ରେସିଡେନ୍ସ ୱେଲଫେୟାର ଆସୋସିଏସନ୍ ବିରୋଧରେ ଜେଡ୍-ଇଷ୍ଟେଟ୍ସର ମାନହାନି ମକଦ୍ଦମା

ଭୁବନେଶ୍ୱର : ଜେଡ୍‌-ୱାନ୍‌ (ଆଡଭାଇଟ୍) ରେସିଡେନ୍ସ ୱେଲଫେୟାର ଆସୋସିଏସନ୍(ଆରଡବ୍ଲୁଏ)ର ୮ ଜଣ ସଦସ୍ୟଙ୍କ ବିରୋଧରେ ଏକ କୋଟି ଟଙ୍କାର ମାନହାନି ମକଦ୍ଦମା ଦାୟର ହୋଇଛି। ଭିତ୍ତିହୀନ ଓ ମିଥ୍ୟା ଅଭିଯୋଗ ଆଣିବା ସହିତ ଅପପ୍ରଚାର ଚଳାଇଥିବାରୁ ଜେଡ୍‌ ଇଷ୍ଟେଟସ୍ ପ୍ରାଇଭେଟ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ ତପନ କୁମାର ମହାନ୍ତି ଏହି ମକଦ୍ଦମା ଦାୟର କରିଛନ୍ତି। ଭୁବନେଶ୍ବର ସିଭିଲ୍ ଜଜ୍(ସିନିୟର ଡିଭିଜନ୍) କୋର୍ଟରେ ଦାଖଲ ଏସଂକ୍ରାନ୍ତ ପିଟିସନରେ ଶ୍ରୀ ମହାନ୍ତି ଦର୍ଶାଇଛନ୍ତି ଯେ ଆରଡବ୍ଲୁଏର ସଦସ୍ୟମାନେ ଏକ ସାମ୍ବାଦିକ ସମ୍ମିଳନୀରେ ତାଙ୍କୁ ବଦନାମ କରିଛନ୍ତି। ଭ୍ୟାଟ୍‌ ଅଧୀନରେ ଅଣ-ପଞ୍ଜୀକରଣ, ଅଗ୍ନିଶମ ଏନ୍‌ଓସି ନ ପାଇବା ଓ ସାମଗ୍ରୀର ଗୁଣାତ୍ମକମାନର ବ୍ୟବହାର କରାଯାଇ ନ ଥିବା ନେଇ ସେମାନେ ଯେଉଁ ଅଭିଯୋଗ କରିଛନ୍ତି ତାହା ସମ୍ପୂର୍ଣ୍ଣ ଭିତ୍ତିହୀନ। ଜେଡ୍ ଇଷ୍ଟେଟ୍ସକୁ ବଦନାମ କରିବା ଲାଗି ଆରଡବ୍ଲୁଏର କେତେଜଣ ସଦସ୍ୟ ଏଭଳି ଚକ୍ରାନ୍ତ ଚଳାଇଛନ୍ତି।

ଭୁବନେଶ୍ବର ସିଭିଲ୍ ଜଜ୍(ସିନିଅର ଡିଭିଜନ୍‌)ରେ ସିଭିଲ୍ ସୁଟ୍ ନମ୍ବର ୨୦୯୯/୨୦୨୧ରେ ଏହି ମକଦ୍ଦମା ପଞ୍ଜୀକୃତ ହୋଇଛି। ମକଦ୍ଦମାକୁ ବିଚାର ପାଇଁ ଗ୍ରହଣ କରି ମାନ୍ୟବର ଅଦାଲତ ବିଲଡ୍‌ରଙ୍କ ବିରୁଦ୍ଧରେ କୌଣସି ସାମ୍ବାଦିକ ସମ୍ମିଳନୀ ନକରିବା ଲାଗି ଆସୋସିଏସନର ଏହି କାର୍ଯ୍ୟକର୍ତାମାନଙ୍କୁ ବାରଣ କରିଛନ୍ତି। ଏହା ସହିତ ବିଲଡରଙ୍କ ବିରୋଧରେ ସେମାନେ ମାନହାନି କଲାଭଳି କୌଣସି ବିବୃତି ଦେଇପାରିବେ ନାହିଁ କି ବିବୃତି ଜାରି କରିପାରିବେ ନାହିଁ। ସର୍ବସାଧାରଣରେ ବଦନାମ କଲାଭଳି କୌଣସି ଲିଫଲେଟ୍ ମଧ୍ୟ ବଣ୍ଟନ କରିପାରିବେ ନାହିଁ ବୋଲି ମାନ୍ୟବର କୋର୍ଟ ସମ୍ପୃକ୍ତ ସଦସ୍ୟମାନଙ୍କୁ ନିର୍ଦେଶ ଦେଇଛନ୍ତି।

ମାନହାନି ପିଟିସନରେ ଶ୍ରୀ ମହାନ୍ତି ଦର୍ଶାଇଛନ୍ତି ଯେ ତାଙ୍କ ସଂସ୍ଥ‌ା ଗତ ୩୦ ବର୍ଷ ହେଲା ଭୁବନେଶ୍ବର, କଟକ ଓ ପୁରୀରେ ଅନେକ ଆପାର୍ଟମେଣ୍ଟ ନିର୍ମାଣ କରି ଗ୍ରାହକଙ୍କୁ ଦେଇଛନ୍ତି। ଆଜି ପର୍ଯ୍ୟନ୍ତ କୌଣସି ଗ୍ରାହକଙ୍କଠାରୁ ସଂସ୍ଥା ବିରୋଧରେ କୌଣସି ଅଭିଯୋଗ ଆସିନାହିଁ। ଅନ୍ୟପକ୍ଷରେ କୌଣସି କାରଣ ନଥାଇ ଏହି ୱେଲଫେୟାର ଆସୋସିଏସନ୍‌ର କିଛି ସଭ୍ୟ ସଂସ୍ଥାକୁ ବଦନାମ କରିବା ଲାଗି ଉଦ୍ୟମ କରୁଛନ୍ତି। ସେମାନଙ୍କ ଦ୍ୱାରା କରାଯାଇଥିବା ଭିତ୍ତିହୀନ ଓ ମିଥ୍ୟା ଅଭିଯୋଗ ଯୋଗୁଁ ବିଲଡରଙ୍କର ମାନହାନି ହୋଇଛି। ଲକ୍‌ଡାଉନ୍‌ ସମୟରେ ଏହି ସଦସ୍ୟମାନେ ପ୍ରକଳ୍ପର କ୍ଲବ୍‌ ହାଉସ୍‌କୁ ଜବରଦସ୍ତ ଦଖଲ କରିବା ସହିତ ପରିଚାଳନା ନିଜ ହାତକୁ ନେବାକୁ ଚେଷ୍ଟା କରିଥିଲେ। ଏହି କ୍ଲବ୍ ହାଉସ୍ ଜେଡ୍‌-ୱାନ୍‌ର ସମସ୍ତ ପର୍ଯ୍ୟାୟର ବାସିନ୍ଦାଙ୍କ ବ୍ୟବହାର ପାଇଁ ଉଦ୍ଦିଷ୍ଟ ଥିଲା ‌ବେଳେ ଏମାନେ ଦଖଲ କରି ଅଶାନ୍ତି ସୃଷ୍ଟି କରିଛନ୍ତି। ଏନେଇ ବିଲଡର୍‌ଙ୍କ ପକ୍ଷରୁ ଜୁନ୍‌ ୧୪ରେ ଇନ୍‌ଫୋସିଟି ଥାନାରେ ଅଭିଯୋଗ ହୋଇଥିଲା। ଅନ୍ୟ ବାସିନ୍ଦାମାନେ ଶାନ୍ତିପୂର୍ଣ୍ଣ ଭାବେ କ୍ଲବର ସୁବିଧା ଉପଭୋଗ କରୁଥିଲା ବେଳେ ଏହି ସଦସ୍ୟମାନେ ଆଉ ଥରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିବାକୁ ଉଦ୍ୟମ କରିଥିଲେ। ଏସଂର୍କରେ ଜୁଲାଇ ୨୭ରେ ମଧ୍ୟ ଥାନାରେ ଆଉ ଏକ ଅଭିଯୋଗ ହୋଇଥିଲା।

ଆସୋସିଏସନର ଯେଉଁ କର୍ମକର୍ତାଙ୍କ ବିରୋଧ‌ରେ ମାନହାନି ମକଦ୍ଦମା ଦାୟର ହୋଇଛି ସେମାନେ ହେଲେ ସାଧାରଣ ସଂପାଦକ ବିଧୁ ଭୂଷଣ ନାୟକ, ଉପସଭାପତି ମଳୟ କୁମାର ପାଣିଗ୍ରାହୀ, ପ୍ରମୋଦ ଚନ୍ଦ୍ର ମିଶ୍ର, ଆର୍ତତ୍ରାଣ ପାଣିଗ୍ରାହୀ, ଶୀଳ୍ପାରାଣୀ ବେହେରା, କଳ୍ପତରୁ ପଟ୍ଟନାୟକ, ଦେବାଶୀଷ ପାଣିଗ୍ରାହୀ ଏବଂ ସଂଜୟ କୁମାର ପାତ୍ର।

ମିଳିଥିବା ସୂଚନା ଅନୁଯାୟୀ ରେସିଡେନ୍ସ ୱେଲଫେୟାର ଆସୋସିଏସନ୍‌ରେ ଗୋଷ୍ଠୀ କନ୍ଦଳ ‌ଯୋଗୁଁ ଏଭଳି ବିବାଦ ସୃଷ୍ଟି ହୋଇଛି। ଦିଲ୍ଲୀ ଓ ମୁମ୍ବାଇ ଭଳି ଅନେକ ମହାନଗରରେ ‌ସାଧାରଣତଃ ଦେଖାଯାଉଛି ଯେ ଆପାର୍ଟମେଣ୍ଟରେ ସୁବିଧା ସୁଯୋଗର ସଙ୍କଟ ନେଇ ଗ୍ରାହକମାନେ ବିଲଡରମାନଙ୍କ ବିରୋଧରେ ମକଦ୍ଦମା କରନ୍ତି। କିନ୍ତୁ ଏଠି ଭିନ୍ନ ପ୍ରକାର ପରିସ୍ଥିତି ସୃଷ୍ଟି ହୋଇଛି। ସବୁ ସୁବିଧା ସୁଯୋଗ ସତ୍ତ୍ବେ ଗ୍ରାହକ ସଂଘ ଅଶାନ୍ତ ପରିବେଶ ସୃଷ୍ଟି କରୁଛି। ‌ଯେଉଁଥିପାଇଁ ବିଲଡର ସେମାନଙ୍କ ବିରୋଧରେ ମକଦ୍ଦମା କରିବାକୁ ବାଧ୍ୟ ହୋଇଛନ୍ତି।

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କକୁ ୩୧ କୋଟି ଟଙ୍କା ଠକେଇ ଅଭିଯୋଗରେ ଆସୋସିଏସନର ସାଧାରଣ ସମ୍ପାଦକ ବିଧୁ ଭୂଷଣ ନାୟକଙ୍କ ବିରୋଧରେ ସିବିଆଇ ମାମଲା ରହିଛି। ସେହିପରି ଆସୋସିଏସ୍‌ନର ଉପ ସଭାପତି ମଳୟ ପାଣିଗ୍ରାହୀଙ୍କ ବିରୋଧରେ ମଧ୍ୟ ଅପରାଧିକ ମାମଲା ରହିଛି। ଏହାକୁ ନେଇ ଆସୋସିଏସନ ଭିତରେ ନୂଆ ବିବାଦ ସୃଷ୍ଟି ହୋଇଛି। ଏହି ମାନହାନି ମକଦ୍ଦମାରେ ଆସୋସିଏସନ୍ ହାରିଲେ କୋଟିଏ ଟଙ୍କା କିଏ ଦେବ? ସଂପୃକ୍ତ ସଭ୍ୟ ଦେ‌ବେ ନା ଆସୋସିଏସନ୍‌ ଦେବ? ଏହାକୁ ନେଇ ଆସୋସିଏସନ ଭିତରେ ଭାଲେଣି ପଡ଼ିଲାଣି।

ସମ୍ବନ୍ଧିତ ଖବର