ବାଲିଗୁଡ଼ା/ରେଙ୍ଗାଳି/ଚଣ୍ଡିଖୋଲ/ ଗୋଷାଣି/ବଅଁରପାଳ/ଥର୍ମାଲ,୪/୧୨(ଇମିସ): ଶୂନ ମୃତ୍ୟୁ ସପ୍ତାହରେ ଲାଗିରହିଛି ଦୁର୍ଘଟଣା ଜନିତ ମୃତ୍ୟୁ। ସପ୍ତାହର ପ୍ରଥମ ଚାରିଦିନରେ ଅନ୍ୟୂନ ୪୫ ଜଣଙ୍କ ମୃତ୍ୟୁ ହେଲାଣି। ଚତୁର୍ଥ ଦିନରେ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟି ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୧୮ ଜଣ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ଚିଲକପୁରଠାରେ ଏକ ବସ୍ (ଓଡି ୦୫ ପି ୨୧୦୪) ଦୁର୍ଘଟଣାରେ ୨ ବାଇକ୍ ଆରୋହୀଙ୍କ ଶୋଚନୀୟ ମୃତ୍ୟୁ ହୋଇଛି। ସୋମବାର ସଂଧ୍ୟାରେ କଲମପୁର ବ୍ଲକ୍ ଗୁମାବାହାଲ ଓ ତୋତ୍ରାଗୁଡ଼ାର ଦୁଇ ଜଣ ଯୁବକ ଏକ ବାଇକ (ଓଡି ୦୮ କ୍ୟୁ ୭୭୭୪) ଯୋଗେ ଜୁନାଗଡ଼ରୁ ନିଜ ଗାଁକୁ ଫେରୁଥିଲେ। କଲମପୁରରୁ ଚଣ୍ଡିଖୋଲ ଯାଉଥିବା ଏକ ଘରୋଇ ବସ୍ ଲକି ଟ୍ରାଭେଲ୍ସ ବାଇକ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଉଭୟ ବାଇକ୍ ଆରୋହୀଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା। ସେହିପରି ସମ୍ବଲପୁର ଜିଲ୍ଲା କତରବଗା ଥାନା ଅନ୍ତର୍ଗତ ସର୍ଗିପାଲିଠାରୁ ରାଞ୍ଚିରୋଡକୁ ସଂଯୋଗ କରୁଥିବା ରାସ୍ତାରେ ଏକ ଟ୍ରାକ୍ଟର ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ବୁର୍ଲା ଭିମସାରରେ ଆହତଙ୍କ ଚିକିତ୍ସା କରାଯାଉଛି। ୧୬ ନମ୍ବର ଜାତୀୟ ରାଜପଥ ବଡ଼ଚଣା ପେଟ୍ରୋଲ ପମ୍ପ ନିକଟରେ ଏକ ଗହମ ବୋଝେଇ ଟ୍ରକ ପଛରେ ଏକ ଯାତ୍ରୀବାହୀ ବସ୍ ପିଟି ହୋଇଯିବାରୁ ୧୪ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଗୁରୁତର ଆହତମାନେ କଟକ ବଡ଼ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ସେମିତି ଗଜପତି ଜିଲ୍ଲା ଗୁରାଣ୍ଡି ଥାନା ଉପଲଡ଼ା ଗ୍ରାମ ହାଟ ରାସ୍ତା ପାର୍ଶ୍ବ ପଡ଼ିଆରେ ଏକ ଟ୍ରକ୍ ଚକା ତଳୁ ସାତମାଇଲ ଗ୍ରାମ ନିକଟ କୁଡୁଡ଼ା ଗ୍ରାମର ଏସ୍.ସୁଧାକର (୪୧)ଙ୍କ ମୃତଦେହ ମିଳିଛି। ଏ ନେଇ ଗୁରାଣ୍ଡି ଥାନାରେ ୧୦୦/୨୦୨୩ରେ ଏକ ମାମଲା ରଜୁ କରି ପୁଲିସ ତଦନ୍ତ କରୁଛି।
ଅନୁଗୁଳ ଜିଲ୍ଲା ମହୀଧରପୁର ଫାଣ୍ଡି ଉପରସାହି ଛକ ନିକଟରେ ଆଜି ଅପରାହ୍ଣରେ ବାଇକ୍ ଧକାରେ ସେହି ଗ୍ରାମର ଶମ୍ଭୁ ସାହୁ (୬୦)ଙ୍କ ମୃତ୍ୟୁ ହୋଇଛି। ସେ ଶୌଚ ହେବାକୁ ଯାଉଥିବା ବେଳେ ତାଙ୍କୁ ବାଇକ୍ ଧକା ଦେଇଥିଲା। ତାଳଚେର ଥର୍ମାଲ ଛକ ନିକଟରେ ଟ୍ରକ୍ ଧକାରେ ବାଇକ୍ ଚାଳକ ଢେଙ୍କାନାଳ ଜିଲ୍ଲା ଦୁର୍ଗାପୁରର ବ୍ରଜବନ୍ଧୁ ବେହେରାଙ୍କର ମୃତ୍ୟୁ ହୋଇଛି। ବଅଁରପାଳ ପଟୁ ତାଳଚେର ଆଡ଼କୁ ଯାଉଥିବା ଟ୍ରକ୍ (ଓଡି-୨୨-ଏକ୍ସ-୧୩୧୫) ଧକ୍କା ଦେଇଥିଲା।
ଭୁବନେଶ୍ବର ଭରତପୁର ଥାନା ଅଞ୍ଚଳରେ ଏକ ହାଇୱା ଧକ୍କାରେ ଜଣେବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି।
ତୃତୀୟ ଦିନରେ ୧୧ ମୃତ
କଟକ: ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଚାଲିଥିବା ଶୂନ ମୃତ୍ୟୁ ସପ୍ତାହ ଅଭିଯାନର ତୃତୀୟ ଦିନ(୩.୧୨.୨୦୨୩)ରେ ୧୧ ଜଣଙ୍କ ଜୀବନ ହାନି ଘଟିଛି। ଉକ୍ତ ଦିନ ରାଜ୍ୟରେ ୧୩ଟି ଦୁର୍ଘଟଣାରେ ୧୨ ଜଣ ଆହତ ହୋଇଛନ୍ତି। ଶୂନ ମୃତ୍ୟୁ ସପ୍ତାହର ତିନି ଦିନରେ ମୋଟ ୩୩ ଜଣଙ୍କ ମୃତ୍ୟୁ ଘଟିଛି। ନିୟମ ଖିଲାପ ଅଭିଯୋଗରେ ୨୯୮୦ଟି ଚାଲାଣ କଟାଯାଇଛି। ୧୬ଟି ଗାଡିର ଫିଟ୍ନେସ ବାତିଲ ସହ ବେଆଇନ ଗାଡି ଚାଳନା ପାଇଁ ୫୭ଟି ଗାଡି ଜବତ କରାଯାଇଛି। ତୃତୀୟ ଦିନରେ ମୋଟ ୬ଲକ୍ଷ ୨୬ ହଜାର ୩୦ ଟଙ୍କା ଜରିମାନା ଆଦାୟ କରାଯାଇଛି।