ଶୂନ ରେଜଲ୍ଟ କରିଥିବା ୧୫ଟି ଶିକ୍ଷାନୁଷ୍ଠାନକୁ ୭ ଦିନ ଭିତରେ କାରଣ ଦର୍ଶାଇବାକୁ ଉଚ୍ଚ ମାଧ୍ୟମିକ ନିର୍ଦ୍ଦେଶାଳୟ ପକ୍ଷରୁ ନୋଟିସ୍

ଭୁବନେଶ୍ବର: ଯୁକ୍ତ ଦୁଇ ବିଜ୍ଞାନରେ ପରୀକ୍ଷା ଫଳାଫଳ ଶୂନ ହୋଇଥିବା ୧୫ଟି ଶିକ୍ଷାନୁଷ୍ଠାନକୁ ୭ ଦିନ ଭିତରେ କାରଣ ଦର୍ଶାଇବାକୁ ଉଚ୍ଚ ମାଧ୍ୟମିକ ନିର୍ଦ୍ଦେଶାଳୟ ପକ୍ଷରୁ ନୋଟିସ୍ ଜାରି କରାଯାଇଛି । କାହିଁକି  ଉକ୍ତ ଶିକ୍ଷାନୁଷ୍ଠାନରେ ନାମଲେଖା ବନ୍ଦ ନ ହେବ ଉତ୍ତର ଦେବାକୁ ଏଥିରେ ନିର୍ଦେଶ ଦିଆଯାଇଛି । ସ୍ବୀକୃତି ପ୍ରତ୍ୟାହାର କାହିଁକି ନ ହେବ ସେନେଇ କାରଣ ଦର୍ଶାଇବାକୁ ଏଥିରେ କୁହାଯାଇଛି।

ସୂଚନାଯୋଗ୍ୟ, ଶୂନ ରେଜଲ୍ଟ କରିଥିବା ୧୫ଟି କଲେଜର ସମୀକ୍ଷା ମଧ୍ୟ କରାଯିବ ବୋଲି ଗତକାଲି ଗଣଶିକ୍ଷା ମନ୍ତ୍ରୀ ସମୀରରଞ୍ଜନ ଦାଶ କହିଥିଲେ।  ସେ ଆହୁରି ମଧ୍ୟ କହିଥିଲେ ଯେ ଗତବର୍ଷ ତୁଳନାରେ ଏଥରକ ଶତ ପ୍ରତିଶତ ରେଜଲ୍ଟ କରିଥିବା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ(ଯୁକ୍ତ୨ କଲେଜ) ସଂଖ୍ୟା କମିଛି। ୨୦୧୯‌ରେ ୨୯ଟି ବିଦ୍ୟାଳୟ ଶତ ପ୍ରତିଶତ ରେଜଲ୍ଟ କରିଥିଲେ। ତେବେ ଏଥରକ ୨୦ଟି ବିଦ୍ୟାଳୟ ଶତ ପ୍ରତିଶତ ସଫଳତା ହାସଲ କରିଛନ୍ତି। ଅନ୍ୟ କଲେଜଗୁଡ଼ିକ କ’ଣ ପାଇଁ ଶତ ପ୍ରତିଶତ କରିପାରିଲେ ନାହିଁ ସେନେଇ କଲେଜ ଅଧ୍ୟକ୍ଷମାନଙ୍କ ସହ ଆଲୋଚନା କରିବି। ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ଉପରେ ଆମେ ସର୍ବଦା ଉଦ୍ୟମ ଜାରି ରଖିଛୁ। ଯେଉଁଥିପାଇଁ ରେକର୍ଡ ସଂଖ୍ୟକ ୧୩୭ ଜଣ ଛାତ୍ରଛାତ୍ରୀ ୯୦%ରୁ ଅଧିକ ନମ୍ବର ରଖିଛନ୍ତି। ପ୍ରଥମ ଓ ଦ୍ବିତୀୟ ଶ୍ରେଣୀରେ ବି ସର୍ବାଧିକ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି, ଯାହାକି ଏକ ରେକର୍ଡ।

ସମ୍ବନ୍ଧିତ ଖବର