କେନ୍ଦୁଝର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି କେନ୍ଦୁଝରଠାରେ ‘ଜିରୋ ଆକ୍ସିଡେଣ୍ଟ୍‌ ଡେ’ ବା ଶୂନ ଦୁର୍ଘଟଣା ଦିବସ ଅଭିଯାନର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଓଡ଼ିଶାକୁ ଏକ ଦୁର୍ଘଟଣାଶୂନ୍ୟ ରାଜ୍ୟ ଭାବେ ଗଢ଼ିବା ପାଇଁ ସେ ଆହ୍ୱାନ ଦେଇଛନ୍ତି। ବାଣିଜ୍ୟ ଓ ପରିବହନ ବିଭାଗ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିରୋ ଆକ୍ସିଡେଣ୍ଟ୍‌ ସେଲ୍‌ଫି ପଏଣ୍ଟ୍‌କୁ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିବା ସହ ଜିଲ୍ଲାର ସମସ୍ତ ୧୩ଟି ବ୍ଲକ୍‌ରେ ସଡ଼କ ସୁରକ୍ଷା ସଚେତନତା ତଥା ଶୂନ ଦୁର୍ଘଟଣା ବାର୍ତ୍ତା ପ୍ରଚାର ରଥର ଶୁଭାରମ୍ଭ କରିଥିଲେ। ଏଥିସହ ଦସ୍ତଖତ ଅଭିଯାନକୁ ଆରମ୍ଭ କରିଥିଲେ।

Advertisment

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସୁରକ୍ଷା କେବଳ ସରକାରଙ୍କର ଦାୟିତ୍ବ ନୁହେଁ, ଏହା ପ୍ରତ୍ୟେକ ବ୍ୟକ୍ତିଙ୍କର ସାମୂହିକ ଦାୟିତ୍ବ। ଭୁବନେଶ୍ବରରେ ଶୂନ ଦୁର୍ଘଟଣା ଦିବସର ବିଶେଷ ସଫଳତା ପରେ କେନ୍ଦୁଝର ଏହି ଅଭିଯାନକୁ ଆଗକୁ ନେବାରେ ଓଡ଼ିଶାର ପ୍ରଥମ ଜିଲ୍ଲା। ଆମର ଲକ୍ଷ୍ୟ ହେବ, ଶୂନ ଦୁର୍ଘଟଣା ଦିବସ ସଚେତନତା ବାର୍ତ୍ତାକୁ ପ୍ରତି ସହର, ଗାଁ ଓ ଘରେ ଘରେ ପହଞ୍ଚାଇବା। ନିଜେ ସଚେତନ ହେବା ଏବଂ ଅନ୍ୟମାନଙ୍କୁ ସଚେତନ କରାଇବା। ସମସ୍ତ କ୍ଷେତ୍ରରେ ସତର୍କତା ହିଁ ଆମକୁ ଦୁର୍ଘଟଣାରୁ ବଞ୍ଚାଇ ପାରିବ। କେନ୍ଦୁଝର ଜିଲ୍ଲା ଏକ ଖଣିବହୁଳ ଅଞ୍ଚଳ। ଦିନରାତି ଏଠାରେ ଭାରୀଯାନରେ ଖଣିଜ ପଦାର୍ଥ ପରିବହନ ହେଉଛି। ଏହା ଅଞ୍ଚଳର ଅର୍ଥନୀତିକୁ ସଚଳ କରୁଛି, କିନ୍ତୁ ସଡ଼କ ସୁରକ୍ଷା ପାଇଁ ଏକ ବିଶେଷ ଆହ୍ବାନ ମଧ୍ୟ ହୋଇଯାଉଛି। ଜିଲ୍ଲାର ପ୍ରତ୍ୟେକ ନାଗରିକଙ୍କୁ ଯାତାୟାତ ସମୟରେ ସଡ଼କ ସୁରକ୍ଷା ନିୟମାବଳୀ ମାନିବା ସହିତ ସତର୍କତା ଅବଲମ୍ବନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଥିଲେ। ଖଣି ଓ ଶିଳ୍ପକ୍ଷେତ୍ର ସହିତ ସଂଲଗ୍ନ ସମସ୍ତ କମ୍ପାନି, ଡ୍ରାଇଭର୍, କର୍ମଚାରୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଅନ୍ତୁ। ଭାରୀ ଯାନବାହନର ନିୟମିତ ରକ୍ଷଣାବେକ୍ଷଣ, ଡ୍ରାଇଭରଙ୍କ ପ୍ରଶିକ୍ଷଣକୁ ଗୁରୁତ୍ୱ ଦିଆଯାଉ। ଏସବୁକୁ କଡ଼ାକଡ଼ି ପାଳନ କଲେ ଅନେକ ଦୁର୍ଘଟଣାକୁ ଏଡ଼ାଯାଇ ପାରିବ ବୋଲି ସେ କହିଥିଲେ।

ଆଇଆଇଟି ମାଡ୍ରାସ ସହାୟତାରେ କେନ୍ଦୁଝରରେ ଶୂନ ଦୁର୍ଘଟଣା ନିମନ୍ତେ ୧୪ଦିନିଆ କାର୍ଯ୍ୟକ୍ରମ ଆୟୋଜନ ହେଉଛି। ଦୁର୍ଘଟଣାକୁ କିପରି ପ୍ରତିହତ କରିହେବ, ସେଥିପାଇଁ ଆଇଆଇଟି ମାଡ୍ରାସ ପକ୍ଷରୁ ମାର୍ଗଦର୍ଶନ କରାଯିବ। ଏହି ଅବସରରେ କେନ୍ଦୁଝର ସାଂସଦ ଅନନ୍ତ ନାୟକ, ରାଜ୍ୟସଭା ସାଂସଦ ସୁଜିତ କୁମାର, ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର, ଚମ୍ପୁଆ ବିଧାୟକ ସନାତନ ମହାକୁଡ଼, ପାଟଣା ବିଧାୟକ ଅଖିଳ ନାୟକ, ତେଲକୋଇ ବିଧାୟକ ଡା. ଫକୀର ମୋହନ ନାୟକ, ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ, ପୁଲିସ ଡିଜି ଯୋଗେଶ ବାହାଦୁର ଖୁରାନିଆ, ପରିବହନ କମିସନର ଅମିତାଭ ଠାକୁର, ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ ରାୟ ଓ ଜିଲ୍ଲାପାଳ ବିଶାଳ ସିଂହ ଉପସ୍ଥିତ ଥିଲେ।