ଭୁବନେଶ୍ବର : ରାଜ୍ୟରେ ଏପ୍ରିଲ ମାସର ପ୍ରଥମ ସପ୍ତାହରେ (୧ରୁ ୭ତାରିଖ ପର୍ଯ୍ୟନ୍ତ) କାହାର ବି ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହେବନି। ଯାହା ହୋଇଯାଉ ପଛେ ଏହି ସପ୍ତାହରେ ଯେପରି କାହାର ବି ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହେବନି ତାହା ନିଶ୍ଚିତ କରିବାକୁ ରାଜ୍ୟର ସମସ୍ତ ଜିଲ୍ଲାପାଳ, ଏସ୍ପି ଏବଂ ଡିସିପିମାନଙ୍କୁ ଚିଠି କରାଯାଇଛି।
ରାଜ୍ୟରେ ବର୍ଷକୁ ପ୍ରାୟ ୫ହଜାରରୁ ଅଧିକ ଲୋକଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହେଉଥିବା ବେଳେ ୧୦ବର୍ଷରେ ୪୫ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହେଲାଣି। ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁରେ ଓଡ଼ିଶା ଦେଶରେ ଅଗ୍ରଣୀ ରାଜ୍ୟ। ତେଣୁ ଏହାର ସ୍ଥାୟୀ ସମାଧାନ କରିବାକୁ ସୁପ୍ରିମକୋର୍ଟ ସଡ଼କ ସୁରକ୍ଷା କମିଟି ରାଜ୍ୟ ସରକାରଙ୍କୁ ବାରମ୍ବାର ଚିଠି ଲେଖୁଥିଲେ ବି ଏହାର କିଛି ସୁଫଳ ମିଳୁନି। ଏପଟେ ରାଜ୍ୟ ସରକାର ଏକ ଅଜବ ସପ୍ତାହର କଳ୍ପନା କରିଛନ୍ତି। ଯେଉଁ ସପ୍ତାହ କେବଳ କାଗଜ କଲମରେ ପାଳନ ହେବ କିନ୍ତୁ ବାସ୍ତବ ଦୃଶ୍ୟ ଅଲଗା ହୋଇପାରେ।
ପରିବହନ ବିଭାଗର ତଥ୍ୟ କହୁଛି ଯେ ରାଜ୍ୟରେ ଦିନକୁ ପ୍ରାୟ ୧୪ଜଣଙ୍କର କେବଳ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହେଉଛି। ସପ୍ତାହକୁ ପ୍ରାୟ ୧୦୦ଜଣ ମରୁଛନ୍ତି। ଏହାର ମୂଳ କାରଣ ବି ବିଭାଗ ଜାଣିଛି। ଖରାପ ରାସ୍ତା, ଟ୍ରାଫିକ ସିଗନାଲ୍ର ଅଭାବ, ଅନ୍ଧାର ରାସ୍ତା, ସଚେତନତା ଅଭାବ, ହେଲମେଟ୍ ନପିନ୍ଧି ଗାଡ଼ି ଚଳାଇବା, ଆବଶ୍ୟକ ଡିଭାଇଡର ନିର୍ମାଣ ନକରିବା, ଦ୍ରୁତ ଗତିରେ ଗାଡ଼ି ଚଳାଇବା, ରାସ୍ତାରେ ଆବଶ୍ୟକ ସୁରକ୍ଷିତ ସରଞ୍ଜାମ ନଲାଗିବା, ରାସ୍ତାରେ ବେଆଇନ ହମ୍ପ୍ସ ନିର୍ମାଣ ଭଳି ପ୍ରମୁଖ କାରଣ ଯୋଗୁଁ ପ୍ରତିଦିନ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ହେଉଛି। ଦୀର୍ଘ ବର୍ଷ ଧରି ଏହାର ସମାଧାନ କରିପାରିନଥିବା ପରିବହନ ବିଭାଗ ଏବେ ଗୋଟିଏ ସପ୍ତାହରେ ଯେପରି ସଡ଼କ ଦୁର୍ଘଟଣା ମୃତ୍ୟୁ ହେବନି ସେନଇ ଜିଲ୍ଲାପାଳ, ଏସ୍ପି ଓ ଡିସିପିମାନଙ୍କୁ ଏସ୍ଓପି ଜାରି କରିଛି।
ଜିଲ୍ଲାପାଳ, ଏସ୍ପି ଓ ଡିସିପିମାନଙ୍କୁ ଯେଉଁ ଏସ୍ଓପି ଦିଆଯାଇଛି ସେଥିରେ ସଚେତନତା ସୃଷ୍ଟି ସହ ହେଲ୍ମେଟ୍ ପିନ୍ଧି ନଥିବା, ମଦ ପିଇ ଗାଡ଼ି ଚଳାଉଥିବା, ବିନା ଲାଇସେନ୍ସରେ ଗାଡ଼ି ଚଳାଉଥିବା ଲୋକଙ୍କ ଠାରୁ ଜରିମାନା ଅାଦାୟ ସହ ଯାଞ୍ଚ କଡ଼ାକଡ଼ି କରିବାକୁ କୁହାଯାଇଛି। ଏହାସହ କୁହାଯାଇଛି ଯେ ପ୍ରମୁଖ ରାସ୍ତାରେ ଅଧିକ ପାଟ୍ରୋଲିଂ ଭ୍ୟାନ୍ ଓ ଆମ୍ବୁଲାନ୍ସ ମୁତୟନ କରିବେ। ଦୁର୍ଘଟଣାଗ୍ରସ୍ତଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରିବା ସହ ଆବଶ୍ୟକ ଚିକିତ୍ସା ନିଶ୍ଚିତ କରିବେ। ଅଧିକ ଆବଶ୍ୟକ ପଡ଼ିଲେ ବିଭାଗର ପ୍ରମୁଖ ସଚିବଙ୍କୁ ଯୋଗାଯୋଗ କରିପାରିବେ। ଏହାସହ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ଯେ ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ ବେଳେ ସଡ଼କ ସୁରକ୍ଷା ନେଇ ଅଧିକ ସଚେତନ କରାଯିବ।
ହେଲେ ସମସ୍ତ ଖରାପ ରାସ୍ତା ତୁରନ୍ତ ନିର୍ମାଣ ପାଇଁ ଜିଲ୍ଲାପାଳମାନେ କିପରି ଜିଲ୍ଲାସ୍ତରରେ ସବୁ ବିଭାଗକୁ ନିର୍ଦ୍ଦେଶ ଦେବେ, ଆବଶ୍ୟକ ଭିତ୍ତିଭୂମି ପ୍ରସ୍ତୁତ ହେବ, ଏସ୍ପି, ଡିସିପିମାନେ କିପରି ସବୁ ଗୁରୁତ୍ବପୂର୍ଣ୍ଣ ଛକରେ ପୁଲିସ ମୁତୟନ କରିବେ ସେନେଇ କିଛି ଏସ୍ଓପିରେ ନାହିଁ। ସପ୍ତାହରେ ପ୍ରାୟ ୧୦୦ ଜଣଙ୍କର ଦୁର୍ଘଟଣାରେ ମୃତ୍ୟୁ ହେଉଥିବା ବେଳେ ଏହାକୁ କ’ଣ ‘୦’ କରିପାରିବେ? ଏନେଇ ପ୍ରଶ୍ନ ଉଠୁଛି।