କେନ୍ଦୁଝର: ଆଜିଠାରୁ ଆରମ୍ଭ ହୋଇଛି ଶୂନ୍ୟ ମୃତାହତ ସପ୍ତାହ। ଦୁର୍ଘଟଣାରେ ଯେପରି କେହି ମୃତାହତ ନହେବେ ସେଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି। ହେଲେ ପ୍ରଥମ ଦିନରେ ଘଟିଛି ବଡ଼ ଅଘଟଣ। ଘଟଗାଁ ଥାନା ବାଲିଯୋଡ଼ିରେ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୮ଜଣଙ୍କ ଜୀବନ ଯାଇଛି। ଶୂନ୍ୟ ମୃତାହତ ସପ୍ତାହକୁ ସଫଳ କରିବା ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ମିନି କନ୍‌ଫରେନ୍ସ ହଲ୍‌ରେ ଗତକାଲି ଜିଲ୍ଲା ସଡ଼କ ସୁରକ୍ଷା ସମିତିର ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା। ଜିଲ୍ଲାପାଳ ଓ ଏସ୍‌ପିଙ୍କଠାରୁ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ଦୁର୍ଘଟଣାକୁ କିପରି ନିୟନ୍ତ୍ରଣ କରିହେବ ସେଥିପାଇଁ ମାନସମନ୍ଥନ କରିଥିଲେ। ୮ଟି ନିର୍ଦ୍ଦେଶ ଜାରି ହୋଇଥିଲା। ହେଲେ ଆଜି ସକାଳ ହେବା ପୂର୍ବରୁ ଦୁର୍ଘଟଣାରେ ୮ଜଣ ଜୀବନ ଦୀପ ଲିଭିଗଲା।
8 ମେଡିଆନ ଦେଇ ଗାଡ଼ି ଚଳାଚଳରୁ ଦୁର୍ଘଟଣା ଘଟୁଛି। ଏହାକୁ ବନ୍ଦ କରିବାକୁ ଏନ୍‌ଏଚ୍‌ଏଆଇକୁ ନିର୍ଦେଶ।
8 ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଅ।
8 ୨୦ ନମ୍ବର ଜାତୀୟ ରାଜପଥର ତୁରନ୍ତ ମରାମତି ଲାଗି ଏନ୍‌ଏଚ୍‌ଆଇର ପିଡିଙ୍କୁ ନିର୍ଦେଶ।
8 ବେଆଇନ ଗାଡ଼ି ପାର୍କିଂ ଯୋଗୁଁ ଦୁର୍ଘଟଣା ଘଟୁଛି। ପୁଲିସ, ପରିବହନ ବିଭାଗ ଓ ଏନ୍‌ଏଚ୍‌ଏଆଇ ପକ୍ଷରୁ ନିୟମିତ ପାଟ୍ରୋଲିଂ ସହ ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଅ।
8 ପେଟ୍ରୋଲ ଓ ଡିଜେଲ ପମ୍ପକୁ ରଙ୍ଗ ସାଇଡରେ ପ୍ରବେଶ କଲେ ସଂପୃକ୍ତ ଗାଡ଼ିକୁ ତେଲ ଦିଅନି।
8 ରାଜପଥ କଡ଼ରେ ଥିବା ଦୋକାନ ଓ ଢାବା ସାମ୍ନାରେ ଟ୍ରକ୍‌ ଆଦି ଘଣ୍ଟାଘଣ୍ଟା ଧରି ଅଟକୁଛନ୍ତି। ସେମାନଙ୍କୁ ହଟାଅ।
8 ରାସ୍ତାକଡ଼ରେ ଜବରଦଖଲ ଉଚ୍ଛେଦ କରିବାକୁ ତହସିଲଦାରମାନଙ୍କୁ ନିର୍ଦେଶ ।
8 ଜିଲ୍ଲାରେ ଥିବା ୧୫ଟି ବ୍ଲାକସ୍ପଟ୍‌ର ତ୍ରୁଟି ସଂଶୋଧନ କରିବା ଏବଂ ଛାତ୍ରଛାତ୍ରୀ ବିଦ୍ୟାଳୟକୁ ବାଇକ୍‌ କିମ୍ବା ସ୍କୁଟି ଆଣିଲେ ପ୍ରଧାନଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କର।

Advertisment

ସାହସ ଦେଖାଇଲେ ୧୫ ବର୍ଷର ବାଳକ ଜଗଦୀଶ
ଦୁର୍ଘଟଣା ସମୟ‌ରେ ଗାଡ଼ିରେ ସମସ୍ତେ ଶୋଇଥିଲେ। ଦୁର୍ଘଟଣାର ପ୍ରଚଣ୍ଡ ଶବ୍ଦ ସାଙ୍ଗକୁ ଗାଡ଼ି ଦୋହଲି ଯିବାରୁ ୧୫ ବର୍ଷର ବାଳକ ଜଗଦୀଶ ଗୌଡ଼ଙ୍କ ନିଦ ଭାଙ୍ଗି ଯାଇଥିଲା। ଗାଡ଼ିଟି ଚାପି ହୋଇ ରହିଥିବା ବେଳେ ସମସ୍ତଙ୍କ କାନ୍ଦବୋବାଳି ଶୁଭୁଥିଲା। ଡ୍ରାଇଭର ଗାଡ଼ି ଛାଡ଼ି ଫେରାର ହୋଇଯାଇଥିଲା। ପଛ ସିଟ୍‌ରେ ବସିଥିବା ଜଗଦୀଶ ତତ୍କାଳ ଗାଡ଼ି କାଚ ଭାଙ୍ଗି ବାହାରକୁ ଆସି ଛୋଟପିଲାଙ୍କୁ ପ୍ରଥମେ ଉଦ୍ଧାର କରିଥିଲେ। ରାସ୍ତ‌ାରେ ଯାଉଥିବା ଅନ୍ୟ ଗାଡ଼ିଗୁଡ଼ିକୁ ଅଟକାଇ ଉଦ୍ଧାର କାର୍ଯ୍ୟରେ ସାମିଲ ହେବାକୁ ଅନୁରୋଧ କରିଥିଲେ। ପରେ ମା’ ପଦ୍ମିନୀଙ୍କୁ ଉଦ୍ଧାର କରିବାକୁ ଗଲାବେଳକୁ ତାଙ୍କ ମୁହଁ ରକ୍ତ ଜୁଡ଼ୁବୁଡ଼ୁ ହୋଇଯାଇଥିଲା। ପ୍ରାଣବାୟୁ ନଥିଲା। ମା’କୁ ଆଉ ଉଦ୍ଧାର ନକରି ଯେଉଁମାନେ ଚିତ୍କାର କରୁଥିଲେ ସେମାନଙ୍କୁ ସହାୟତା କରିଥିଲେ। ସମସ୍ତଙ୍କୁ ଗାଡ଼ି ଭିତରୁ ବାହାର କରି ପାଣି ପିଆଇଥିଲେ। ଅନେକଙ୍କ ଜୀବନ ବଞ୍ଚିବାର କାରଣ ପାଲଟିଥିଲେ ଜଗଦୀଶ। ଏହି ଦୁର୍ଘଟଣା‌ରେ ଜଗଦୀଶ ନିଜ ମା’ଙ୍କୁ ହରାଇଥିବା ବେଳେ ଭାଇ ହରିଓମ୍‌ ଓ ଭଉଣୀ ସନ୍ତୋଷିନୀ ଗୁରୁତର ଆହତ ହୋଇଛନ୍ତି।

ଆକାଶର ସ୍ବପ୍ନ ଚୂନା
ଦୁର୍ଘଟଣାରେ ଅନ୍ୟ ଜଣେ ମୃତକ ହେଲେ ଆକାଶ ପ୍ରଧାନ (୨୫)। ତିନିବର୍ଷ ତଳେ ଲିଜା ପ୍ରଧାନ (୨୨)ଙ୍କ ସହ ତାଙ୍କର ବିବାହ ହୋଇଥିଲା। କୌଣସି ସନ୍ତାନ ସନ୍ତତି ନଥିଲା। ସବୁବେଳେ ସେ ଦେବଦେବୀଙ୍କ ଦର୍ଶନ କରୁଥିଲେ। ଗତକାଲି ରାତିରେ ସେ ପତ୍ନୀ ଲିଜା ଓ ମା’ ମିତାଙ୍କ ସହ ତାରିଣୀ ଓ ଜଗନ୍ନାଥ ଦର୍ଶନ କରିବାକୁ ବାହାରିଥିଲେ। ଘରେ ବାପା ଗଜେନ୍ଦ୍ର ପ୍ରଧାନ (୭୦)ଙ୍କୁ ଛାଡ଼ି ଆସିଥିଲେ। ମା’ଙ୍କ ଦର୍ଶଙ୍କ ପୂର୍ବରୁ ସମସ୍ତେ ଆଖିବୁଜି ଦେଇଛନ୍ତି। ଘରେ କେବଳ ବୃଦ୍ଧ ବାପା ଗଜେନ୍ଦ୍ର ଅଛନ୍ତି।

ବାୟାଘନଙ୍କ ସଂସାର ଛାରଖାର
ବାୟାଘନ ଗୌଡ଼, ବଡ଼ପୁଅ ମଦନ ଓ ପରିବାର ସଦସ୍ୟଙ୍କୁ ନେଇ ତୀର୍ଥ ଦର୍ଶନରେ ଆସିଥିଲେ। ଝିଅଜ୍ବାଇଁ ଓ ନାତିନାତୁଣୀ ମଧ୍ୟ ଥିଲେ। ଦୁର୍ଘଟଣାରେ ବାୟାଘନଙ୍କ ସମେତ ପୁଅ ମଦନ, ନାତି ରୁଦ୍ର, ବାୟାଘନଙ୍କ ଝିଅ ପାଳଝାଡ଼ି ଗ୍ରାମର ପଦ୍ମିନୀ ଓ ଦେଖାଳି ଗ୍ରାମର ବାବୁଲା ଗୌଡ଼ଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ପରେ ବାୟାଘନଙ୍କ ସଂସାର ସଂପୂର୍ଣ୍ଣ ଉଜୁଡ଼ି ଯାଇଛି।

publive-image

ନଟିଆକୁ ତାରିଣୀ ରଖିଲେ
ନଟିଆ ଓରଫ ସାଇରାମ (୩ବର୍ଷ)। ପରିବାର ଲୋକଙ୍କ ସହ ବୁଲି ଆସୁଥିବାରୁ ବେଶ ଖୁସିଥିଲେ। ସେ ବାପା ମଦନଙ୍କ କୋଳରେ ଶୋଇଥିଲା। ଦୁର୍ଘଟଣା ପରେ ଗାଡ଼ିରେ ଥିବା ଅଧିକାଂଶ ଚାପି ହୋଇ ରହିଯାଇଥିଲେ। ମାତ୍ର ‘ରଖେ ହରି ମାରେ କିଏ ନ୍ୟାୟରେ ନଟିଆର ବିଶେଷ କିଛି କ୍ଷତି ହୋଇନାହିଁ। ତାଙ୍କ ମା’ ମାମା ଗୌଡ଼ ଗୁରତର ହୋଇ ଚିକିତ୍ସିତ ହେଉଛନ୍ତି। ପରିବାରର ୫ଜଣ ସଦସ୍ୟଙ୍କୁ ହରାଇବା ପରେ ନଟିଆ ଡାକ୍ତରଖାନା ଶଯ୍ୟାରେ ଚକିତ ହୋଇ ସମସ୍ତଙ୍କୁ ଚାହିଁ ରହୁଛି।

ୱିଙ୍ଗର୍‌ରେ ଆସିଥିଲେ, ମହାପ୍ରୟାଣରେ ଗଲେ
ଗୌଡ଼ ଓ ପ୍ରଧାନ ପରିବାରର ୨୦ଜଣ ଗତକାଲି ଏକ ୱିଙ୍ଗରରେ ତୀର୍ଥଯାତ୍ରାରେ ଆସିଥିଲେ। ଦୁର୍ଘଟଣାରେ ୮ଜଣଙ୍କ ମୃତ୍ୟ ଘଟିଛି। ମୃତକ ମିତା ପ୍ରଧାନ, ଆକାଶ ପ୍ରଧାନ, ଲିଜା ପ୍ରଧାନ, ବାୟାଘନ ଗୌଡ, ମଦନ ଗୌଡ଼, ରୁଦ୍ର ଗୌଡ଼, ପଦ୍ମିନୀ ଗୌଡ଼, ଦେଖାଳି ଗ୍ରାମର ବାବୁଲା ଗୌଡ଼ଙ୍କ ମୃତଦେହକୁ ୪ଟି ମହାପ୍ରୟାଣ ଗାଡ଼ିରେ ପୋଡ଼ାମାରି ଗାଁକୁ ପଠାଯାଇଛି।

ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ୩ ଲକ୍ଷ ଟଙ୍କା ଲେଖାଏଁ ସହାୟତା

ଘଟଗାଁ ନିକଟ ବାଲିଯୋଡ଼ିଠାରେ ଘଟିଥିବା ସଡ଼କ ଦୁର୍ଘଟଣାରେ ୮ଜଣଙ୍କ ମୃତ୍ୟୁ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିରୁ ୩ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି। ଶୋକସନ୍ତପ୍ତ କରିବାରକୁ ଗଭୀର ସମବେଦନା ଜଣାଇଛନ୍ତି। ସମସ୍ତ ଆହତଙ୍କୁ ମାଗଣାରେ ଉପଯୁକ୍ତ ଚିକିତ୍ସା ଯୋଗାଇଦେବାକୁ ନିର୍ଦେଶ ଦେବା ସହ ସେମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।