ଲମତାପୁଟ: ଡ୍ରୋନ୍ କ୍ୟାମେରାରେ ଭିଡ଼ିଓ ଉତ୍ତୋଳନ ବେଳେ ଭାସିଗଲେ ପର୍ଯ୍ୟଟକ। ମାଛକୁଣ୍ଡ ଡୁଡୁମା ଜଳପ୍ରପାତରେ ଡ୍ରନ କେମେରା ସାହାଯ୍ୟରେ ଜଣେ ପର୍ଯ୍ୟଟକ ଭିଡ଼ିଓ ଉତ୍ତୋଳନ କରୁଥିବା ସମୟରେ ବନ୍ୟା ଜଳରେ ଭାସି ଯାଇ ନିଖୋଜ ହୋଇଯାଇଛନ୍ତି। ନିଖୋଜ ଯୁବକ ଜଣକ ବ୍ରହ୍ମପୁର ଅଞ୍ଚଳର ହୋଇଥିବା ବେଳେ ସେ ଜଣେ ୟୁଟ୍ୟୁବ ବ୍ଲଗର ବୋଲି ଜଣାପଡିଛି।
ସୂଚନା ଅନୁଯାୟୀ, ମାଛକୁଣ୍ଡ ଡୁଡୁମା ଜଳପ୍ରପାତକୁ ଦେଖିବା ନିମନ୍ତେ କଟକ ଅଞ୍ଚଳର ଅଭିଜିତ ବେହେରା ଓ ବ୍ରହ୍ମପୁର ଅଞ୍ଚଳର ସାଗର ଟୁଡୁ (୨୨) ଦୁଇଜଣ ସାଙ୍ଗ ହୋଇ କୋରାପୁଟ ଯାଇଥିଲେ। ଡୁଡୁମା ଜଳପ୍ରପାତର ଉପରପାର୍ଶ୍ୱରେ ଦୁଇ ଜଣ ସାଙ୍ଗ ହୋଇ ଭିଡ଼ିଓ ଫୋଟ ଉଠାଇଥିବା ବେଳେ ସେଠାରେ କିଛି ପର୍ଯ୍ୟଟକ ଏବଂ ସ୍ଥାନୀୟ ଅଞ୍ଚଳବାସୀ ମଧ୍ୟ ଉପସ୍ଥିତ ଥିଲେ। କିଛିଦିନ ହେଲା ରାଜ୍ୟରେ ବିଭିନ୍ନ ଜାଗାରେ ଲଗାଣ ବର୍ଷା ହେଉଥିବା ବେଳେ ଲମତାପୁଟ ବ୍ଲକରେ ମଧ୍ୟ ଭୀଷଣ ବର୍ଷା ହୋଇ ମାଛକୁଣ୍ଡ ଜଳ ବିଦ୍ୟୁତ ପ୍ରକଳ୍ପ ମୁଖ୍ୟ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇବାରୁ ଡ୍ୟାମ କର୍ତ୍ତୃପକ୍ଷ ଅପରାହ୍ନ ସମୟରେ ୨ ହଜାର କ୍ୟୁସେଜ ଜଳ ମାଛକୁଣ୍ଡ ଡ୍ୟାମକୁ ଛାଡିଥିଲେ।
ଡ୍ୟାମରେ ଜଲାପୁଟ ଜଳଭଣ୍ଡାର ଜଳ ପହଞ୍ଚିବା ପରେ ମାଛକୁଣ୍ଡ ଡ୍ୟାମରେ ଜଳସ୍ତର ବୃଦ୍ଧି ପାଇଥିଲା। ବିଭାଗୀୟ ଅଧିକାରୀ ଡ୍ୟାମର ସୁରକ୍ଷା ଦୃଷ୍ଟିରେ ରଖି ଆବଶ୍ୟକ ପାଣି ରଖି ବାକି ପାଣି ନିଷ୍କାସନ କରିବାକୁ ବାଧ୍ୟ ହୋଇଥିଲେ। ହଠାତ ଡ୍ୟାମର ୭ ନମ୍ବର ଗେଟରୁ ୧୫ ଶହ କ୍ୟୁସେଜ ଜଳ ତିନିଥର ସାଇରନ ମାରି ଛଡ଼ାଯାଇଥିଲା। ଡୁଡୁମା ଜଳପ୍ରପାତରେ ଉପର ପାର୍ଶ୍ୱରେ କିଛି ପର୍ଯ୍ୟଟକ, ସ୍ଥାନୀୟ ଅଞ୍ଚଳବାସୀ ଏବଂ ନିଖୋଜ ଯୁବକ ସହିତ ସାଙ୍ଗ ଉପସ୍ଥିତ ଥିଲେ।
ସାଇରନ ଶବ୍ଦ ଶୁଣି ମାଛ ମାରିବାକୁ ଯାଇଥିବା କେଉଟ ମାନେ ନଦୀରେ ବନ୍ୟା ଜଳ ଆସୁଥିବା ଦେଖିନେଇ ପ୍ରାଣବିକଳରେ ଦୌଡ଼ିଥିବା ବେଳେ ଉକ୍ତ ୟୁଟ୍ୟୁବର ଜଣକ ମଝି ନଦୀର ବନ୍ୟା ଜଳରେ ଅଟକି ରହିଗଲେ। ନିଖୋଜ ଯୁବକଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ସେ ଜଳପ୍ରପାତକୁ ଖସିଯାଇଥିଲେ। ଏହି ଘଟଣାଟି ସମଗ୍ର ଅଞ୍ଚଳରେ ପ୍ରସାରିତ ହେବାପରେ ଘଟଣାସ୍ଥଳରେ ଲମତାପୁଟ ଅଗ୍ନିଶମ ବିଭାଗ କର୍ମଚାରୀ ଓ ମାଛକୁଣ୍ଡ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିବା ସହ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ଖବର ଲେଖିବା ପର୍ଯ୍ୟନ୍ତ ନିଖୋଜ ପର୍ଯ୍ୟଟକଙ୍କ କୌଣସି ସନ୍ଧାନ ମିଳିପାରିନାହିଁ।
Koraput | Odisha