ଭୁବନେଶ୍ୱର : ରାଜ୍ୟରେ ଆଜି ଶୂନ କୋଭିଡ ମୃତ୍ୟୁ ଘୋଷଣା ହୋଇଛି। ଦୀର୍ଘ ୪୩ ଦିନର ବ୍ୟବଧାନ ପରେ ଏହି ଚିତ୍ର ରାଜ୍ୟବାସୀଙ୍କୁ ଆଶ୍ବସ୍ତ କରିଛି। କରୋନାର ତୃତୀୟ ଲହରରେ ଗୋଟିଏ ଦିନରେ ରାଜ୍ୟ ସରକାର ସର୍ବାଧିକ ୨୪ଜଣଙ୍କ ମୃତ୍ୟୁ ସଂପର୍କରେ ଘୋଷଣା କରିଥିଲେ। ବର୍ତମାନ ସୁଦ୍ଧା ୫୮୩ଜଣଙ୍କ ଚଳିତ କରୋନା ଲହରରେ ମୃତ୍ୟୁ ହୋଇଥିବା ଘୋଷଣା ‌କରାଯାଇଛି। ମାତ୍ର ୩ଟି ଲହରକୁ ମିଶାଇ ରାଜ୍ୟରେ ସମୁଦାୟ ୯୦୪୫ଜଣଙ୍କର ମୃତ୍ୟୁ ହୋଇଛି।

Advertisment

ଗତବର୍ଷ ଡିସେମ୍ବର ଶେଷ ସପ୍ତାହରେ ରାଜ୍ୟରେ ତୃତୀୟ ଲହର ଆରମ୍ଭ ହୋଇଥିଲା। ଜାନୁଆରି ତୃତୀୟ ସପ୍ତାହ ଆଡ଼କୁ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ବଢ଼ିଥିଲା। ରାଜ୍ୟରେ ତୃତୀୟ ଲହରରେ ମୃତ୍ୟୁ ଡେଲ୍‌ଟା ଯୋଗୁଁ ହେଉଥିବା ସ୍ବାସ୍ଥ୍ୟ ବିଭାଗର ଅଧିକାରୀମାନେ କହିଥିଲେ। ଫେବ୍ରୁଆରି ମାସରେ କରୋନାର ଓମିକ୍ରନ୍ ପ୍ରଜାତି ଡେଲ୍‌ଟାକୁ ସଂପୂର୍ଣ୍ଣ ଅପସାରଣ କରିଥିବା ଜୀବ ବିଜ୍ଞାନ ପ୍ରତିଷ୍ଠାନରେ ହୋଇଥିବା ଜିନୋମ ସିକ୍ବେନ୍ସିଂରୁ ସ୍ପଷ୍ଟ ହୋଇଥିଲା। ଏ ସମୟରେ ସଂକ୍ରମଣ କମି ଆସିଥିଲେ ‌ହେଁ ସରକାରଙ୍କ ପଛୁଆ କୋଭିଡ ମୃତ୍ୟୁ ଘୋଷଣା ପାଇଁ ମୃତ୍ୟୁ ସଂଖ୍ୟା ବଢ଼ିଥିଲା। ଗତ ୨୪ଘଣ୍ଟାରେ ରାଜ୍ୟରେ ୩୩୯ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରେ ୧୮ବର୍ଷରୁ କମ୍ ୬୯ଜଣ ପିଲା ରହିଛନ୍ତି। ସୁନ୍ଦରଗଡ଼ରୁ ସର୍ବାଧିକ ୮୦, ଖୋର୍ଧା ୩୬, ଗଜପତି ୨୫, କଟକ ୧୭, ଅନୁଗୁଳ, ଯାଜପୁର, ବାଲେଶ୍ବର ୧୪ ଲେଖାଏ, କୋରାପୁଟ ୧୬ ଓ ଷ୍ଟେଟ୍‌ ପୁଲରୁ ୯ଜଣ ପ୍ରାଣ ହରାଇଛନ୍ତି। ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୨ଲକ୍ଷ ୮୩ହଜାର ୯୭୮କୁ ବୃଦ୍ଧି ପାଇଛି। ଏହାସହ ଆଜି ରାଜ୍ୟରେ ୮୨୫ଜଣ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୩୦୩୭କୁ ଖସି ଆସିଛି। ଅନ୍ୟପକ୍ଷରେ ମୋଟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୧୨ଲକ୍ଷ ୭୧ହଜାର ୮୪୩କୁ ବୃଦ୍ଧି ପାଇଛି।