ପୁରୀ : ଦୁର୍ଘଟଣାଜନିତ ଶୂନ୍ୟ ମୃତ୍ୟୁ ସପ୍ତାହରେ ପୁରୀ ଜିଲ୍ଲାରେ ଧରପଗଡ଼ ଜୋରଦାର ହୋଇଛି। ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ପୁଲିସ ସହଯୋଗରେ ସମଗ୍ର ଜିଲ୍ଲାରେ ଧରପଗଡ଼ ଜାରି ରହିଥିଲା। ଗତ ୧ ତାରିଖରୁ ଆରମ୍ଭ ହୋଇଥିବା ଧରପଗଡ଼ରେ ୭ ଦିନ ମଧ୍ୟରେ ଟ୍ରାଫିକ ନିୟମ ଭାଙ୍ଗିବା ଯୋଗୁ ୩୫୮୧ ମାମଲାରେ ଦଣ୍ଡିତ କରାଯାଇଛି। ମୋଟ ୩୫ଲକ୍ଷ ୮୪ ହଜାର ୫ଶହ ଟଙ୍କା ଜରିମାନା ଇ-ଚାଲାଣ କରାଯାଇଛି। ୭ ଦିନ ମଧ୍ୟରେ କେବଳ ଜଣେ ବୃଦ୍ଧା ଚନ୍ଦନପୁର ନିକଟରେ ମୃତ୍ୟୁବରଣ କରିଛନ୍ତି।
ପୁଲିସର ସୂଚନା ମୁତାବକ, ବିନା ହେଲ୍ମେଟରେ ଗାଡ଼ି ଚାଳନା ପାଇଁ ସର୍ବାଧିକ ୨୩୪୧ ଜଣଙ୍କୁ ଦଣ୍ଡିତ କରାଯାଇଛି। ଏ ବାବଦରେ ୨୩ ଲକ୍ଷ ୨୦ ହଜାର ୫ଶହ ଟଙ୍କାର ସର୍ବାଧିକ ଇ-ଚାଲାଣ କରାଯାଇଛି। ଏହାବ୍ୟତୀତ ସାଧାରଣ ଅପରାଧ (ଜେନେରାଲ ଅଫେନ୍ସ) ପାଇଁ ୬୩୭ ଜଣଙ୍କଠାରୁ ୩ଲକ୍ଷ ୪୫ ହଜାର ୫ଶହ ଟଙ୍କା, ସିଟ୍ବେଲ୍ଟ ନଲଗାଇଥିବାରୁ ୨୭୦ ଜଣଙ୍କୁ ୨ଲକ୍ଷ ୬୯ ହଜାର ଟଙ୍କାର ଇ-ଚାଲାଣ, ୩ ଜଣଙ୍କୁ ନେଇ ବାଇକ ଚାଳନା ଯୋଗୁଁ ୧୦୦ ଜଣଙ୍କଠାରୁ ୧ଲକ୍ଷ ୧୦ ହଜାର, ଗାଡ଼ି ଚଲାଇବା ବେଳେ ମୋବାଇଲ ବ୍ୟବହାର ଯୋଗୁଁ ୭୫ ଜଣଙ୍କଠାରୁ ୩ଲକ୍ଷ ୭୧ ହଜାର ଟଙ୍କା, ଓଭରସ୍ପିଡ ଯୋଗୁଁ ୫୪ ଜଣଙ୍କଠାରୁ ୭୪ ହଜାର ଟଙ୍କା, ମଦ ପିଇ ଗାଡ଼ି ଚାଳନା ଯୋଗୁଁ ୧୩ ଜଣଙ୍କଠାରୁ ୧୦ ହଜାର ଟଙ୍କା, ପାର୍କି ପାଇଁ ଉଦ୍ଦିଷ୍ଟ ନଥିବା ସ୍ଥାନରେ ଗାଡ଼ି ପାର୍କିଂ ଯୋଗୁ ୨୦ ଜଣଙ୍କଠାରୁ ୨୦ ହଜାର ଟଙ୍କା, ଟ୍ରାଫିକ ନିୟମ ନମାନି ଭୁଲ ବାଟରେ ଗାଡ଼ି ଚଳାଇବାରୁ ୯ ଜଣଙ୍କଠାରୁ ୯ହଜାର ଟଙ୍କା, ଓଭର୍ଲୋଡ ପାଇଁ ଜଣଙ୍କଠାରୁ ୫ଶହ ଟଙ୍କା ଓ ଅନ୍ୟାନ୍ୟ ଟ୍ରାଫିକ ନିୟମ ଭାଙ୍ଗିଥିବା ଯୋଗୁଁ ୬୭ ଜଣଙ୍କଠାରୁ ୫୫ ହଜାର ଟଙ୍କାର ଜରିମାନା ଇ-ଚାଲାଣ କଟାଯାଇଛି। ଗୋଟିଏ ଲାଇସେନ୍ସ ରବ୍ଦ କରାଯାଇଛି।
ସହର ତଥା ସମଗ୍ର ଜ଼ିଲ୍ଲାରେ ଦୁର୍ଘଟଣା ହାର ଓ ମୃତ୍ୟୁ ହାର ବୃଦ୍ଧି ପାଇଥିବାରୁ ଜ଼ିଲ୍ଲାର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ସାଧାରଣ ଲୋକ ଓ ପର୍ଯ୍ୟଟକଙ୍କ ଧନଜୀବନ ସୁରକ୍ଷା ଲାଗି ଏବେ ବି ନାକାବନ୍ଦୀ ଚାଲୁ ରହିଛି। ଆଗକୁ ଏ ଅଭିଯାନ ଆହୁରି କଡାକଡି କରାଯିବ ବୋଲି ଆରଟିଓ ରବିନ ପଟ୍ଟନାୟକ ସୂଚନା ଦେଇଛନ୍ତି।