ଶ୍ରୀମନ୍ଦିର ଭିଡିଓ ଭାଇରାଲ ଘଟଣା: କ୍ଷମା ଯାଚନା କଲେ କୋଲକାତାର ୟୁଟ୍ୟୁବର ଅନିମେଶ

ପୁରୀ: ଶ୍ରୀମନ୍ଦିର ଭିଡିଓ ଭାଇରାଲ ଘଟଣାକୁ ନେଇ ସିଂହଦ୍ୱାର ଥାନାରେ ଏତଲା ଦିଆଯିବା ପରେ କୋଲକାତାର ୟୁଟ୍ୟୁବର ଅନିମେଶ ଚକ୍ରବର୍ତ୍ତୀ କ୍ଷମା ଯାଚନା କରିଛନ୍ତି। ଏକ ଭିଡିଓ ଜାରି କରି ସେ ପ୍ରଭୁ ଜଗନ୍ନାଥ ଓ ଓଡ଼ିଶାବାସୀଙ୍କୁ କ୍ଷମା ମାଗିଛନ୍ତି। ଅନିମେଶ କହିଛନ୍ତି, ସେ ଡ୍ରୋନ ଉଡାଇ ଭିଡିଓ ସୁଟ କଲା ବେଳେ ନୋ ଫ୍ଲାଇଂ ଜୋନ ବାବଦରେ ଆଦୌ ଜାଣିନଥିଲେ। ତାଙ୍କର ଏପରି କାର୍ଯ୍ୟ ଯଦି କାହା ମନରେ ଆଘାତ ଦେଇଛି, ତେବେ ସେ କ୍ଷମା ମାଗି ନେଉଛନ୍ତି ବୋଲି ଭିଡିଓରେ ନେହୁରା ହୋଇଛନ୍ତି । ଅନିମେଶ କହିଛନ୍ତି ଯେ ଅନ୍ୟ ବ୍ଲଗର ବିଭିନ୍ନ ପ୍ରଶ୍ନ କରିବାରୁ ପୁଲିସର ଅନୁମତି ନେଇଥିବା କହିଥିଲେ । କିନ୍ତୁ ପ୍ରକୃତରେ ପୁଲିସର ଅନୁମତି ନନେଇ ପୁରୀ ପୁଲିସର ନାଁ ନେଇଥିବାରୁ ପୁରୀ ପୁଲିସକୁ ମଧ୍ୟ ସେ କ୍ଷମା ମାଗିଛନ୍ତି `

ସୂଚନାଯୋଗ୍ୟ, କୋଲକାତାର ଅନିମେଶ ଚକ୍ରବର୍ତ୍ତୀ ନାମକ ଯୁବକ ୟୁନିଫାଏଡ୍ ଅନିମେଶ ନାଁରେ ଏକ ୟୁ-ଟ୍ୟୁବ ଚ୍ୟାନେଲ୍ରେ ଗତ ନଭେମ୍ବର ୧୯ ତାରିଖରେ ଶ୍ରୀମନ୍ଦିର ଉପର ଓ ଭିତର ବେଢ଼ାର ସ୍ପଷ୍ଟ ଭିଡିଓ ଚିତ୍ର ଅପଲୋଡ୍ କରିଛନ୍ତି। ଯେଉଁ ଭିଡିଓ ଉପରେ ୟୁନିଫାଏଡ୍ ଅନିମେଶ ଓ ୟୁନିଫାଏଡ୍ ମୁଭିର ୱାଟର ମାର୍କ ରହିଛି। ଏହି ଭିଡିଓରେ ନୀଳଚକ୍ର ବାନା ବାନ୍ଧିବା ସହ ଅଁଳାବେଢ଼ାର ଉପର ଚିତ୍ର ଦେଖିବାକୁ ମିଳିଛି। ଏହି ଭିଡିଓ ଶ୍ରୀମନ୍ଦିରର ମୁଖ୍ୟ ମନ୍ଦିର ଉପରୁ ଏତେ ନିକଟରୁ ଉତ୍ତୋଳନ କରାଯାଇଛି ଯେ ଶ୍ରୀମନ୍ଦିର ଅଁଳା ବେଢ଼ା ଉପର ଓ ଶ୍ରୀମନ୍ଦିର ଭିତର ବେଢ଼ାର ଚିତ୍ର ସମ୍ପୂର୍ଣ୍ଣ ଦୃଶ୍ୟମାନ ହେଉଛି। ବଡ଼କଥା ହେଉଛି, ଶ୍ରୀମନ୍ଦିର ଉପର ଓ ଏହାର ଚାରିପାଖ ନୋ ପ୍ଲାଇଂ ଜୋନ୍। କୌଣସି ହେଲିକପ୍ଟର କି ଡ୍ରୋନ୍ ଏହା ଉପରେ ଉଡ଼ିପାରିବନାହିଁ। ତଥାପି କିଏ ଓ କାହା ଅନୁମତିରେ ଏହି ଭିଡିଓ ଓ ଫଟୋ ଉତ୍ତୋଳନ କଲେ, ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହା ପଛରେ ଜିଲ୍ଲା ପ୍ରଶାସନ ସହ ବଡ଼ବଡ଼ିଆ ଅଧିକାରୀଙ୍କ ହାତ ଥିବା ଅଭିଯୋଗ ହୋଇଛି। ଖୋଳତାଡ଼ ପରେ ଅନିମେଶ ୟୁନିଫାଏଡ୍ ମୁଭିଜ୍ ବ୍ୟାନରରେ କ୍ଷୁଦ୍ର ଚଳଚିତ୍ର ଓ ୱେବ ସିରିଜ୍ ତିଆରି କରୁଥିବା ଜଣାପଡ଼ିଛି।
ଅନ୍ୟପଟେ ଜଣେ ଭକ୍ତ ଅନିମେଶଙ୍କୁ ଏହି ଡ୍ରୋନ୍ ଭିଡିଓ ମାଗିଥିଲେ। କିନ୍ତୁ ସମ୍ପୂର୍ଣ୍ଣ ଡ୍ରୋନ୍ ଭିଡିଓ ତ ଦୂରର କଥା ଏହାର ଗୋଟିଏ ପଟର ଛୋଟ ଫୁଟେଜ୍ ପାଇଁ ଅନିମେଶ ତାଙ୍କୁ ୨୦ହଜାର ଟଙ୍କା ଦାବି କରିଥିଲେ। ସୋସିଆଲ୍ ସାଇଟ୍ରେ ଅନିମେଶଙ୍କ ସହ ସମ୍ପୃକ୍ତ ଭକ୍ତଙ୍କ ବାର୍ତ୍ତାଳାପର ଏହି ଚାଟ୍ ଏବେ ସୋସିଆଲ୍ ମିଡିଆରେ ବି ଭାଇରାଲ୍ ହେଉଛି। ଏ ସମ୍ପର୍କରେ ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ ଭି ଏସ୍ ଚନ୍ଦ୍ରଶେଖର ରାଓ କହିଛନ୍ତି, ଆମେ ଏ ସମ୍ପର୍କିତ ଅଭିଯୋଗ ପାଇବା ପରେ ଘଟଣାର ତଦନ୍ତ ଆରମ୍ଭ କରିଛୁ। ବିଭିନ୍ନ ଦିଗକୁ ଆଧାର କରି ତର୍ଜମା କରାଯାଉଛି। ଆବଶ୍ୟକ ତଥ୍ୟ ପ୍ରମାଣ ପାଇବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଶ୍ରୀ ରାଓ କହିଛନ୍ତି।

 

ସମ୍ବନ୍ଧିତ ଖବର