ନଗଡ଼ାରେ ଶୂନ ଶିଶୁମୃତ୍ୟୁ ମିସନ ବିଫଳ

କାଳିଆପାଣି : ମହିଳା ଓ ଶିଶୁ ବିକାଶ ବିଭାଗ, ସ୍ବାସ୍ଥ୍ୟ ବିଭାଗ, ଜିଲ୍ଲା ପ୍ରଶାସନର ତତ୍ପରତା ଓ ସକ୍ରିୟ ଥିବା ଏକାଧିକ ଏନ୍‌ଜିଓର ସେବା ସତ୍ତ୍ବେ ନଗଡ଼ାରେ ଶିଶୁ ମୃତ୍ୟୁ ଥମିନି। ଶୂନ ଶିଶୁମୃତ୍ୟୁ ମିସନ ଦିଗରେ ସରକାରୀ ଯୋଜନା ପୁଣି ବିଫଳ ହୋଇଛି। ଗତବର୍ଷ ପରି ଏବର୍ଷ ମଧ୍ୟ ଜଣେ ଶିଶୁର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ଗତମାସ ୨୦ ତାରିଖ ତଳନଗଡ଼ାର ଫୁଲ ଓ ବୁଧିଆ ପ୍ରଧାନଙ୍କ ଝିଅ ସୁମିତ୍ରା(୪)ର ଝାଡ଼ାବାନ୍ତିରେ ମୃତ୍ୟୁ ‌ହୋଇଥିବା ଅଭିଯୋଗ ହୋଇଛି। ପୂର୍ବଦିନ ସୁମିତ୍ରା ଛତୁ ଖାଇ ଗୁରୁତର ଅସୁସ୍ଥ ହୋଇପଡ଼ିଥିଲା ବୋଲି ନଗଡ଼ା ଭ୍ରାମ୍ୟମାଣ ଚିକିତ୍ସା ସେବା ଦାୟିତ୍ବରେ ଥିବା ଡାକ୍ତର ଶୁଭାଶିଷ ଜେନା କହିଛନ୍ତି। । ‌ସେହିପରି, ଗତବର୍ଷ ଅକ୍ଟୋବର ମାସ ପହିଲାରେ ଗୁହିଆଶାଳ ଗାଁର ରଙ୍ଗବତୀ ଓ ପୁନିଆ ପ୍ରଧାନଙ୍କ ୯ ମାସର ଶିଶୁପୁତ୍ର ନାମକରଣ ଉତ୍ସବ ପୂର୍ବରୁ ମୃତ୍ୟୁର ଶିକାର ହୋଇଥିଲା। କରୋନା ଆଳରେ ରୋଗଣା ଶିଶୁକୁ ମେଡିକାଲ ନିଆଯାଇନଥିଲା। ୨୦୨୦ ଜୁଲାଇ୨୨ ତାରିଖରେ ଗୁହିଆଶାଳ ଗାଁର କାନ୍ଦିରି ଓ ଅର୍ଜୁନ ପ୍ରଧାନଙ୍କ ଚତୁର୍ଥ ସନ୍ତାନ ଅଷାଢ଼ୁ(୩)ର ମୃତ୍ୟୁ ହୋଇଥିଲା। ଅଷାଢ଼ୁକୁ ମାସକ ତଳୁ ଅଜଣା ଜ୍ବର ହୋଇଥିଲା। ତା’ ପାଟି ଭିତରେ ଘାଆ ‌ହୋଇଗଲା। ସେ ଖାଇବା ଛାଡ଼ି ଦେଇଥିଲା। ୨୦୧୯ଡିସେମ୍ବର ୨୫ ତାରିଖ ଉପର ନଗଡ଼ାର ନବବିବାହିତା କାସିଦି ପ୍ରଧାନଙ୍କର ଗର୍ଭସ୍ଥ ଶିଶୁର ମୃତ୍ୟୁ ହୋଇଥିଲା। ସେହିବର୍ଷ ନଭେମ୍ବର୧୬ ତାରିଖ ତଳ ନଗଡ଼ାର ରାଇମଲୀ ଓ ନନ୍ଦ ପ୍ରଧାନଙ୍କ ତୃତୀୟ ଶିଶୁକନ୍ୟାର ମୃତ୍ୟୁ ହୋଇଥିଲା।

ସୂଚନାଯୋଗ୍ୟ ଯେ, ୨୦୧୬ ମସିହାରେ ୧୯ ଜଣ, ୨୦୧୭ ମସିହାରେ ନଗଡ଼ା ପୋଷ୍ଟର ଗାର୍ଲ ମାନସୀ ସମେତ ୩ ଜଣ, ୨୦୧୮ ମସିହାରେ ୩ ଜଣ ଓ ୨୦୧୯ ମସିହାରେ ୨ ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିଲା।

ସମ୍ବନ୍ଧିତ ଖବର