ଓଡ଼ିଆ ଯୁବକ, ଯୁବତୀଙ୍କୁ ନିଯୁକ୍ତି ଦାବି : କେନ୍ଦ୍ରୀୟ ପିଏସ୍‌ୟୁ ସାମ୍ନାରେ ବିକ୍ଷୋଭ କଲା ଯୁବ-ଛାତ୍ର ବିଜେଡି

ଭୁବନେଶ୍ବର : ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଏମ୍ପ୍ଲୟମେଣ୍ଟ୍ ଏକ୍ସଚେଞ୍ଜ୍‌ରେ ତାଲା ପକାଯାଇଥିଲା ବେଳେ ବିଜେଡି ପକ୍ଷରୁ କେନ୍ଦ୍ର ସରକାରଙ୍କୁ ପାଲଟା ଆକ୍ରମଣ କରାଯାଇଛି। ଓଡ଼ିଶାର ଯୁବକ, ଯୁବତୀଙ୍କୁ ନିଯୁକ୍ତି ସୁଯୋଗ ନ ଦେଇ ପ୍ରତାରଣା କରୁଥିବା ପ୍ରତିବାଦରେ ରାଷ୍ଟ୍ରାୟତ୍ତ ଉଦ୍ୟୋଗ(ପିଏସ୍‌ୟୁ) ସାମ୍ନାରେ ବିଜେଡି ଯୁବ ଓ ଛାତ୍ର ଶାଖା ପକ୍ଷରୁ ଆଜିଠାରୁ ବିକ୍ଷୋଭ ପ୍ରଦର୍ଶନ ଆରମ୍ଭ ହୋଇଛି। ଆଜି ଦକ୍ଷିଣାଞ୍ଚଳ ଆର୍‌ଡିସି ଜୋନ୍‌‌େର ଥିବା କେନ୍ଦ୍ରୀୟ ପିଏସ୍‌ୟୁ ସାମ୍ନାରେ ବିକ୍ଷୋଭ କରାଯାଇଥିଲା ବେଳେ ଆସନ୍ତାକାଲି ପଶ୍ଚିମାଞ୍ଚଳ ଆର୍‌ଡିସି ଜୋନ୍ ଓ ୮ରେ କେନ୍ଦ୍ରୀୟ ଆର୍‌ଡିସି ଜୋନ୍‌ରେ ଥିବା ‌କେନ୍ଦ୍ରୀୟ ପିଏସ୍‌ୟୁ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରାଯିବ।

ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ଅମରେଶ ପତ୍ରୀ କହିଛନ୍ତି, ଓଡ଼ିଶାରେ ୩୦ରୁ ଅଧିକ କେନ୍ଦ୍ରୀୟ ପିଏସ୍‌ୟୁ ଥିଲା ବେଳେ ଓଡ଼ିଆ ଯୁବକ, ଯୁବତୀଙ୍କ ପାଇଁ ସେଥିରେ ନିଯୁକ୍ତି ସୁଯୋଗ ନାହିଁ। କେନ୍ଦ୍ର ସରକାର ଏହି ପିଏସ୍‌ୟୁଗୁଡ଼ିକରେ ଅନ୍ୟ ରାଜ୍ୟରୁ ଯୁବକ, ଯବୁତୀଙ୍କୁ ନିଯୁକ୍ତି ଦେଉଥିଲା ବେଳେ ଓଡ଼ିଶାର ଯୁବଶକ୍ତି ପ୍ରତି ଧ୍ୟାନ ଦେଉ ନାହାନ୍ତି। କେନ୍ଦ୍ରୀୟ ପିଏସ୍‌ୟୁଗୁଡ଼ିକ ଓଡ଼ିଶାରୁ କୋଟି କୋଟି ଟଙ୍କା ଲାଭ ଆକାରରେ ନେଉଥିଲା ବେଳେ ଓଡ଼ିଶାର ଯୁବଶକ୍ତିଙ୍କ ପ୍ରତି ଉଦାସୀନ ମନୋଭାବ ପୋଷଣ କରୁଛନ୍ତି। ଓଡ଼ିଶାରେ ଶିଳ୍ପର ପ୍ରଗତି ପାଇଁ ଶିଳ୍ପ କରିଡର୍‌ର ଆବଶ୍ୟକତା ରହିଛି। ବାରମ୍ବାର ବିଜେଡି ସରକାରଙ୍କ ଅନୁରୋଧ ସ‌େତ୍ତ୍ବ କେନ୍ଦ୍ର ସରକାର ଟାଳଟୁଳ ନୀତି ଅବଲମ୍ବନ କରି ଓଡ଼ିଶାର ଦାବିକୁ ଅଗ୍ରାହ୍ୟ କରି ଆସୁଛନ୍ତି। କେନ୍ଦ୍ର ସରକାର ତାଙ୍କର ଓଡ଼ିଶା ତଥା ଯୁବ ବିରୋଧୀ ଆଭିମୁଖ୍ୟକୁ ବଦଳାଇ ନିଯୁକ୍ତି ସୁଯୋଗ ସୃଷ୍ଟି ନ କରିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଶ୍ରୀ ପତ୍ରୀ କହିଛନ୍ତି।

ସମ୍ବନ୍ଧିତ ଖବର