷ ନା ମହିଳାଙ୍କ ତାହା ସ୍ପଷ୍ଟ ହୋଇନାହିଁ। ପରୀକ୍ଷାଗାରରେ ପରୀକ୍ଷା ହେବା ପରେ ଏହା ସ୍ପଷ୍ଟ ହେବ। ପୁଲିସର ପ୍ରାଥମିକ ତଦନ୍ତ ଅନୁଯାଇ ଏହା ଏକ ହତ୍ୟାକାଣ୍ଡ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି। କୌଣସି ଏକ ସ୍ଥାନରେ ୨ ଜଣଙ୍କୁ ହତ୍ୟା କରି ମାଟି ଭିତରେ ପୋତି ଦିଆଯାଇଥିଲା। ଲଗାଣ ବର୍ଷା ପରେ ମାଟି ଧୋଇଯିବାରୁ ନର କଙ୍କାଳ ନଦୀ ଜଳରେ ଭାସିଯାଇ ଧନତ୍ରୀ ଘାଟରେ ଲାଗିଥିବା ସନ୍ଦେହ କରାଯାଉଛି।