ଲମତାପୁଟ: ଲମତାପୁଟ ବ୍ଲକ୍‌ ମାଛକୁଣ୍ଡ ଜଳପ୍ରପାତ ବୁଲିବାକୁ ଆସିଥିବା ଜଣେ ୟୁଟ୍ୟୁବର୍‌ ଭାସି ଯାଇଛନ୍ତି। ନିଖୋଜ ୟୁଟ୍ୟୁବର୍‌ ବ୍ରହ୍ମପୁର ଅଞ୍ଚଳର ସାଗର ଟୁଡୁ (୨୨) ବୋଲି ସୂଚନା ମିଳିଛି। ନିଜ ଚ୍ୟାନେଲ୍‌ ନିମନ୍ତେ ଡ୍ରୋନ୍‌ କ୍ୟାମେରାରେ ଭିଡିଓ ରେକର୍ଡ କରିବା ସମୟରେ ବନ୍ୟାଜଳ ତାଙ୍କୁ ଭସାଇ ନେଇଥିବା ସୂଚନା ମିଳିଛି। କଟକ ଅଞ୍ଚଳର ଅଭିଜିତ ବେହେରା ଓ ସାଗର ସାଙ୍ଗ ହୋଇ କୋରାପୁଟ ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନସ୍ଥଳ ବୁଲିବାକୁ ଆସିଥିଲେ। ଦୁହେଁ ଆଜି ଡୁଡୁମା ଜଳପ୍ରପାତ ବୁଲିବାକୁ ଯାଇଥିଲେ। ଜଳପ୍ରପାତର ଉପର ପାର୍ଶ୍ୱରେ ଦୁହେଁ ଡ୍ରୋନ୍‌ରେ ଭିଡିଓ ରେକର୍ଡ କରୁଥିଲେ। ଆଖପାଖରେ କିଛି ପର୍ଯ୍ୟଟକ ଏବଂ ସ୍ଥାନୀୟ ଲୋକ ଚଳପ୍ରଚଳ କରୁଥିଲେ।

Advertisment

ତେବେ ଲଗାଣ ବର୍ଷା ଯୋଗୁଁ ମାଛକୁଣ୍ଡ ଜଳବିଦ୍ୟୁତ୍‌ ପ୍ରକଳ୍ପର ମୁଖ୍ୟ ଜଳଭଣ୍ଡାର ଜଳସ୍ତର ବୃଦ୍ଧି ପାଇଥିଲା। ତେଣୁ ଡ୍ୟାମ୍‌ କର୍ତ୍ତୃପକ୍ଷ ଅପରାହ୍ଣରେ ୨ହଜାର କ୍ୟୁସେକ୍‌ ଜଳ ମାଛକୁଣ୍ଡ ଡି-ଡ୍ୟାମ୍‌ରୁ ଛାଡ଼ିଥିଲେ। ସୁରକ୍ଷା ଦୃଷ୍ଟିରୁ ଜଳ ନିଷ୍କାସନ କରିବାକୁ ବିଭାଗୀୟ ଅଧିକାରୀ ବାଧ୍ୟ ହୋଇଥିଲେ। ଡି-ଡ୍ୟାମ୍‌ର ୭ ନମ୍ବର ଗେଟ୍‌ରୁ ଜଳ ନିଷ୍କାସନ ପୂର୍ବରୁ ୩ ଥର ସାଇରନ ମଧ୍ୟ ବାଜିଥିଲା। ଏହା ପରେ ପ୍ରବଳ ବେଗରେ ପାଣି ଆସିବାରୁ ମାଛ ଧରିବାକୁ ଯାଇଥିବା କେଉଟ, ପର୍ଯ୍ୟଟକ ପ୍ରାଣ ବିକଳରେ ସେଠାରୁ ଦୌଡ଼ିବା ଆରମ୍ଭ କରିଥିଲେ। କିନ୍ତୁ ସାଗର ଫସି ଯାଇଥିଲେ। ପ୍ରଖର ଜଳସ୍ରୋତ ତାଙ୍କୁ ଡୁଡୁମା ଜଳପ୍ରପାତ ଭିତରକୁ ଭସାଇ ନେଇଥିଲା। ଆଖପାଖରେ ଥିବା ଲୋକେ ଉଦ୍ଧାର କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ। ଖବର ମିଳିବା ପରେ ଅଗ୍ନିଶମ ବିଭାଗ କର୍ମଚାରୀ ଏବଂ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ। ଖବର ଲେଖାଯିବା ସୁଦ୍ଧା ନିଖୋଜ ପର୍ଯ୍ୟଟକଙ୍କ ସନ୍ଧାନ ମିଳିପାରି ନାହିଁ। ସୂଚନାଯୋଗ୍ୟ, ଜୁନ୍‌ ମାସରେ ଭୁବନେଶ୍ବରରୁ ଆସିଥିବା ଜଣେ ପର୍ଯ୍ୟଟକ ଜଳପ୍ରପାତରେ ଭାସି ଯାଇଥିଲେ। ଆଜି ପର୍ଯ୍ୟନ୍ତ ତାଙ୍କର ସନ୍ଧାନ ମିଳିପାରି ନାହିଁ।