ଭୁବନେଶ୍ୱର : କୁହାଯାଏ, ମଣିଷର ଛାଇ କେବେ ତା’ ପିଛା ଛାଡ଼େନା। କିନ୍ତୁ ଆଜି ଦିନ ଦ୍ୱିପହରେ ଏହି କଥା ଭୁଲ ପ୍ରମାଣିତ ହୋଇଥିଲା; ଛାଇ ଧୋକା ଦେଲା। ଗୋଟିଏ କି ଦୁଇ ମିନିଟ୍ ପାଇଁ ନୁହେଁ, ପୂର୍ବାହ୍ନ ୧୧.୪୩ରୁ ୧୧.୪୮ଟା ପର୍ଯ୍ୟନ୍ତ ପ୍ରାୟ ୫ ମିନିଟ୍ ପାଇଁ କାହାର ବି ଛାଇ ଦୃଶ୍ୟମାନ ହୋଇନଥିଲା। ଏଥିପାଇଁ ଆଜି ଭୁବନେଶ୍ୱରରେ ‘ଶୂନ୍ୟ ଛାୟା ଦିବସ’ ଦେଖା ଯାଇଥିଲା। ଏହି ଶୂନ୍ୟ ଛାୟା କାଳରେ ଖରାରେ ଛିଡ଼ା ହେଲେ ମଧ୍ୟ ଛାଇ ଦେଖିବାକୁ ମିଳିନଥିଲା।
ଆଜି ଏହି ଦୃଶ୍ୟକୁ ଉପଭୋଗ କରିବା ପାଇଁ ପଠାଣି ସାମନ୍ତ ପ୍ଲାନେଟୋରିମ୍ରେ ଲୋକଙ୍କ ପ୍ରବଳ ଭିଡ଼ ଦେଖାଦେଇଥିଲା। ଏଥିପାଇଁ ପ୍ଲାନେଟୋରିୟମ୍ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ପ୍ଲାନେଟୋରିୟମ୍ ପରିସରରେ ବିଭିନ୍ନ ବସ୍ତୁ ରଖି କିଭଳି ଶୂନ୍ୟ ଛାୟା କାଳ ପାଖେଇ ଆସିବା ବେଳକୁ ଛାଇ ଧୀରେଧୀରେ କମି ଶେଷରେ ୧୧ଟା ୪୩ ମିନିଟ୍ ବେଳକୁ ସଂପୂର୍ଣ୍ଣ ଭାବେ ଉଭା ହୋଇଗଲା, ତାହା ଉପସ୍ଥିତ ଦର୍ଶକ ଦେଖିଥିଲେ। ଏହାସହ ପ୍ଲାନେଟୋରିୟମ୍ରେ ପ୍ରୋଜେକ୍ଟର ମାଧ୍ୟମରେ ଏହି ‘ଶୂନ୍ୟ ଛାୟା ଦିବସ’ର କାରଣ, ଏହି କାଳରେ ସୂର୍ଯ୍ୟର ଅବସ୍ଥିତି ବିଷୟରେ ଦର୍ଶକଙ୍କୁ ଅବଗତ କରାଯାଇଥିଲା। ଆଜି ଭୁବନେଶ୍ୱରରେ ସୂର୍ଯ୍ୟ ଠିକ୍ ମୁଣ୍ଡ ସିଧାରେ ଅବସ୍ଥାନ କରିଥିବାରୁ ଏପରି ଦୃଶ୍ୟ ଦେଖିବାକୁ ମିଳିଥିଲା। ଆସନ୍ତାକାଲି ଅର୍ଥାତ୍ ମେ’ ୨୨ ଦିନ ୧୧ଟା ୪୩ରେ କଟକରେ, ମେ’ ୨୩ ତାରିଖ ଦିନ ୧୧ଟା ୫୪ରେ ବଲାଙ୍ଗୀରରେ, ମେ’ ୩୧ ତାରିଖ ଦିନ ୧୧ଟା ୪୧ ମିନିଟ୍ରେ ବାରିପଦାରେ, ୨୮ ମେ’ରେ ବୁର୍ଲା ଓ ସମ୍ବଲପୁରରେ ଓ ଜୁନ୍ ୨ରେ ରାଉଲକେଲାରେ ଶୂନ୍ୟ ଛାୟା ଅବସ୍ଥା ଦେଖିବାକୁ ମିଳିବ ବୋଲି ପ୍ଲାନେଟୋରିୟମ୍ ଉପନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/05/zero.jpg-f.jpg)