ଭୁବନେଶ୍ୱର : ପିଲାଟି ଦିନରୁ ଆମେ ପଢ଼ି ଆସିଛୁ ଯେ ପ୍ରତ୍ୟେକ ଦିନ ସକାଳେ ସୂର୍ଯ୍ୟ ପୂର୍ବ ଦିଗରେ ଉଦୟ ହୋଇ ପଶ୍ଚିମ ଦିଗରେ ଅସ୍ତ ହୁଏ। ଦିନ ବେଳେ ସବୁ ବେଳେ ସୂର୍ଯ୍ୟର ବିପରୀତ ଦିଗରେ ଏକ ଛାଇ ସୃଷ୍ଟି ହୁଏ ଓ ସୂର୍ଯ୍ୟ ଆଲୋକ ଥିବା ଯାଏଁ ଛାଇ ରହିଥାଏ। ଏବେ କିନ୍ତୁ ଜ୍ୟୋତିର୍ବିଜ୍ଞାନୀମାନେ କହିଛନ୍ତି ସବୁଦିନ ସୂର୍ଯ୍ୟ ଠିକ୍ ପୂର୍ବ ଦିଗରେ ଉଦୟ ହୁଅନ୍ତିନି। ବର୍ଷରେ କେବଳ ଦୁଇ ଦିନ ସୂର୍ଯ୍ୟ ଠିକ୍ ପୂର୍ବ ଦିଗରେ ଉଦୟ ହୁଏ ଓ ସେହିଦିନ ଠିକ୍ ସମୟରେ ଅସ୍ତ ହୁଏ। ସେହିଦିନ ମଧ୍ୟାହ୍ନରେ ସୂର୍ଯ୍ୟ ଆମର ଠିକ୍ ମୁଣ୍ଡ ଉପରେ ରହେ ଓ ସେ ସମୟରେ ଆମର ଛାଇ ଦେଖାଯାଏ ନାହିଁ। ଏହି ଘଟଣାକୁ ଜ୍ୟୋତିର୍ବିଜ୍ଞାନୀମାନେ ଶୂନ୍ୟ ଛାୟା ଦିବସ ବା ‘ଜିରୋ ସ୍ୟାଡୋ ଡେ’ ଭାବେ ନାମିତ କରିଛନ୍ତି। ମେ ୨୧ ଓ ଜୁଲାଇ ୨୨ରେ ଏହି ବିରଳ ଦୃଶ୍ୟ ଦେଖିବାକୁ ମିଳିବ। ଏହି ଦୁଇ ଦିନ ମଧ୍ୟାହ୍ନରେ ପ୍ରତ୍ୟେକ ବସ୍ତୁର ଛାଇ ହଜିଯିବ। କିଛି ସମୟ ପାଇଁ କାହାର ଛାଇ ଦେଖିବାକୁ ମିଳିବନି। ଲୋକ ଯେପରି ଏହାକୁ ନିଜ ଚକ୍ଷୁରେ ଦେଖିପାରିବେ ସେଥିପାଇଁ ପଠାଣି ସାମନ୍ତ ପ୍ଲାନେଟୋରିୟମ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।
ପ୍ଲାନେଟୋରିୟମର ଉପନିର୍ଦ୍ଦେଶକ ଡ.ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି ଯେ ସୂର୍ଯ୍ୟ ଚାରିପଟେ ପୃଥିବୀ ନିଜ କକ୍ଷ ପଥରେ ୨୩.୫ ଡିଗ୍ରି ଢ଼ଳି ରହି ବୁଲିବା ସହ ନିଜ ଅକ୍ଷ ଚାରିପଟେ ବୁଲୁଛି। ସେଥିପାଇଁ ସୂର୍ଯ୍ୟ ସବୁଦିନ ସମାନ ସ୍ଥାନରୁ ଉଦୟ ହୁଏ ନାହିଁ କି ସମାନ ଜାଗାରେ ଅସ୍ତ ହୁଏ ନାହିଁ। ପ୍ରତ୍ୟେକ ବର୍ଷ ଜୁନ୨୧ରେ ସୂର୍ଯ୍ୟ ଉତ୍ତର ଗୋଲାର୍ଦ୍ଧର ୨୩.୫ ଡିଗ୍ରିରେ ଥିବା କର୍କଟ କ୍ରାନ୍ତି ଉପରେ ରହିଥାଏ। ସେହିଠାରୁ ଧୀରେ ଧୀରେ ଦକ୍ଷିଣ ଦିଗକୁ ଗତି କରିଥାଏ, ଯାହାକୁ ଆମେ ସୂର୍ଯ୍ୟର ଦକ୍ଷିଣାୟନ ଗତି କହିଥାଉ। ଏହିପରି ଦକ୍ଷିଣ ଦିଗକୁ ଢ଼ଳି ଢ଼ଳି ଡିସେମ୍ବର ୨୨ ବେଳକୁ ସୂର୍ଯ୍ୟ ବିଷୁବ ରେଖାଠାରୁ ୨୩.୫ ଡିଗ୍ରି ଦକ୍ଷିଣରେ ଥିବା ମକର କ୍ରାନ୍ତିରେ ପହଞ୍ଚିଥାଏ। ସେହି ସମୟରେ ଦକ୍ଷିଣ ଗୋଲାର୍ଦ୍ଧରେ ଗ୍ରୀଷ୍ମ ଋତୁ ହୋଇଥାଏ। ରାତି ଛୋଟ ଓ ଦିନ ବଡ଼ ହୁଏ। ସେହିଦିନଠାରୁ ସୂର୍ଯ୍ୟର ଉତ୍ତର ଦିଗକୁ ଗତି ବା ଉତ୍ତରାୟଣ ଆରମ୍ଭ ହୋଇଥାଏ। ସେହି ଦିନ ସୂର୍ଯ୍ୟ ମକର କ୍ରାନ୍ତି ଉପରେ ଗତି କରିଥାଏ। ସେହି ଅଞ୍ଚଳଗୁଡ଼ିକରେ ମଧ୍ୟାହ୍ନ ସମୟରେ ସୂର୍ଯ୍ୟ ସିଧା ସଳଖ ମୁଣ୍ଡ ଉପରେ ରହିଥାଏ ଫଳରେ ସେଠାରେ ‘ଶୂନ୍ୟ ଛାୟା’ ଘଟିଥାଏ।
ବର୍ଷର ମାର୍ଚ୍ଚ ୨୧ ଓ ସେପ୍ଟମ୍ବର ୨୧ରେ ସୂର୍ଯ୍ୟ ଠିକ ସମୟରେ ଉଦୟ ହୋଇ ବିଷୁବ ରେଖା ଉପରେ ଗତି କରିଥାଏ। ଏହି ଦୁଇଦିନ ଦିନ ଓ ରାତିର ଅବଧି ସମାନ ହୁଏ। ବାକି ସବୁ ଦିନ ସୂର୍ଯ୍ୟ ଉତ୍ତର-ପୂର୍ବ ନଚେତ ଦକ୍ଷିଣ-ପୂର୍ବ ଦିଗରେ ଉଦୟ ହୁଏ। ମାର୍ଚ୍ଚ ୨୧ଠାରୁ ସୂର୍ଯ୍ୟ ଉଦୟର ସ୍ଥାନ ଧୀରେ ଧୀରେ ଉତ୍ତର ଦିଗରେ ଗତି କରି ଜୁନ ୨୧ରେ ଉତ୍ତର ଦିଗରେ ସବୁଠାରୁ ଦୂରକୁ ଚାଲିଯାଏ ଓ ସେଠାରୁ ପୁଣି ଦକ୍ଷିଣକୁ ଫେରିବାରେ ଲାଗେ। ସେପ୍ଟମ୍ବର ୨୧ ଦିନ ବିଷୁବରେଖା ଉପରେ ଦେଇ ଡିସେମ୍ବର ୨୧ ବେଳକୁ ଦକ୍ଷିଣର ଶେଷ ବିନ୍ଦୁ ମକର କ୍ରାନ୍ତିରେ ଆସି ପହଞ୍ଚି ଥାଏ। ପୁଣି ତା ପର ଦିନଠାରୁ ସୂର୍ଯ୍ୟର ଉତ୍ତର ଦିଗକୁ ଗତି ଆରମ୍ଭ ହୁଏ। ଏହି ପ୍ରକ୍ରିୟା ଅନବରତ ଚାଲୁ ରହିଛି ବୋଲି ଜ୍ୟୋତିର୍ବିଜ୍ଞାନୀମାନେ ମତ ଦେଇଛନ୍ତି।
ଏବେ ବିଦେଶରେ ‘ଶୂନ୍ୟ ଛାୟା ଦିବସ’ଟିକୁ ଆଗ୍ରହ ସହ ପାଳନ କରାଯାଉଛି। ବିଭିନ୍ନ କାର୍ଯ୍ୟକ୍ରମ କରାଯାଇ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦିଆଯାଉଛି। ଚଳିତବର୍ଷ ଦେଶର ‘ଆଷ୍ଟ୍ରୋନୋମିକାଲ ସୋସାଇଟି ଅଫ୍ ଇଣ୍ଡିଆ’ ଉଦ୍ୟମରେ ‘ଶୂନ୍ୟ ଛାୟା ଦିବସ’ ବିଷୟରେ ପ୍ରଚାର କରାଯାଉଛି। ଏହିକ୍ରମରେ ପଠାଣି ସାମନ୍ତ ପ୍ଲାନେଟୋରିୟମ ଓ ବୁର୍ଲାଠାରେ ଥିବା ଡ. ଏପିଜେ ଅବଦୁଲ କଲାମ ପ୍ଲାନେଟୋରିୟମ ପକ୍ଷରୁ ‘ଶୂନ୍ୟ ଛାୟା ଦିବସ’ ଦେଖିବାର ବ୍ୟବସ୍ଥା ହୋଇଛି। ଭୁବନେଶ୍ୱରରେ ଆସନ୍ତା ମେ’ ୨୧ ପୂର୍ବାହ୍ନ ୧୧ଟା ୪୩, ଜୁଲାଇ ୨୨ ପୂର୍ବାହ୍ନ ୧୧ଟା ୫୩ରେ ଏହାକୁ ଦେଖିବାର ସୁଯୋଗ ମିଳିବ। ବୁର୍ଲାଠାରେ ମେ୨୮ ପୂର୍ବାହ୍ନ ୧୧ଟା ୫୨, ଜୁଲାଇ ୧୫ ମଧ୍ୟାହ୍ନ ୧୨ଟା, ରାଉରକେଲାରେ ଜୁନ ୨ ପୂର୍ବାହ୍ନ ୧୧.୪୮, ଜୁଲାଇ ୧୦ ପୂର୍ବାହ୍ନ ୧୧ଟା ୫୬, ବଲାଙ୍ଗିରରେ ମେ ୨୩ ପୂର୍ବାହ୍ନ ୧୧ଟା ୫୪ ଓ ଜୁଲାଇ ୨୦ ମଧ୍ୟାହ୍ନ ୧୨ଟା ୪ ମିନିଟ୍, ବାରିପଦାରେ ମେ’ ୩୧ ପୂର୍ବାହ୍ନ ୧୧ଟା ୪୧ ଓ ଜୁଲାଇ ୧୨ ତାରିଖ ପୂର୍ବାହ୍ନ ୧୧ଟା ୪୯ରେ ଏହା ଦେଖାଯିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।
କେମିତି ଦେଖିବେ:
ଏହାକୁ ଦେଖିବା ପାଇଁ କୌଣସି ଯନ୍ତ୍ରପାତିର ଆବଶ୍ୟକ ନାହିଁ। ଏକ ସମତଳ ଜାଗାରେ ଖୁଣ୍ଟି, ଚାରିକୋଣିଆ ବାକ୍ସ, ବୋତଲ, ଇଟା ଭଳି କିଛି ଜିନିଷ ଖରାରେ ପଡ଼ୁଥିବା ସ୍ଥାନରେ ଲମ୍ବ ଭାବରେ ରଖନ୍ତୁ ଓ ନିର୍ଦ୍ଧାରିତ ତାରିଖ ଦିନ ମଧ୍ୟାହ୍ନର କିଛି ସମୟ ପୂର୍ବରୁ ଲକ୍ଷ୍ୟ କରନ୍ତୁ କିପରି ବସ୍ତୁଟିର ଛାୟା ଧୀରେ ଧୀରେ ଛୋଟ ହୋଇ ଉଭେଇ ଯାଉଛି ଓ କିଛି ସମୟ ପରେ ପୁଣି ଦେଖାଯାଉଛି।