ଯୁବ ମହୋତ୍ସବ ସାଂସ୍କୃତିକ ଶୋଭାଯାତ୍ରା : ଯୋଗଦେଲେ ବିଭିନ୍ନ ରାଜ୍ୟର ଛାତ୍ରଛାତ୍ରୀ

ରାଷ୍ଟ୍ରୀୟ ସଂସ୍କୃତ ସଂସ୍ଥାନ ପକ୍ଷରୁ ଆୟୋଜିତ, ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ

ପୁରୀ : ଶ୍ରୀସଦାଶିବ ପରିସରସ୍ଥିତ ରାଷ୍ଟ୍ରୀୟ ସଂସ୍କୃତ ସଂସ୍ଥାନ( ମାନିତ ବିଶ୍ବବିଦ୍ୟାଳୟ) ପୁରୀ ପକ୍ଷରୁ ଅନ୍ତଃପରିସରୀୟ ଏକାଦଶ ଅଖିଳ ଭାରତୀୟ ଯୁବ ମହୋତ୍ସବ ଆଜିଠାରୁ ଆରମ୍ଭ ହୋଇଛି। ଏହି ଯୁବ ମହୋତ୍ସବ ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଆଜି ମହୋତ୍ସବ ପାଇଁ ଏକ ସାଂସ୍କୃତିକ ଶୋଭାଯାତ୍ରା ବାହାରିଥିଲା। ମହୋତ୍ସବରେ କେରଳର ଗୁରୁବାୟୁ, କର୍ଣ୍ଣାଟକର ଶୃଙ୍ଗେରୀ, ଜାମ୍ମୁ-କାଶ୍ମୀରର ଜାମ୍ମୁ, ହିମାଚଳ ପ୍ରଦେଶର ବ‌ାଲାହାର, ଉତ୍ତରାଖଣ୍ଡର ଦେବ ପ୍ରୟାଗ, ମହାରାଷ୍ଟ୍ରର ମୁମ୍ବାଇ, ରାଜସ୍ଥାନର ଜୟପୁର, ତ୍ରିପୁରାରର ଅଗରତାଲା, ଓଡ଼ିଶାର ସଦ‌ାଶିବ ପରିସର ପୁରୀ, ମଧ୍ୟପ୍ରଦେଶର ଭୋପାଳ ଓ ଉତ୍ତରପ୍ରଦେଶର ଲକ୍ଷ୍ନୌରୁ ଛାତ୍ରଛାତ୍ରୀମାନେ ଯୋଗଦେଇଛନ୍ତି।

ରାଷ୍ଟ୍ରୀୟ ସଂସ୍କୃତ ସଂସ୍ଥାନର କୁଳପତି ପ୍ରଫେସର ପରମେଶ୍ବର ନାରାୟଣ ଶାସ୍ତ୍ରୀ ମହୋତ୍ସବରେ ଯୋଗଦେଇ ଶୋଭାଯାତ୍ରାକୁ ଉଦ୍‌ଘାଟନ କରିଥିଲେ। ଛାତ୍ରଛାତ୍ରୀମାନେ ନିଜର ପାରମ୍ପରିକ ବେଶ ପୋଷାକ‌ରେ ସଦାଶିବ ପରିସରରୁ ବାହାରି ଶୋଭାଯାତ୍ରାରେ ଭିଆଇପି ରୋଡ୍‌, ସୁଭାଷ ବୋଷ ଛକ ଦେଇ ପୁଣି ସଦାଶିବକୁ ଫେରିଥିଲେ। ଉତ୍ସବରେ ଶୃଙ୍ଗେରୀ ପରିସରର ଅଧ୍ୟକ୍ଷ ପ୍ରଫେସର ଏ.ପି ସଚ୍ଚିଦାନନ୍ଦ, ପ୍ରଫେସର କେବି ସୁବାରାଇଡୁ, ପ୍ରଫେସର ଏଲ୍‌ଏନ୍‌. ପାଣ୍ଡେ, ପ୍ରଫେସର ରଂଜିତ ବର୍ମନ, ପ୍ରଫେସର ହରେକୃଷ୍ଣ ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ। ସଂସ୍କୃତ ଭାଷା ଏକମାତ୍ର ମାଧ୍ୟମ ଯାହା ସମଗ୍ର ଭାରତକୁ ଏକତା ସୂତ୍ରରେ ବାନ୍ଧିରଖିବାକୁ ସମର୍ଥ ବୋଲି ବକ୍ତମାନେ କହିଥିଲେ। ସନ୍ଧ୍ୟାରେ ଏକ ସମ୍ମିଳନୀର ଆୟୋଜନ କରାଯାଇଥିଲା। ଏହି ଅବସରରେ ମଲ୍ଲଯୁଦ୍ଧ ଭାରମାପ ହୋଇଥିଲା। ଆସନ୍ତାକାଲ ମାର୍ଚଫାଷ୍ଟ ପରେ ଶପଥ ଗ୍ରହଣ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

ସମ୍ବନ୍ଧିତ ଖବର