କେନ୍ଦୁଝର: ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ବିକାଶ ଯୋଗୁଁ ନିଆଁ ଲଗାଇବା ପାଇଁ ବର୍ତ୍ତ‌ମାନ ବଜାରରେ ଦିଆଶିଲିଠାରୁ ଆରମ୍ଭ କରି ଭଳିକିଭଳି ଲାଇଟର୍‌ ମିଳୁଛି। କିନ୍ତୁ ଆଜି ବି ଆଦିମ ଜୁଆଙ୍ଗ ଜନଜାତିର ଲୋକମାନେ ପ୍ରାଚୀନ ପରମ୍ପରାକୁ ଉଜ୍ଜୀବିତ ରଖିଛନ୍ତି। ଦିଆଶିଲି ଓ ଲାଇଟର୍‌ ବଦଳରେ ଏମାନେ ପଥରରେ ପଥର ଘଷି ନିଆଁ ବାହାର କରୁଛନ୍ତି। କେହି କେହି ଏହାକୁ ଚକମକି ପଥର ତ ଆଉ କେହି ଝକମକି ପଥର ବୋଲି କହୁଛନ୍ତି।
କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍‌ ଅନ୍ତର୍ଗତ ଗୁପ୍ତଗଙ୍ଗା ଗାଁରେ ବାସ କରୁଛନ୍ତି ୫୦ରୁ ଊର୍ଦ୍ଧ୍ବ ଜୁଆଙ୍ଗ ପରିବାର। କେନ୍ଦୁଝର ସହରଠାରୁ ପ୍ରାୟ ୪୦ କି.ମି ଦୂରରେ ଥିବା ଏହି ଗାଁ ପବିତ୍ର ବୈତରଣୀ ନଦୀର ଉତ୍ପତ୍ତିସ୍ଥଳ କୁହାଯାଉଥିବା ଗୋନାସିକା ପାହାଡ଼ରେ ଅବସ୍ଥିତ।

Advertisment

ଏହି ଜୁଆଙ୍ଗ ଜନଜାତିର ଲୋକେ ଆଧୁନିକତାର ଚାକଚକ୍ୟ ମଧ୍ୟରେ ବି ସେମାନଙ୍କ ପରମ୍ପରାକୁ ବଜାୟ ରଖିଛନ୍ତି। ଗୁପ୍ତଗଙ୍ଗା ଗାଁ ମଝିରେ ରହିଛି ମଣ୍ଡଘର। ଏହି ଘରେ ଆଜି ବି ଅହୋରାତ୍ର ଧୁନି ଜଳିଥାଏ। ତେବେ ଏଠାରେ ନିଆଁ ଲଗାଇବା ପରମ୍ପରା ସବୁଠାରୁ ଅଜବ। ଚକମକି ପଥରକୁ ବ୍ୟବହାର କରି ଲୋକେ ନିଆଁ ଲଗାଇଥା’ନ୍ତି। ବିଶେଷକରି ଜୁଆଙ୍ଗ ଜନଜାତିର ବୟସ୍କ ବ୍ୟକ୍ତିମାନେ ଏହି ପଥରକୁ ବ୍ୟବହାର କରିଥା’ନ୍ତି। ଏକ ଛୋଟ ବାଉଁଶନଳୀର ଗୋଟିଏ ପାର୍ଶ୍ୱରେ ଶିମିଳି ତୁଳା ରହିଥିବା ବେଳେ ଅନ୍ୟପଟେ ଚକମକି ପଥର ଖଣ୍ଡ ରହିଥାଏ। ଦୁଇପାର୍ଶ୍ବକୁ ଚମଡ଼ା ଖୋଳରେ ବନ୍ଦ କରି ରଖାଯାଇଥାଏ। ଏଥିରେ ଏକ ଲୁହାଖଣ୍ଡ ବନ୍ଧା ହୋଇଥାଏ। ଯେତେବେଳେ ନିଆଁର ଆବଶ୍ୟକ ପଡ଼େ, ଲୋକେ ଚକମକି ପଥରକୁ ଲୁହା ସାହାଯ୍ୟରେ ଘଷି ଶିମିଳି ତୁଳାରେ ନିଆଁ ଲଗାଇଥାନ୍ତି। ଏହି ନିଆଁକୁ ଫୁଙ୍କି ସେମାନେ ଧୂମପାନ କରିବା ସହ ମଣ୍ଡଘରେ ଥିବା କାଠଖଣ୍ଡ ଜଳାଇଥା’ନ୍ତି। କେଉଁ ଆଦିମ କାଳରୁ ଏହାକୁ ବ୍ୟବହାର କରୁଥିବା ପ୍ରକାଶ କରିଛନ୍ତି ଜୁଆଙ୍ଗ ଆଦିବାସୀ।

ପ୍ରତିଦିନ ଦିଆଶିଲି ଓ ଲାଇଟର୍‌ର ଆବଶ୍ୟକତାକୁ ଏହି ଚକମକି ପଥର ପୂରଣ କରିପାରୁଛି ବୋଲି ଜୁଆଙ୍ଗମାନେ କହିଛନ୍ତି। ଚକମକି ପଥର ବ୍ୟବହାର ସମ୍ପର୍କରେ ଗୁପ୍ତଗଙ୍ଗା ଗ୍ରାମର ରତ୍ନାକର ଜୁଆଙ୍ଗ କହିଛନ୍ତି, ସେମାନେ କାହିଁ କେଉଁ କାଳରୁ ଏହି ଉପାୟରେ ନିଆଁ ବାହାର କରିଆସୁଛନ୍ତି। ବର୍ତ୍ତମାନ ନିଆଁ ଲଗାଇବା ପାଇଁ ଅନେକ ଉପାୟ ଥିଲେ ବି ଏହା ସେମାନଙ୍କୁ ଭଲ ଲାଗେ ବୋଲି ସେ କହିଛନ୍ତି।