ନୂଆପଡ଼ା : ଜିଲ୍ଲା ପରିଷଦ ବୈଠକ, ଧାନକିଣା ସମସ୍ୟା ନେଇ ହଟ୍ଟଗୋଳ

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ସଦ୍‌ଭାବନ ଗୃହଠାରେ ଶୁକ୍ରବାର ଜିଲ୍ଲା ପରିଷଦ ଅଧ୍ୟକ୍ଷା ନମିତା ପ୍ରଧାନଙ୍କ ଅଧ୍ୟକ୍ଷତାରେ ପଞ୍ଚମ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ସାଂସଦ ବସନ୍ତ ପଣ୍ଡା, ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ, ନୂଆପଡ଼ା ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧକ୍ଷ ରାଜେନ୍ଦ୍ର ଢୋଲକିଆ, ଜିଲ୍ଲାପାଳ ସ୍ବଧାଦେବ ସିଂ ମଞ୍ଚାସୀନ ଥିଲେ। ବୈଠକ ଆରମ୍ଭରୁ ଜିଲ୍ଲାରେ ଚାଷୀମାନଙ୍କ ସମସ୍ୟାକୁ ନେଇ ହଟ୍ଟଗୋଳ ହୋଇଥିଲା।

ଜିଲ୍ଲାରେ ବିଭିନ୍ନ ମଣ୍ଡିରେ ପଞ୍ଜୀକୃତ ଚାଷୀଙ୍କ ୨ଲକ୍ଷରୁ ଅଧିକ ବସ୍ତା ଧାନ ପଡ଼ି ରହିଥିବାରୁ ଚାଷୀମାନେ ଦିନ ରାତି ଜଗୁଛନ୍ତି। ଏହାକୁ ନେଇ ଚାଷୀ ମହଲରେ ଅସନ୍ତୋଷ ଦେଖାଦେଇଛି। ମଣ୍ଡିରେ ଥିବା ଧାନ ଜିଲ୍ଲା ପ୍ରଶାସନ ତୁରନ୍ତ ଉଠାଣ କରିବାକୁ ଗୃହରେ ପ୍ରସ୍ତାବ ଦିଆଯାଇଥିଲା। ଜିଲ୍ଲାରେ ଆଜି ପର୍ଯ୍ୟନ୍ତ କେତେଜଣ ଚାଷୀଙ୍କ ଟୋକନ ବାତିଲ ହୋଇଛି ଯୋଗାଣ ବିଭାଗକୁ ପଚରାଯାଇଥିଲା। ହେଲେ ବିଭାଗ ଠାରେ ଏହାର ତାଲିକା ନଥିବାରୁ ଗୃହରେ ଅସନ୍ତୋଷ ଦେଖା ଦେଇଥିଲା। ଜିଲ୍ଲା ପ୍ରଶାସନ, ଯୋଗାଣ ବିଭାଗ, ମିଲର୍ସ ମିଶି କଟନି ଛଟନି, ବସ୍ତା ଟଙ୍କା ହଡ଼ପ କରି ଚାଷୀଙ୍କ ସହ ଖେଳ ଖେଲୁଛନ୍ତି ବୋଲି ନିର୍ବାଚିତ ପ୍ରତିନିଧିମାନେ ଅଭିଯୋଗ କରିଥିଲେ।

ଖଡ଼ିଆଳ ବିଧାୟକ ଶ୍ରୀ ପାଣିଗ୍ରାହୀ କହିଥିଲେ ଯେ, ଖଡ଼ିଆଳ, ବୋଡ଼େନ, ସିନାପାଲିର ବିଭିନ୍ନ ମଣ୍ଡିରେ ଯୋଗାଣ ବିଭାଗ ଓ ମିଲର୍ସ ମିଶି ଚାଷୀମାନଙ୍କ ଠାରୁ କଟନି ଛଟନି କରୁଛନ୍ତି। ଏହାକୁ ଚାଷୀମାନେ ବିରୋଧ କରି ସେମାନଙ୍କ ଧାନ ମଣ୍ଡିରୁ ନନେଇ ମିଲର୍ସ ଚାଲିଯାଇଛି ବୋଲି କହିଥିଲେ। ବାତିଲ ହୋଇଥିବା ଚାଷୀଙ୍କ ଟୋକନ ପୁଣି ଆସିବା ପାଇଁ ସରକାରଙ୍କୁ ଲେଖିବେ ବୋଲି ଜିଲ୍ଲାପାଳ କହିଥିଲେ। ଏହା ପରେ ଗୃହରେ ହଟ୍ଟଗୋଳ ବନ୍ଦ ହୋଇଥିଲା। ସେହିପରି ଜିଲ୍ଲା କୃଷି ବିଭାଗ, ଉଦ୍ୟାନ ବିଭାଗ, ବିଦ୍ୟାଳୟ, ଗଣଶିକ୍ଷା ଓ ସମଗ୍ର ଶିକ୍ଷା, ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ, ସମାଜ କଲ୍ୟାଣ ବିଭାଗ, ସାମାଜିକ ସୁରକ୍ଷା ବିଭାଗ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ, ରାସ୍ତା ଓ ଗୃହ ନିର୍ମାଣ ବିଭାଗ, ବିଦ୍ୟୁତ ବିଭାଗ, ପ୍ରାଣୀ ସମ୍ପଦ ବିଭାଗ ଉପରେ ଆଲୋଚନା ହୋଇଥିଲା। ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଭାନୁପ୍ରତାପ ସିଂ ମାଝୀ, ସଭ୍ୟ ଲମ୍ବୋଦର ନିଆଲ, ସେଫାଲି ସଲମା, ଉଜ୍ବଳ ଗୁପ୍ତା, ପ୍ରିୟରଞ୍ଜନ ମେହେର, ଉଷା ଚନ୍ଦ୍ରକାର, ଜିଲ୍ଲା ପ୍ରଶାସନ ପକ୍ଷରୁ ଡିଆରଡିଏ ପିଡି ନବୀନ ପଟେଲ, ଏପିଡି ମଧୁଛନ୍ଦା ସାହୁ, ଯୋଗାଣ ବିଭାଗ ଅତିରିକ୍ତ ଯୋଗାଣ ଅଧିକାରୀ ରତ୍ନାକର ସେଠୀ, ସିଡିଏମଓ କାଳୀଚରଣ ବେହେରା, ଜିଲ୍ଲା ମଙ୍ଗଳ ଅଧିକାରୀ ସନ୍ଧ୍ୟାରାଣୀ ମାଝୀଙ୍କ ସହ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତଥିଲେ।

ସମ୍ବନ୍ଧିତ ଖବର