ବାରିପଦା: ଶିମିଳିପାଳରୁ ଝାଡ଼ଖଣ୍ଡ ଦେଇ ପଶ୍ଚିମବଙ୍ଗକୁ ପଳାଇଥିବା ବାଘୁଣୀ ଜୀନତ୍‌କୁ ଓଡ଼ିଶା ଫେରାଇ ଆଣିବା ପାଇଁ ନାକେଦମ୍‌ ହେଲେଣି ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ କର୍ତ୍ତୃପକ୍ଷ। ୧୯ ତାରିଖରେ ଜୀନତ୍‌ ପଶ୍ଚିମବଙ୍ଗ ସୀମାରେ ପଶିବା ପରଠାରୁ ସେଠାକାର ବନ ବିଭାଗର ନିଦ ହଜିଗଲାଣି। ସ୍ଥିତି ଏମିତି ହେଲାଣି ଯେ, ଆଜିଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ପଶ୍ଚିମବଙ୍ଗର ପୁରୁଲିଆ ଜିଲ୍ଲା ବୁଦୱାନ୍‌ ନିକଟବର୍ତ୍ତୀ ୮ଟି ଗାଁରେ ସ୍କୁଲ, କଲେଜ, ହୋଟେଲ ଓ ରିସର୍ଟ ବନ୍ଦ ରଖାଯାଇଛି। ପର୍ଯ୍ୟଟକଙ୍କୁ ଏହି ଅଞ୍ଚଳକୁ ଆସିବାକୁ ବାରଣ କରାଯାଇଛି। ଜୀନତ୍‌ ଆଜି ବୁଦୱାନ୍‌ ନିକଟସ୍ଥ ରାଇକା ହୋଲିକ୍‌ ଜଙ୍ଗଲରୁ ଚିଲିକା ଜଙ୍ଗଲମୁହାଁ ହୋଇଥିବାରୁ ଜନସାଧାରଣଙ୍କ ଯାତାୟାତ ଉପରେ ବି ରୋକ୍‌ ଲଗାଇଛି ସ୍ଥାନୀୟ ପ୍ରଶାସନ।

Advertisment

ବୁଦୱାନ୍‌ ଜଙ୍ଗଲରେ ବୁଲୁଛି
ନେକ୍‌ କଲାର୍‌ରୁ ଟ୍ରାକ୍‌ କରିହେଉନି 
୮ଟି ଗାଁରେ ଅଘୋଷିତ କର୍ଫ୍ୟୁ

ଏପଟେ ଆଜି ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପର ବରିଷ୍ଠ ଅଧିକାରୀ ସମ୍ରାଟ ଗୌଡ଼ ଓ ଟିମ୍‌ ପୁରୁଲିଆରେ ପହଞ୍ଚିଛନ୍ତି। ଜୀନତ୍‌ ଏବେ ବୁଦୱାନ୍‌ ନିକଟବର୍ତ୍ତୀ ଘଞ୍ଚ ଜଙ୍ଗଲ ଭିତରେ ରହୁଥିବାରୁ ଏହାକୁ ଟ୍ରାଙ୍କୁଲାଇଜ୍ କରିବା ସମ୍ଭବପର ହେଉନାହିଁ।  ୩ରୁ ୪ ଥର ଟ୍ରାଙ୍କୁଲାଇଜ୍‌ କରିବାକୁ ଚେଷ୍ଟା କରାଯାଇଥିବା ବେଳେ ସମସ୍ତ ଉଦ୍ୟମ ବିଫଳ ହୋଇଛି। ସେହିପରି ଘଞ୍ଚ ଜଙ୍ଗଲ ହେତୁ ବାଘୁଣୀ ବେକରେ ଲାଗିଥିବା ରେଡିଓ କଲାର୍‌ ବି ଠିକ୍‌ରେ କାର୍ଯ୍ୟ କରୁନାହିଁ। ଫଳରେ ବାଘୁଣୀର ଅବସ୍ଥିତି ନେଇ ଅନେକ ସମୟରେ ନିର୍ଦ୍ଦିଷ୍ଟ ଚିତ୍ର ମିଳିପାରୁନି। ତେବେ ସାଟେଲାଇଟ୍‌ ରେଡିଓ କଲାର ଜରିଆରେ ଜୀନତ୍‌ର ଗିତିବିଧି ଉପରେ ନଜର ରଖାଯାଇଛି। ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଓଡ଼ିଶାର ୫ଟି ଟିମ୍ ବାଘୁଣୀକୁ ଧରିବାକୁ ଉଦ୍ୟମ କରୁଛନ୍ତି ବୋଲି ବାରିପଦା ଆର୍‌ସିସିଏଫ୍‌ ପ୍ରକାଶଚାନ୍ଦ ଗୋଗିନାନୀ କହିଛନ୍ତି।
ପଶ୍ଚିମବଙ୍ଗର ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ଦେବାଲ ରାୟ କହିଛନ୍ତି ଯେ, ଜୀନତ୍‌ ଏବେ ବି ବୁଦୱାନ୍‌ର ଘନ ଜଙ୍ଗଲରେ ରହିଛି। ବାଘୁଣୀ ଭୋକିଲା ଥିବାରୁ ଶିକାର କରିବାକୁ ଗାଈ, ମଇଁଷି, ଛେଳି ରଖାଯାଇଛି। ଶିକାର ପାଇଁ ଆସିଲେ ଟ୍ରାଙ୍କୁଲାଇଜ୍‌ କରିବା ପାଇଁ ବିଭାଗୀୟ ଟିମ୍‌ ପ୍ରସ୍ତୁତ ଅଛନ୍ତି।